ଉଗାଣ୍ଡା ପାରାବ୍ୟାଡ୍‌ମିଣ୍ଟନ: ଦିଲେଶ୍ବରଙ୍କୁ ସ୍ବର୍ଣ୍ଣ ସହ ୨ ପଦକ

ଅମରେନ୍ଦ୍ରଙ୍କୁ ରୌପ୍ୟ; ନୁରୁଲଙ୍କୁ ୨ କାଂସ୍ୟ

ଭୁବନେଶ୍ବର: ଉଗାଣ୍ଡାର କାମ୍ପାଲା ସହରରେ ଆୟୋଜିତ ଉଗାଣ୍ଡା ପାରାବ୍ୟାଡ୍‌ମିଣ୍ଟନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିବା ତିନି ଓଡ଼ିଆ ତାରକା ଦିଲେଶ୍ବର ରାଓ, ଅମରେନ୍ଦ୍ର ବେହେରା ଏବଂ ନୁରୁଲ ହୁସେନ ଖାନ୍‌ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି। ଦିଲେଶ୍ବର (‌ସ୍ବର୍ଣ୍ଣ ଓ ରୌପ୍ୟ) ଏବଂ ନୁରୁଲ (କାଂସ୍ୟ) ଦୁଇଟି ଲେଖାଏଁ ପଦକ ଜିତିଥିବା ବେଳେ ଅମରେନ୍ଦ୍ର ବେହେରାଙ୍କୁ ରୌପ୍ୟ ମିଳିଛି।

ନବୀନ ଶିବକୁମାରଙ୍କୁ ସାଥୀ କରି ଖେଳୁଥିବା ଦିଲେଶ୍ବର ରବିବାର ପୁରୁଷ ଯୁଗଳ ଫାଇନାଲ୍‌ରେ ୨୧-୧୮, ୨୧-୧୯ରେ ଅମରେନ୍ଦ୍ର ଓ ତାଙ୍କ ସାଥୀ ଅଭିଜିତ୍‌ ସାକୁଜାଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ଅମରେନ୍ଦ୍ର ଏହି ମ୍ୟାଚ୍‌ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ସେହିପରି ପୁରୁଷ ଏକକରେ ଦିଲେଶ୍ବର ୧୬-୨୧, ୧୮-୨୧ରେ ନିଜ ଦେଶର ଶାରାନାପ୍ପାଙ୍କଠୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ପୂର୍ବରୁ ଉଭୟ ଏକକ ଓ ଯୁଗଳ ସେମିଫାଇନାଲ୍‌ରେ ହାରିଥିବା ନୁରୁଲ ହୁସେନ ଖାନ୍ ଦୁଇଟି କାଂସ୍ୟ ସହ ଅଭିଯାନ ଶେଷ କରିଥିଲେ। ଏହି ୩ ଖେଳାଳିଙ୍କ ସଫଳତା ପାଇଁ ଓଡ଼ିଶା ଦଳର ପ୍ରଶିକ୍ଷକ ଶିବ ପ୍ରସାଦ ଦାସଙ୍କ ସହ ପାରା ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶାର ସଭ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର