ଭୁବନେଶ୍ୱର: ମାତ୍ର ୧୩ ବର୍ଷ ବୟସରେ ନିଆରା ପ୍ରତିଭା ପ୍ରଦର୍ଶନ କରି ପୂରା ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି ଓଡ଼ିଆ ପୁଅ ଆଦଭିକ୍ ପଟ୍ଟନାୟକ। ମରୁଭୂମିର ଦୁର୍ଗମ ରାସ୍ତାରେ ଦ୍ରୁତ କାର୍ ଚାଳନା ଭଳି ଏକ ଦୁଃସାହସିକ କ୍ରୀଡ଼ା ପ୍ରତିଯୋଗିତା ‘ଅଲ୍ଟିମେଟ୍ ଡେଜର୍ଟ ଚାଲେଞ୍ଜ୍’ରେ ଅଂଶଗ୍ରହଣ କରି ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ଏଥିରେ ୫୬ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଆଦଭିକ୍ ନିଜଠାରୁ ଢେର୍ ଅଧିକ ବୟସର ତଥା ଅଭିଜ୍ଞ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି। ତାଙ୍କୁ ଚାମ୍ପିଅନ୍ସିପରେ ପ୍ରଥମ ଥର ଭାଗ ନେଇଥିବା ଆମେଚର୍ ବର୍ଗରେ ବିଜେତା ଘୋଷଣା କରାଯାଇଛି। ଏହି ସଫଳତା ପାଇବାରେ ଆଦ୍ଭିକ୍ ପ୍ରଥମ ଓଡ଼ିଆ।
ଡ୍ୟୁନ୍ ଆଡ୍ଭେଞ୍ଚର୍ ସ୍ପୋର୍ଟସ କ୍ଲବ୍ ଆନୁକୂଲ୍ୟରେ ଗତ ୪ରୁ ୭ ତାରିଖ ମଧ୍ୟରେ ରାଜସ୍ଥାନରେ ହିରୋ ଅଲ୍ଟିମେଟ୍ ଡେଜର୍ଟ ଚ୍ୟାଲେଞ୍ଜ (ୟୁଡିସି)-୨୦୨୧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନିଜର ଏହି ସଫଳତା ସଂପର୍କରେ ଆଦ୍ଭିକ୍ କହନ୍ତି, ‘ମୁଁ ବହୁତ ଖୁସି। ପ୍ରତିଯୋଗିତାରେ ୫୬ ପ୍ରତିଯୋଗୀ, ୫୬ କାର୍, ୫୬ ଚାଳକ ଓ ୫୬ ନାଭିଗେଟର୍ ଥିଲେ। ମୁଁ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲି।’ ଆଦ୍ଭିକ୍ ହେଉଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାତି। ଉଲ୍ଲେଖଯୋଗ୍ୟ, ୟୁଡିସି ଏପରି ଏକ ପ୍ରତିଯୋଗିତା, ଯେଉଁଥିରେ ଅଣପାରମ୍ପରିକ ଓ ଦୁର୍ଗମ ରାସ୍ତାରେ ଗାଡ଼ି ଚାଳନା କ୍ଷେତ୍ରରେ ପ୍ରତିଯୋଗୀମାନଙ୍କର ଦକ୍ଷତାକୁ ବିଚାର କରାଯାଏ। ଏହି ପ୍ରତିଯୋଗିତା ପ୍ରଥମେ ୨୦୧୪ ମସିହାରେ ଡ୍ୟୁନ୍ ଆଡ୍ଭେଞ୍ଚର୍ ସ୍ପୋର୍ଟସ କ୍ଲବ୍ ଦ୍ବାରା ଆୟୋଜିତ ହୋଇଥିଲା। ପରେ ରାଜସ୍ଥାନର ବିକାନେରରେ ନିୟମିତ ଭାବେ ଅନୁଷ୍ଠିତ ହୋଇଆସୁଛି।