ବୁକିଙ୍କ ସହ ବୈଠକର ବିବରଣୀ ଦେବାକୁ ମନା କରିଥିଲେ ଉମର ଆକ୍‌ମଲ: ପିସିବି

କରାଚି: ପାକିସ୍ତାନୀ ବ୍ୟାଟ୍‌ସମ୍ୟାନ୍‌ ଉମର ଆକ୍‌ମଲ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଦୁର୍ନୀତି ନିବାରଣ ବିଧି ଅନୁଯାୟୀ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଏପ୍ରିଲ ୨୭ରୁ ନିଲମ୍ବିତ ଅଛନ୍ତି। ୨୦୨୩ ଫେବ୍ରୁଆରି ୧୯ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାର କ୍ରିକେଟ୍‌ କାର୍ଯ୍ୟକଳାପରୁ ଦୂରେଇ ରଖାଯାଇଛି। ବୁକିଙ୍କ ସହିତ ଦୁଇଥର ବୈଠକର ପୂର୍ଣ୍ଣାଙ୍ଗ ବିବରଣୀ ପିସିବି ଶୃଙ୍ଖଳାଗତ କମିଟି ଆଗରେ ନଖୋଲିବାରୁ ତାଙ୍କୁ ୩ ବର୍ଷ ନିଲମ୍ବିତ କରାଯାଇଛି।

ଆକ୍‌ମଲ ଦୁଇ ଜଣ ଅଚିହ୍ନା ବ୍ୟକ୍ତିଙ୍କ ସହ ଲାହୋରସ୍ଥିତ ଡିଫେନ୍ସ ହାଉସିଂ ସୋସାଇଟିରେ ଦୁଇଥର ବୈଠକ କରିଥିଲେ। କିଛି ବନ୍ଧୁଙ୍କ ଦ୍ବାରା ଆୟୋଜିତ ଭୋଜିରେ ଦୁଇ ଅପରିଚିତ ଭଦ୍ର ବ୍ୟକ୍ତି ମୋତେ ଭେଟିଥିଲେ ବୋଲି ଆକ୍‌ମଲ ଦାବି କରିଥିଲେ। କିନ୍ତୁ ସେହି ବୈଠକରେ କ’ଣ ଆଲୋଚନା ହୋଇଥିଲା ଦୁର୍ନୀତି ନିବାରଣ ଅଧିକାରୀମାନେ ପଚାରିବାରୁ ଆକ୍‌ମଲ କିଛି କହିବାକୁ ମନା କରିଦେଇଥିଲେ ବୋଲି ପିସିବିର ଏକ ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ଫେବ୍ରୁଆରି ୧୯ ଓ ୨୦ ତାରିଖ ରାତିରେ ଯେତେବେଳେ ଦୁର୍ନୀତି ନିବାରଣ ଅଧିକାରୀମାନେ ତାଙ୍କୁ ପ୍ରଥମ କରି ରିପୋର୍ଟ ପ୍ରଦାନ କଲେ ସେତେବେଳେ ସେ ବୁକିଙ୍କ ସହ ବୈଠକର ବିବରଣୀ ପ୍ରଦାନ ନକରି ଭୁଲ୍‌ କରିଥିଲେ ବୋଲି ଆକ୍‌ମଲ ସ୍ବୀକାର କରିଥିଲେ। ଏହାସତ୍ତ୍ବେ ବୁକିଙ୍କ ବୈଠକର ପୂର୍ଣ୍ଣାଙ୍ଗ ବିବରଣୀ ଦେବାକୁ ଚାହିଁନଥିଲେ। ଏପରିକି ଶୃଙ୍ଖଳାଗତ କମିଟିର ଶୁଣାଣି ବେଳେ ମଧ୍ୟ ଆକ୍‌ମଲ କିଛି ଦ୍ବନ୍ଦ୍ବାତ୍ମକ ମନ୍ତବ୍ୟ ଦେଇଥିଲେ। ନିଜକୁ ସ୍ବଚ୍ଛ ମନୋଭାବ ସହ ସହଯୋଗ ମନୋବୃତ୍ତି ନେଇ ତଦନ୍ତର ସାମ୍‌ନା କରିବା ପାଇଁ ଆସିବାକୁ ଶୃଙ୍ଖଳା କମିଟି ଜଜ୍‌ ଆକ୍‌ମଲଙ୍କୁ ପରାମର୍ଶ ଦେବା ସତ୍ତ୍ବେ ସେ ସହଯୋଗ କରିବାକୁ ମନା କରିଦେଇଥିଲେ। ନିଜକୁ ଖୁବ୍‌ ଦୁଃସାହସୀ ଭଳି ଦେଖାଇଥିଲେ। ଗୋଟିଏ ପଟେ ସେ ମାନିଥିଲେ ଯେ ବୈଠକରେ ଆଲୋଚନାର ବିବରଣୀ ପିସିବିକୁ ଦେବା ଉଚିତ ଥିଲା। କିନ୍ତୁ ଅନ୍ୟପଟେ ବିବରଣୀ ପ୍ରଦାନ କରିବାକୁ ମନା କରିଦେଲେ ବୋଲି ଶୃଙ୍ଖଳାଗତ କମିଟି ଅଧ୍ୟକ୍ଷ ଅବସରପ୍ରାପ୍ତ ଜଷ୍ଟିସ୍‌ ଫଜଲ୍‌ ଇ ମୀରଣ ଚୌହାନ୍‌ କହିଥିଲେ। ସଂପୃକ୍ତ ଜଜ୍‌ଙ୍କ ରିପୋର୍ଟକୁ ଭିତ୍ତି କରି ଶେଷରେ ଆକ୍‌ମଲଙ୍କୁ ନିଲମ୍ବନ କରାଯାଇଥିଲା। ଆଉ ନିଲମ୍ବନ ବିରୋଧରେ ଅପିଲ କରିବା ପାଇଁ ତାଙ୍କୁ ୧୪ ଦିନ ସମୟ ଦିଆଯାଇଥିଲା। ଯାହାକି ସୋମବାର ପୂରିଯିବ। ଅପିଲର ଶୁଣାଣି କରିବା ପାଇଁ ପିସିବି ମଧ୍ୟ ଜଣେ ସ୍ବତନ୍ତ୍ର ବିଚାରପତିଙ୍କୁ ନିଯୁକ୍ତ କରିଛି। ତେବେ ମୁଁ ଏବେ କିଛି ଆଇନଜୀବୀଙ୍କ ସହ ପରାମର୍ଶ କରୁଛି ଏବଂ ସମୟ ପୂର୍ବରୁ ଅପିଲ କରିବି ବୋଲି ଆକ୍‌ମଲ କହିଛନ୍ତି।

ସମ୍ବନ୍ଧିତ ଖବର