ଉଗାଣ୍ଡା ପାରାବ୍ୟାଡ୍‌ମିଣ୍ଟନ୍: ଦୀପରଞ୍ଜନଙ୍କୁ ସ୍ବର୍ଣ୍ଣ, ପ୍ରମୋଦଙ୍କୁ ୩ ରୌପ୍ୟ

ଭୁବନେଶ୍ବର: ଉଗାଣ୍ଡା ଅନ୍ତର୍ଜାତୀୟ ପାରାବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ଓଡ଼ିଶାର ଦୀପରଞ୍ଜନ ବିଶୋଇ ଇତିହାସ ରଚିଛନ୍ତି। ରବିବାର ଦୀପରଞ୍ଜନ ଓ ଅର୍ବାଜ୍ ଅନ୍‌ସାରୀଙ୍କ ଯୋଡ଼ି ଏହି ପ୍ରତିଯୋଗିତାର ପୁରୁଷ ଯୁଗଳ ଫାଇନାଲ୍‌ରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବା ସହ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ପ୍ରମୋଦ ଭଗତ ଓ ମନୋଜ ସରକାରଙ୍କୁ ୧୦-୨୧, ୨୨-୨୦ ଓ ୨୧-୧୫ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ। ଯେ କୌଣସି ଅନ୍ତର୍ଜାତୀୟ ପ୍ରତି‌ଯୋଗିତାରେ ଦୀପରଞ୍ଜନଙ୍କର ଏହା ହେଉଛି ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ପ୍ରଦର୍ଶନ।

ଅନ୍ୟ ପକ୍ଷରେ ଟୋକିଓ ଅଲିମ୍ପିକ୍ସ ପୁରୁଷ ଏକକ ସ୍ବର୍ଣ୍ଣ ପଦକ ବିଜେତା ତଥା ଖେଳରତ୍ନ ପ୍ରମୋଦ ତିନିଟି ବର୍ଗର ଫାଇନାଲ୍‌ରେ ହାରି ତିନିଟି ରୌପ୍ୟ ପଦକ କରାୟତ୍ତ କରିଛନ୍ତି। ପୁରୁଷ ଯୁଗଳ ଭଳି ମିଶ୍ରିତ ଯୁଗଳରେ ପ୍ରମୋଦ ଓ ପଲକ କୋହଲି ଫାଇନାଲ୍‌ରେ ନିଜ ଦେଶର ମାନସୀ ଯୋଶୀ ଓ ରୁତିକ ରଘୁପତିଙ୍କଠାରୁ ୧୯-୨୧, ୧୬-୨୧ ସିଧାସଳଖ ସେଟ୍‌ରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ତେବେ ପ୍ରମୋଦଙ୍କୁ ସବୁଠାରୁ ବଡ଼ ଝଟ୍‌କା ଏକକ ବର୍ଗରେ ମିଳିଥିଲା। ଏଥିରେ ତାଙ୍କୁ ଯୁଗଳ ସାଥୀ ତଥା ଭାରତୀୟ ପାରାବ୍ୟାଡ୍‌ମିଣ୍ଟନ୍‌ ଜଗତର ଅନ୍ୟତମ ପ୍ରତିଭାବାନ ତାରକା ମନୋଜ ସରକାର ୧୯-୨୧, ୧୬-୨୧ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଛଡ଼ାଇ ନେଇଥିଲେ।

ନିଜ ପ୍ରଦର୍ଶନରେ ଅତ୍ୟନ୍ତ ଖୁସି ଥିବା ଦୀପରଞ୍ଜନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମୁଁ ନିୟମିତ କଠିନ ପରିଶ୍ରମ କରିଆସୁଥିଲି। ଆଜି ତାହାର ଫଳ ମିଳିଛି। ସ୍ବର୍ଣ୍ଣ ପଦକ ଜିତି ମୁଁ ବହୁତ ଖୁସି ଅଛି। ଏହାର ଶ୍ରେୟ ମୁଁ ଅର୍ଥ ସଚିବ ବିଶାଲ ଦେବ ସାର୍‌ଙ୍କୁ ଦେବି। ସେ ମୋତେ ଢେର ଉତ୍ସାହିତ କରୁଥିଲେ। କ୍ରୀଡ଼ା ବିଭାଗ ଦେଇଥିବା ସାହାଯ୍ୟ ଓ ସମର୍ଥନ ପାଇଁ ମୁଁ ମଧ୍ୟ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଉଛି।

ସମ୍ବନ୍ଧିତ ଖବର