କରାଚି: ପାକିସ୍ତାନ ଦ୍ରୁତ ବୋଲର ଉମର ଗୁଲ୍ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ସନ୍ୟାସ ନେଇଗଲେ। ଚଳିତ ଜାତୀୟ ଟି-୨୦ କପ୍ ଶେଷରେ ସେ କ୍ରିକେଟ୍ରୁ ସଂପୂର୍ଣ୍ଣ ଅବସର ନେଇଯିବେ ବୋଲି ଶନିବାର ଘୋଷଣା କରିଛନ୍ତି। ୨୦୧୬ରେ ପାକିସ୍ତାନ ପାଇଁ ନିଜର ଶେଷ ଆନ୍ତର୍ଜାତିକ (ଦିନିକିଆ) ମ୍ୟାଚ୍ ଖେଳିଥିବା ୩୬ ବର୍ଷ ବୟସ୍କ ଗୁଲ୍ ଜାତୀୟ ଟି-୨୦ କପ୍ରେ ବାଲୁଚିସ୍ତାନ ଦଳ ପକ୍ଷରୁ ଖେଳୁଛନ୍ତି। ଏହି ପ୍ରତିଯୋଗିତା ରବିବାର ଶେଷ ହେବ। ଏଥିସହିତ କ୍ରିକେଟ୍ ସହ ଗୁଲ୍ଙ୍କ ସବୁ ସଂପର୍କ ମଧ୍ୟ ଶେଷ ହୋଇଯିବ। ଅବଶ୍ୟ ଶୁକ୍ରବାର ସର୍ଦର୍ନ ପଞ୍ଜାବ ବିପକ୍ଷରେ ତାଙ୍କ ଦଳ ହାରିଯାଇଥିବାରୁ ସେମିଫାଇନାଲ୍ ଦୌଡ଼ରୁ ଆପାତତଃ ବାଦ୍ ପଡ଼ିସାରିଛି।
ଉଦାର ହୃଦୟ ସହିତ ଏବଂ ବହୁ ଭାବିଚିନ୍ତି ଜାତୀୟ ଟି-୨୦ କପ୍ ପରେ ସବୁ ଫର୍ମାଟ୍ କ୍ରିକେଟ୍ରୁ ଅବସର ନେବା ପାଇଁ ସ୍ଥିର କରିଛି ବୋଲି ନିଜ ଟ୍ବିଟର ହ୍ୟାଣ୍ଡଲ୍ରେ ଲେଖିଛନ୍ତି ଗୁଲ୍। ମୁଁ ସବୁବେଳେ ପୂରା ମନ ଦେଇ ଏବଂ ଶତ ପ୍ରତିଶତ ପରିଶ୍ରମ ସହ ପାକିସ୍ତାନ ପାଇଁ ଖେଳିଛି। କ୍ରିକେଟ୍ ମୋ ପ୍ରେମ ହୋଇ ରହିଛି ଏବଂ ରହିବ ମଧ୍ୟ। ହେଲେ ପ୍ରତ୍ୟେକ ଭଲ ଜିନିଷର ଅନ୍ତ ହିଁ ଥାଏ ବୋଲି ଗୁଲ୍ କହିଛନ୍ତି। ପେସାୱର ଜନ୍ମିତ ଗୁଲ୍ ୨୦୦୩ରେ ଦିନିକିଆ ମ୍ୟାଚ୍ ଜରିଆରେ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ସେହିବର୍ଷ ମଧ୍ୟ ସେ ପ୍ରଥମ ଟେଷ୍ଟ୍ ଖେଳିଥିଲେ। ୨୦୧୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଶେଷ ଟେଷ୍ଟ୍ ଖେଳିଥିଲେ। ମୋଟ ୪୭ ଟେଷ୍ଟ୍ରୁ ସେ ୩୪.୦୬ ହାରରେ ୧୬୩, ୧୩୦ ଦିନିକିଆରୁ ୧୭୯ ଏବଂ ୬୦ ଟି-୨୦ ମ୍ୟାଚ୍ରୁ ୮୫ ୱିକେଟ୍ ଅକ୍ତିଆର କରିଛନ୍ତି।