ଭୁବନେଶ୍ବର: ଉଗାଣ୍ଡାର କାମ୍ପାଲା ସହରରେ ଆଜିଠାରୁ ଆରମ୍ଭ ହୋଇଥିବା ଉଗାଣ୍ଡା ପାରାବ୍ୟାଡ୍‌ମିଣ୍ଟନ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ସାମିଲ ଥିବା ଓଡ଼ିଶା ପ୍ରତିଯୋଗୀ ଅମରେନ୍ଦ୍ର ବେହେରା ଏବଂ ନୁରୁଲ ହୋସେନ୍‌ ଖାନ୍‌ ଏକକରେ ପ୍ରଥମ ଗ୍ରୁପ୍‌ ମ୍ୟାଚ୍‌ ଜିତି ଅଭିଯାନ ଆରମ୍ଭ କରିଛନ୍ତି। ମଙ୍ଗଳବାର ଏସ୍‌ଏଲ୍‌-୩ ବର୍ଗରେ ପ୍ରଥମ ପୁରୁଷ ଏକକ ମୁକାବିଲାରେ ଅ‌ମରେନ୍ଦ୍ର କୋଟେ ଡି ଆଇଭରି ପ୍ରତିଦ୍ବନ୍ଦ୍ବୀ ଦିଏଦା ଜିନ୍‌ ଭେସ୍‌ ୟାଓ’ଙ୍କୁ ୨୧-୧୨ ଓ ୨୧-୧୧ ସିଧାସଳଖ ଗେମ୍‌ରେ ପରାସ୍ତ କରିଥିଲା ବେଳେ ନୁରୁଲ ଡବ୍ଲୁଏଚ୍‌-୨ ବର୍ଗର ପ୍ରଥମ ପୁରୁଷ ଏକକ ମୁକାବିଲାରେ ଉଗାଣ୍ଡା ଖେଳାଳି କେଭିନ ମୁବୀରୁଙ୍କୁ ସିଧାସଳଖ ୨୧-୧ ଓ ୨୧-୩ରେ ପରାସ୍ତ କରିଦେଇଛନ୍ତି। ଉଭୟ ଅମରେନ୍ଦ୍ର ଓ ନୁରୁଲ ବୁଧବାର ପୁରୁଷ ଯୁଗଳ ମ୍ୟାଚ୍‌ ଖେଳିବେ ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାରେ ଭାରତୀୟ ଦଳରୁ ପ୍ରଧିନିଧ୍ବିତ୍ବ କରୁଥିବା ଅନ୍ୟତମ ଓଡ଼ିଶା ତାରକା ଦିଲେଶ୍ବର ରାଓ ଶୁକ୍ରବାର ଉଭୟ ପୁରୁଷ ଏକକ ଓ ଯୁଗଳ ମୁକାବିଲା‌କୁ ଓହ୍ଲାଇବେ।

Advertisment

ଦିଲେଶ୍ବର ଯୁଗଳରେ ଶିବକୁମାର ନବୀନଙ୍କୁ ସାଥୀ କରିଥିଲା ବେଳେ ନୁରୁଲ ଯୁଗଳରେ ନୀରଜ କୁମାରଙ୍କୁ ଏବଂ ଅମରେନ୍ଦ୍ର ଯୁଗଳରେ ଅଭିଜିତ ସାକୁଜାଙ୍କୁ ସାଥୀ କରି ଖେଳିବେ। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳରେ ପ୍ରତିଦ୍ବନ୍ଦ୍ବିତା ହେବ। ଓଡ଼ିଶାର ୩ ଖେଳାଳି ଭାବେ ଦିଲେଶ୍ବର, ଅମରେନ୍ଦ୍ର ଓ ନୁରୁଲ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଏହି ୩ ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବା ପାଇଁ ଓଡ଼ିଶା ପାରାକ୍ରୀଡ଼ା ସଂଘ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।