ଉମର ଆକମଲ୍ ୩ ବର୍ଷ ବାସନ୍ଦ

କରାଚୀ: କ୍ରିକେଟ୍ ଦୁର୍ନୀତି ତଥା ମ୍ୟାଚ୍‌ ଫିକ୍ସିଂ ସ୍ପଟ୍ ଫିକ୍ସିଂ ଭଳି କାର୍ଯ୍ୟକଳାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପାକିସ୍ତାନ ବ୍ୟାଟସମ୍ୟାନ୍‌ ଉମର ଆକମଲ୍‌ଙ୍କୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ୩ ବର୍ଷ ପାଇଁ ବାସନ୍ଦ କରିଛି। କୌଣସି ପ୍ରକାର କ୍ରିକେଟ୍‌ ସେ ‌୩ ବ‌ର୍ଷ ପାଇଁ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛି ପିସିବି। ଅବସରପ୍ରାପ୍ତ ବିଚାରପତି ଫଜଲ୍‌ ଇ ମିରାନ୍‌‌ ଚୌହାନଙ୍କ ଅଧ୍ୟକ୍ଷତାରେ ଗଠିତ ଶୃଙ୍ଖଳା ସମିତିର ତଦନ୍ତ ପରେ ଏହି ନିଷ୍ପତ୍ତି ନେଇଛି ବୋର୍ଡ। ୨୯ ବର୍ଷୀୟ ଆକମଲ୍‌ଙ୍କୁ ଗତ ଫେବ୍ରୁଆରି ମାସରୁ ନିଲମ୍ବିତ କରାଯାଇଥିଲା। ପାକିସ୍ତାନ ସୁପର୍‌ ଲିଗ୍‌ର ୨୦୨୦ ସଂସ୍କରଣର ଇସଲାମାବାଦ ବିପକ୍ଷ ମ୍ୟାଚ୍‌ ପୂର୍ବରୁ କ୍ବାଟା ଗ୍ଲାଡିଏଟର୍ସର ଏହି ଖେଳାଳି ମ୍ୟାଚ୍‌ ଫିକ୍ସିଂରେ ସମ୍ପୃକ୍ତ ରହିଥିବା ଜଣାପଡ଼ିଥିଲା। ପିସିବିର ଦୁର୍ନୀତି ବିରୋଧୀ ଆଚରଣ ସଂହିତାର ଧାରା ୨.୪.୪ରେ ଆକମଲ୍‌ଙ୍କୁ ଛନ୍ଦାଯାଇଛି। ନିଲମ୍ବନ ବିରୋଧରେ ଆକମଲ ଗତମାସରେ ଆବେଦନ କରିଥିଲେ ମଧ୍ୟ ନିଜକୁ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି।

ଆକମଲ୍‌ଙ୍କ ବାସନ୍ଦାଦେଶ ଆସିବା ପରେ ପାକିସ୍ତାନର ପୂର୍ବତନ ଅଧିନାୟକ ରମିଜ୍ ରାଜା କହିଛନ୍ତି ‘ପାକିସ୍ତାନରେ ମ୍ୟାଚ୍‌ ଫିକ୍ସିଂକୁ ଅପରାଧ ବିବେଚନା କରାଯିବାର ବେଳ ଆସିଯାଇଛି’। ଏବେ ଉମର ଆକମଲ୍ ନିଜ ନାମକୁ ଇଡିଅଟ୍‌ଙ୍କ ତାଲିକାରେ ଲେଖାଇ ଦେଇଛନ୍ତି। ପ୍ରତିଭାର ଏ କି ଅପଚୟ?। ମ୍ୟାଚ୍‌ ଫିକ୍ସିଂ ବିରୋଧରେ ଆଇନ ଆଣିବାକୁ ସେ ମଧ୍ୟ ଅନୁରୋଧ କରିଛନ୍ତି। ‘ନେପଥ୍ୟରେ ଏଭଳି ବହୁ ରହିଛନ୍ତି’ ‌ବୋଲି ରମିଜ୍ ଟ୍ବିଟ୍ କରିଛନ୍ତି। ଅକ୍ଟୋବର ମାସରେ ଶେଷ ଥର ପାକିସ୍ତାନ ପାଇଁ ପ୍ରତିନିଧିତ୍ବ କରିଥିବା ଉମର ଆକମଲ୍‌ ମୋଟ ୧୬‌ ଟେଷ୍ଟ୍‌, ୧୨୧ ଦିନିକିଆ ଏବଂ ୮୪ ଟି-୨୦ ଖେଳିଛନ୍ତି। ସେ ପୂର୍ବତନ ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ କାମରାନ୍ ଆକମଲଙ୍କ ସାନ ଭାଇ ଏବଂ ବର୍ତମାନର ଅଧିନାୟକ ବାବର ଆଜମଙ୍କ ସମ୍ପର୍କୀୟ ଭାଇ। ‌ନ୍ୟୁଜିଲାଣ୍ଡ୍ ବିପକ୍ଷ ଟେଷ୍ଟ୍ ପଦାର୍ପଣରେ ଶତକ ହାସଲ କରିଥିବା ଆକମଲ ଆଶାଜନକ ପ୍ରଦର୍ଶନ ବଜାୟ ରଖିବାରେ ବିଫଳ ହୋଇଥିଲେ।

ସମ୍ବନ୍ଧିତ ଖବର