ଭୁବନେଶ୍ବର: ଉଗାଣ୍ଡା ପାରା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ୪ କାଂସ୍ୟ ପଦକ ଜିତିଛନ୍ତି। ଦୀପରଂଜନ ବିଶୋୟୀ, ନୁରୁଲ ହୁସେନ ଖାନ ନିଜନିଜ ବର୍ଗରେ ଏକକ କାଂସ୍ୟ ଜିତିଥିଲେ। ଯୁଗଳରେ ଓଡ଼ିଶାର ଶୁଭ୍ରଜିତ ମହାରଣାଙ୍କୁ ସାଥୀ କରି ଦୀପରଂଜନ ଏବଂ ଇସ୍ରାଏଲର କୋଷ୍ଟାଣ୍ଟିନ ଆଫିନୋଗେନୋଭଙ୍କୁ ସାଥୀ କରି ନୁରୁଲ କାଂସ୍ୟ ଜିତି ନିଜ ପଦକ ସଂଖ୍ୟା ୨କୁ ବଢ଼ାଇଥିଲେ। ଏସ୍ଏଲ୍-୪ ଏକକ ବର୍ଗ ସେମିଫାଇନାଲ୍ରେ ଦୀପ ୧୭-୨୧, ୧୦-୨୧ରେ ନିଜ ଦେଶର ଅଭିଜିତ ସଖୁଜାଙ୍କଠୁ ଏବଂ ହ୍ବିଲ୍ଚେୟାର ୨ ସେମିଫାଇନାଲ୍ରେ ନୁରୁଲ ୮-୨୧, ୮-୨୧ରେ ଭାରତର ସନ୍ତୋଷ ଗୋବିନ୍ଦନଙ୍କଠୁ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ।
ଏସ୍ଏଲ୍-୪ ଯୁଗଳ ସେମିଫାଇନାଲ୍ରେ ଓଡ଼ିଆ ଯୋଡ଼ି ଦୀପ ଓ ଶୁଭ୍ରଜିତ ୧୭-୨୧, ୧୯-୨୧ରେ ଭାରତର ଅନ୍ୟଏକ ଯୋଡ଼ି ଯତୀନ ଆଜାଦ ଓ ଅଭିଜିତ ସଖୁଜାଙ୍କଠୁ ଏବଂ ହ୍ବିଲ୍ଚେୟାର ଯୁଗଳରେ ନୁରୁଲ ଓ କୋନ୍ଷ୍ଟାଣ୍ଟିନ ୧୭-୨୧, ୧୧-୨୧ରେ ଭାରତୀୟ ଯୋଡ଼ି ପୂର୍ଣ୍ଣ ରାଓ ଚାପରା ଓ ମୁନା ଖଲିଦଙ୍କଠୁ ପରାଜିତ ହୋଇଥିଲେ। ଏହି ପ୍ରତିଯୋଗିତାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଓଡ଼ିଆ ଖେଳାଳି ବିଭାସିନ୍ଧୁ ବାରିକ କ୍ବାର୍ଟରଫାଇନାଲ୍ରେ ୧୧-୨୧, ୧୧-୨୧ରେ ହାରି ବିନା ପଦକରେ ସ୍ବଦେଶ ଫେରିଛନ୍ତି।