ଜାତୀୟ ରେସିଂ ପାଇଁ ଉଦୀପ୍ତଙ୍କ ସଜବାଜ

ଭୁବନେଶ୍ବର: ପୁଣି ଧମାକା କରିବେ ଓଡ଼ିଆ ବାଇକର ବୟ। ମାଡ୍ରାସ ଟ୍ରାକ୍‌ରେ ନିଜ ଯାଦୁ ଦେଖାଇ ରାଜ୍ୟର ଟେକ ରଖିବେ। ରେସିଂ ଭଳି ବିପଜ୍ଜନକ କ୍ରୀଡ଼ାରେ ଯେ ଓଡ଼ିଶା ପଛୁଆ ନାହିଁ ତାହା ପୁଣି ଥରେ ପ୍ରମାଣିତ କରିବେ। ଓଡ଼ିଶାର ପ୍ରଥମ ଓ ଏକମାତ୍ର ଅନ୍ତର୍ଜାତୀୟ ପେସାଦାର ମୋଟର ସାଇକେଲ ରେସର୍‌ ଉଦୀପ୍ତ କୁମାର ରଥ କରୋନା କଟକଣା ଭିତରେ ଆୟୋଜିତ ହେବାକୁ ଥିବା ଜାତୀୟ ମୋଟର ସାଇକେଲ୍ ରେସିଂରେ ପୁଣି ଥରେ ଅଂଶ ଗ୍ରହଣ କରିବେ। ଏଥିଲାଗି ସେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। କେତେକ ନୂଆ କଂପାନି ସହ ମଧ୍ୟ ଯୋଡ଼ି ହୋଇଛନ୍ତି। ଏଥରର ଜାତୀୟ ପ୍ରତିଯୋଗିତାରେ ପ୍ରୋ ୩୦୧-୪୦୦ ସିସି ବର୍ଗରେ ଅଂଶଗ୍ରହଣ କରିବେ ସେ। କେଟିଏମ୍ ୩୯୦ ମୋଟର ସାଇକେଲ୍ ଚଳାଇବେ। ଚେନ୍ନାଇସ୍ଥିତ ମାଡ୍ରାସ ମୋଟରସ୍ପୋର୍ଟସ ରେସିଂ ଟ୍ରାକ୍‌‌ରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ରାଉଣ୍ଡ ଡିସେମ୍ବର ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ‌ହେବ।

ସେହଭିଳି ଦ୍ବିତୀୟ ରାଉଣ୍ଡ ଡିସେମ୍ବର ୧୭ରୁ ୨୦ ତାରିଖ ମଧ୍ୟରେ ଖେଳାଯିବ। ଜାତୀୟ ମୋଟର ସାଇକେଲ୍ ରେସିଂ ଚାମ୍ପିଅନସିପ୍ ସାଧାରଣତଃ ୫ ରାଉଣ୍ଡ ବିଶିଷ୍ଟ ହୋଇଥାଏ। ଚଳିତବର୍ଷ କରୋନା ସଙ୍କଟ ପାଇଁ କିନ୍ତୁ ଏହାକୁ ୨ ରାଉଣ୍ଡକୁ କମାଇ ଦିଆଯାଇଛି। ଚାମ୍ପିଅନସିପ୍ ପାଇଁ କେଟିଏମ୍ ଚନ୍ଦ୍ରଶେଖରପୁର ଉଦୀପ୍ତଙ୍କୁ ସହଯୋଗର ହାତ ବଢ଼ାଇଛି। ଏହି ସଂସ୍ଥା ଉଦୀପ୍ତଙ୍କ ପ୍ରମୋସନାଲ ଓ ହୋଷ୍ଟ ପାର୍ଟନର ହୋଇଛି। ଡିଲରସିପ୍ ମାଧ୍ୟମରେ କେଟିଏମ୍ ଚନ୍ଦ୍ରଶେଖରପୁର ଜାତୀୟ ଚାମ୍ପିଅନସିପ୍‌ରେ ଉଦୀପ୍ତଙ୍କ ଅଂଶଗ୍ରହଣର ପ୍ରଚାର ଓ ପ୍ରସାର କରିବ। ଏହି ଅବସରରେ ଉଦୀପ୍ତ ମଧ୍ୟ ମୋଟରସ୍ପୋର୍ଟସକୁ ନେଇ କେତେକ କାର୍ଯ୍ୟକ୍ରମ ଯଥା ପ୍ରଶଂସକଙ୍କ ସହ ଭେଟିବା, ରେସିଂ ପ୍ରଶିକ୍ଷଣ ଅଧିବେଶନ କରିବା ଆଦି ଆୟୋଜନ କରିବେ। ଏହି ସହବନ୍ଧନ ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିଲା ବେଳେ ଆସନ୍ତାମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସୂଚନାଯୋଗ୍ୟ ଯେ ଅତୀତରେ ଉଦୀପ୍ତ ଜାତୀୟ ଚାମ୍ପିଅନସିପ୍‌ରେ ସଫଳ ପ୍ରଦର୍ଶନ କରିଥିଲା ବେଳେ ଏଥର ପୂର୍ବାପେକ୍ଷା ଭଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର