ଉଦୀପ୍ତଙ୍କ ସେପଙ୍ଗ ଚିନ୍ତା

ଭୁବନେଶ୍ୱର: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଲେସିଆର ପ୍ରସିଦ୍ଧ ସେପଙ୍ଗ ସର୍କିଟରେ ଆୟୋଜିତ ହେଉଥିବା ପିରେଲି ସୁପର ବାଇକ୍‌ ପ୍ରତିଯୋଗିତା ଲାଗି ଓଡ଼ିଆ ପୁଅ ଉଦୀପ୍ତ କୁମାର ରଥ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିବା ସବୁ ମୋଟରସାଇକେଲ ରେସରଙ୍କ ପାଇଁ ସ୍ୱପ୍ନ ଓ ସମ୍ମାନର ବିଷୟ ହୋଇଥିଲା ବେଳେ ଉଦୀପ୍ତ ଲଗାତାର ଦୁଇବର୍ଷ ପାଇଁ ଏଥିଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ମାତ୍ର ୨ ବର୍ଷ ତଳେ ପେସାଦାର ଜୀବନ ଆରମ୍ଭ କରିଥିବା ଉଦୀପ୍ତ ଏଭଳି ସଫଳତା ପାଇଥିବା ହାତଗଣତି ଅନ୍ତର୍ଜାତୀୟ ରେସରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ହେଲେ ସେପାଙ୍ଗରେ ପୁଣି ଥରେ ୬୦୦ ସିସି ମୋଟରସାଇକେଲ୍‌ ରେସିଂରେ ଅବତୀର୍ଣ୍ଣ ହେବା ପୂର୍ବରୁ ଏହି ୨୫ ବର୍ଷୀୟ ଯୁବକଙ୍କୁ ଅର୍ଥ ଚିନ୍ତା ଘାରିଛି। ପିରେଲି ସୁପର ବାଇକ୍‌ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲାଗି ସବୁ ଚାଳକଙ୍କୁ ପ୍ରବେଶିକା ଏବଂ ଅନ୍ୟାନ୍ୟ ଦେୟ ବାବଦରେ ୨୫ ଲକ୍ଷ ଟଙ୍କା ଦେଖାକୁ ପଡ଼ିଥାଏ। ଗତବର୍ଷ ତିନିଟି ଘରୋଇ କଂପାନି ଜ୍ୟୋତି ମୋଟର୍ସ, ମିଲକି ମୁ ଏବଂ ମୋଟୋଜିଲର ଆର୍ଥିକ ସହାୟତାରେ ଉଦୀପ୍ତ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏବର୍ଷ କିନ୍ତୁ ଜ୍ୟୋତି ମୋଟର୍ସକୁ ଛାଡ଼ିଦେଲେ ଅନ୍ୟ ଦୁଇ କଂପାନି ଏପର୍ଯ୍ୟନ୍ତ କୌଣସି ଆର୍ଥିକ ଆଶ୍ୱାସନା ଦେଇ ନାହାନ୍ତି। ସେଥିପାଇଁ ଉଦୀପ୍ତ ଚିନ୍ତାରେ ରହିଛନ୍ତି। ସେପଙ୍ଗ ସର୍କିଟରେ ସେ ଦ୍ୱିତୀୟ ବାର ଓହ୍ଲାଇବା ମଧ୍ୟ ଆଶଙ୍କା ଘେରକୁ ଚାଲି ଯାଇଛି। ପ୍ରତିଯୋଗିତାରେ ଅଂଶ ଗ୍ରହଣ ଲାଗି ସାଢ଼େ ବାର ଲକ୍ଷ ଟଙ୍କାର ନିଅଣ୍ଟ ରହିଛି। ସହଯୋଗ ପାଇଁ ରାଜ୍ୟର କର୍ପୋରେଟ୍‌ ହାଉସ ଆଗେଇ ଆସିବାକୁ ସେ ଗୁରୁବାର ନିବେଦନ କରିଛନ୍ତି। ପ୍ରକାଶଯୋଗ୍ୟ ଯେ ଉଦୀପ୍ତ ଓଡ଼ିଶାର ଏକମାତ୍ର ପେସାଦାର ମୋଟରସାଇକେଲ୍‌ ରେସର ହୋଇଥିଲା ବେଳେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସଫଳ ହୋଇ ରାଜ୍ୟ ପାଇଁ ଅଜସ୍ର ସୁନାମ ଆଣିଛନ୍ତି।

ଚଳିତ ବର୍ଷ ମୁଁ ଦୁଇଟି ବଡ଼ ଲକ୍ଷ୍ୟ ନେଇ ରେସିଂ ଟ୍ରାକ୍‌କୁ ଓହ୍ଲାଇବି। ପିରେଲି ସୁପର ବାଇକ୍‌ ସହ ଜାତୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ରହିବାକୁ ଚେଷ୍ଟା କରିବି। ବିଶେଷତଃ ପିରିଲେ ସୁପର ବାଇକ୍‌ ପ୍ରତିଯୋଗିତାରେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଅନ୍ତଃମହାଦେଶୀୟ ଏବଂ ବିଶ୍ୱ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବି। ଏଥିଲାଗି ୨୫ ଲକ୍ଷ ଟଙ୍କାର ଦରକାର ପଡ଼ିବ। ଜ୍ୟୋତି ମୋଟର୍ସ ୫୦ ପ୍ରତିଶତ ଅର୍ଥାତ ୧୨ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେଥିପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ। ହେଲେ ବଳକା ଟଙ୍କା କୋଉଠି ଆସିବ ତା’ର କିଛି ଠିକ୍‌ ଠିକଣା ନାହିଁ। ଅନ୍ୟାନ୍ୟ ଖେଳ ଭଳି ଆମ ରାଜ୍ୟରେ ଥିବା ବଡ଼ ବଡ଼ କଂପାନି ମୋତେ ମଧ୍ୟ ଆର୍ଥିକ ସହାୟତା ଦେଲେ ମୋଟରସ୍ପୋର୍ଟସରେ ଦୁନିଆରେ ମଧ୍ୟ ଓଡ଼ିଶା ପରିଚିତ ହୋଇ ପାରନ୍ତା ବୋଲି ଗୁରୁବାର ଅପରାହ୍ନରେ ଡାକିଥିବା ସାମ୍ବଦିକ ସମ୍ମିଳନୀରେ ଉଦୀପ୍ତ କହିଛନ୍ତି। ସମ୍ମିଳନୀରେ ଉପସ୍ଥିତ ଥିବା କଳିଙ୍ଗ ମୋଟରସ୍ପୋର୍ଟସ କ୍ଲବ୍‌ (ରାଜ୍ୟରେ ମୋଟରସ୍ପୋର୍ଟସକୁ ବଞ୍ଚାଇ ରଖିଥିବା ଏକମାତ୍ର କ୍ଲବ୍‌)ର ବରିଷ୍ଠ କର୍ମକର୍ତା ରଶ୍ମି ରଂଜନ କାନୁନଗୋ କହିଥିଲେ ଯେ ଉଦୀପ୍ତ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ। ସୁବିଧା ସୁଯୋଗ ମିଳିଲେ ସେ ବହୁ ଆଗକୁ ଯାଇ ପାରିବ। ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବ ହୋଇ ପାରିବ। ଆମ ରାଜ୍ୟରେ ମୋଟର ସ୍ପୋର୍ଟସର କୌଣସି ଭିତ୍ତିଭୂମି ନାହିଁ। ଲୋକମାନେ ଏହାକୁ ବିପଜ୍ଜନକ ଖେଳ କହୁଛନ୍ତି। ହେଲେ ମୁଁ କହିବି ଏହା ସବୁଠାରୁ ଶୃଙ୍ଖଳିତ କ୍ରୀଡ଼ା। ଶୃଙ୍ଖଳିତ ନହେଲେ ଏଥିରେ ଆଗକୁ ବଢ଼ି ହେବନି। ଓଡ଼ିଶାରେ ୧୯୮୪ ମସିହାରେ ଏକ ଜାତୀୟ ସ୍ତରର ମୋଟରସାଇକେଲ୍‌ ରେସିଂ ଆୟୋଜିତ ହୋଇଥିଲା। ତା’ ପରଠାରୁ କିନ୍ତୁ ଆଉ କିଛି ହୋଇନି। ରାଜ୍ୟସରକାର ମୋଟରସ୍ପୋର୍ଟସକୁ କ୍ରୀଡ଼ାର ମାନ୍ୟତା ଦେଲେ ଉଭୟ ମୋଟରସାଇକେଲ୍‌ ରେସିଂ ଏବଂ କାର୍‌ ରେସିଂରେ ଓଡ଼ିଶାରୁ ବହୁ ଅନ୍ତର୍ଜାତୀୟ ଚାଳକ ସୃଷ୍ଟି ହୋଇ ପାରନ୍ତେ।
ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତି ମୋଟର୍ସର ମାର୍କେଟିଂ ହେଡ୍‌ ସୋନାଲ ଅଗ୍ରଓ୍ଵାଲ ସିକାରିଆ ଉପସ୍ଥିତ ଥିଲେ। ଏହି ଅବସରରେ ଉଦୀପ୍ତଙ୍କ ମୋଟରସାଇକେଲ୍‌ ରେସିଂର ଚିତ୍ର ଥିବା ଏକ କ୍ୟାଲେଣ୍ଡରର ଉନ୍ମୋଚନ କରାଯାଇଥିଲା।

ସମ୍ବନ୍ଧିତ ଖବର