ପ୍ରି-ସିଜନ୍‌ ପରୀକ୍ଷଣରେ ଉଦୀପ୍ତଙ୍କ ଉତ୍ସାହଜନକ ପ୍ରଦର୍ଶନ

ଭୁବନେଶ୍ୱର: ଜାତୀୟ ମୋଟର ସାଇକେଲ ରେସିଂ ପ୍ରତିଯୋଗିତା ଲାଗି ଚେନ୍ନାଇରେ ଗତ ୧୧ ତାରିଖରୁ ପ୍ରି-ସିଜନ ଟେଷ୍ଟ୍‌ ବା ଋତୁ ପୂର୍ବର ପରୀକ୍ଷଣ ପର୍ବ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ଏକମାତ୍ର ପେସାଦାର ମୋଟର ସାଇକେଲ୍‌ ରେସର ଉଦୀପ୍ତ କୁମାର ରଥ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି। ଗତ ଋତୁରେ ସମ୍ମୁଖୀନ ହୋଇଥିବା ଦୁର୍ଘଟଣା ପାଇଁ ଦୀର୍ଘ ପାଞ୍ଚ ମାସର ବ୍ୟବଧାନ ପରେ ସେ ରେସିଂ ଟ୍ରାକ୍‌କୁ ଓହ୍ଲାଇଥିଲେ। ତଥାପି ଉଦୀପ୍ତ ଏଥିରେ ଉତ୍ସାହଜନକ ପ୍ରଦର୍ଶନ କରିଛନ୍ତି। ଚେନ୍ନାଇର ମାଡ୍ରାସ୍‌ ମୋଟର ସ୍ପୋର୍ଟସ ରେସ୍‌ ଟ୍ରାକରେ ଅନୁଷ୍ଠିତ ପ୍ରି ସିଜନ୍‌ ଟେଷ୍ଟରେ ନିଜ ପ୍ରଦର୍ଶନ ନେଇ ଉଦୀପ୍ତ ବେଶ୍‌ ଖୁସି ଅଛନ୍ତି। ତାଙ୍କ କେଟିଏମ୍‌ ୩୯୦ ବାଇକ୍‌ରେ କେତେକ ବୈଷୟିକ ବିକାଶ କରାଯାଉଥିବାରୁ ଏଥିରେ ସେ ସିବିଆର ୨୫୦ ବାଇକ ଚଢ଼ି ନିଜ ପ୍ରଦର୍ଶନରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଉଦୀପ୍ତ ଜାତୀୟ ମୋଟରସାଇକେଲ୍‌ ରେସିଂରେ ପ୍ରୋ ଷ୍ଟକ ବିଭାଗ (ଯେଉଁଥିରେ ୪୦୦ ସିସି ପର୍ଯ୍ୟନ୍ତ ବାଇକକୁ ଅନୁମତି ମିଳିଥାଏ) ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥିରେ ’ମ୍ୟାଡ୍‌ମଙ୍କି ମୋଟୋ ମୋଟିଭ’୍ସ ସଂସ୍ଥା ତାଙ୍କର ବୈଷୟିକ ଜ୍ଞାନ କୌଶଳ ପ୍ରାୟୋଜକ ରହିବେ। ସୂଚନାଯୋଗ୍ୟ ଯେ ଉଦୀପ୍ତ ଚଳିତ ବର୍ଷ ଜାତୀୟ ପ୍ରତିଯୋଗିତା ସହ ମାଲେସିଆର ସେପାଙ୍ଗ ସର୍କିଟରେ ଆୟୋଜିତ ହେଉଥିବା ମାଲେସିଆନ୍‌ ମୋଟୋ ଜିିପି ପ୍ରତିଯୋଗିତା ଲାଗି ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ଦୁଇ ପ୍ରତିଯୋଗିତାରେ ଭଲ କରି ସେ ଏସୀୟ ସ୍ତରକୁ ଉନ୍ନୀତ ହେବାକୁ ଲକ୍ଷ୍ୟ ରଖିଛନ୍ତି। ସଂପ୍ରତି ସେ ଉଭୟ ପ୍ରତିଯୋଗିତା ଲାଗି ପ୍ରାୟୋଜକ ସନ୍ଧାନରେ ରହିଛନ୍ତି।

ସମ୍ବନ୍ଧିତ ଖବର