ଉଗାଣ୍ଡା ପାରାବ୍ୟାଡ୍‌ମିଣ୍ଟନ: ଏକକ ଓ ଯୁଗଳ ଫାଇନାଲ୍‌ରେ ଦିଲେଶ୍ବର

ଭୁବନେଶ୍ବର: ଉଗାଣ୍ଡାର କାମ୍ପାଲା ସହରରେ ଚାଲିଥିବା ଉଗାଣ୍ଡା ପାରାବ୍ୟାଡ୍‌ମିଣ୍ଟନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରୁଥିବା ଓଡ଼ିଆ ତାରକା ଦିଲେଶ୍ବର ରାଓ ଉଭୟ ପୁରୁଷ ଏକକ ଓ ଯୁଗଳ ବର୍ଗର ଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି। ଶନିବାର ଏକକ ବର୍ଗ ସେମିଫାଇନାଲ୍‌ରେ ଦିଲେଶ୍ବର ୨୧-୧୪ ଓ ୨୧-୧୫ ସିଧାସଳଖ ଗେମ୍‌ରେ ନିଜ ଦେଶର ଅନୁଭବ ସାଗର ତେୱାତିଆଙ୍କୁ ପରାସ୍ତ କରିଥିଲେ। ରବିବାର ଫାଇନାଲ୍‌ରେ ତାଙ୍କର ମୁକାବିଲା ଅନ୍ୟତମ ଭାରତୀୟ ଶରନପ୍ପାଙ୍କ ସହ ହେବ। ସେହିପରି ନବୀନ ଶିବକୁମାରଙ୍କୁ ସାଥୀ କରି ଖେଳୁଥିବା ଦିଲେଶ୍ବର ପୁରୁଷ ଯୁଗଳ ସେମିଫାଇନାଲ୍‌ରେ ନିଜ ଦେଶର ପ୍ରେମ କୁମାର ଏଝିଲ ଓ ଦୀନେଶ ରାଜାଜା ଯୋଡ଼ିକୁ ୨୧-୧୫ ଓ ୨୧-୧୭ ସିଧାସଳଖ ଗେମ୍‌ରେ ପରାସ୍ତ କରିଛନ୍ତି। ରବିବାର ଫାଇନାଲ୍‌ରେ ଦିଲେଶ୍ବର-ନବୀନ ନିଜ ଦେଶର ତଥା ଓଡ଼ିଶା ତାରକା ଅମରେନ୍ଦ୍ର ବେହେରା ଓ ତାଙ୍କ ସାଥୀ ଅଭିଜିତ୍‌ ସାକୁଜାଙ୍କୁ ଭେଟିବେ। ଅନ୍ୟ ଏକ ସେମିଫାଇନାଲ୍‌ରେ ଅଭିଜିତ-ସାକୁଜା ୨୧-୧୮ ଓ ୨୧-୧୬ ସିଧାସଳଖ ଗେମ୍‌ରେ ଭାରତୀୟ ଯୋଡ଼ି ଶ୍ରୀରାମ ମୁଥୁରମଣ ଓ ଶରନପ୍ପାଙ୍କୁ ପରାସ୍ତ କରିଥିଲେ। ତେବେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିବା ଅନ୍ୟତମ ଓଡ଼ିଶା ଖେଳାଳି ନୁରୁଲ ହୁସେନ ଖାନ୍ ଉଭୟ ଏକକ ଓ ଯୁଗଳ ବର୍ଗର ସେମିଫାଇନାଲରେ ହାରିଯାଇଛନ୍ତି।

ସମ୍ବନ୍ଧିତ ଖବର