ଧର୍ମସେନା ଭୁଲ ମାନିଲେ; ପଶ୍ଚାତ୍ତାପ କରିବେନି

ଲଣ୍ଡନ: ବିଶ୍ବକପ୍ ଫାଇନାଲର ‌ଶେଷ ଓଭରରେ ଇଂଲଣ୍ଡକୁ ଓଭର ଥ୍ରୋରୁ ୬ ରନ୍ ପ୍ରଦାନ କରିବା ନେଇ ସୃଷ୍ଟି ହୋଇଥିବା ବିବାଦରେ ଆଇସିସି ଏଲିଟ୍ ପ୍ୟାନେଲ ଅମ୍ପାୟାର କୁମାର ଧର୍ମସେନା ପ୍ରଥମ ଥର ମୁହଁ ଖୋଲିଛନ୍ତି। ସେ ନିଜ ଭୁଲ ସ୍ବୀକାର କରିଛନ୍ତି। ତେବେ ଏଥିଲାଗି ଆଦୌ ଅନୁତପ୍ତ ନୁହଁନ୍ତି ବୋଲି ମୁହଁ ଫୁଟାଣି ମାରିଛନ୍ତି। ଏହା ଏକ ମସ୍ତବଡ଼ ଭୁଲ ଥିଲା। ସେହି ବଲ୍‌ରୁ ୬ ନୁହେଁ, ୫ ରନ୍ ଦେବା କଥା ବୋଲି ଧର୍ମସେନା କହିଛନ୍ତି। ଏହି ନିଷ୍ପତ୍ତି ନେଇ କିନ୍ତୁ କେବେ ବି ଅନୁତାପ କରିବି ନାହିଁ ବୋଲି ଶ୍ରୀଲଙ୍କାର ଏହି ପୂର୍ବତନ କ୍ରିକେଟର ରବିବାର ଦେଇଥିବା ସାକ୍ଷାତକାରରେ ସ୍ପଷ୍ଟ କରି ଦେଇଛନ୍ତି।

ଐତିହାସିକ ଲର୍ଡସ ପଡ଼ିଆରେ ଖେଳା ଯାଇଥିବା ବିଶ୍ବକପ୍ ଫାଇନାଲର ନିର୍ଣ୍ଣାୟକ ମୋଡ଼ରେ ମାର୍ଟିନ ଗପ୍ଟିଲ ଡିପ୍ ସ୍କୋୟାର ଲେଗ୍‌ରୁ ମାରିଥିବା ଥ୍ରୋ ବେନ୍ ଷ୍ଟୋକ୍ସଙ୍କ ବ୍ୟାଟ୍‌ରେ ବାଜି ସୀମା ରେଖା ବାହାରକୁ ଚାଲିଯିବା ପରେ ଧର୍ମସେନା ଇଂଲଣ୍ଡ ଖାତାରେ ୬ ରନ୍ ଯୋଡ଼ିବାକୁ ନିର୍ଦେଶ ଦେଇଥିଲେ। ଲେଗ୍ ଅମ୍ପାୟାର ମାରାଇସ୍ ଏରାସମସ୍‌ଙ୍କ ସହ ବିଚାର ବିମର୍ଶ ପରେ ରନିଂ ବିଟୁଇନ୍ ଦ ୱିକେଟ୍ ପାଇଁ ୨ ଏବଂ ଓଭର ଥ୍ରୋରେ ବଲ୍ ସୀମା ରେଖା ପାର ହେବାରୁ ସେ ୪ ରନ୍ ପ୍ରଦାନ କରିଥିଲେ। ଯାହା ମ୍ୟାଚ୍‌ର ନିର୍ଣ୍ଣାୟକ ମୋଡ଼ ସାବ୍ୟସ୍ତ ହୋଇଥିଲା। ଶେଷ ୩ ବଲ୍‌ରୁ ଇଂଲଣ୍ଡକୁ ବିଜୟ ପାଇଁ ୯ ରନ୍‌ର ଦରକାର ଥିଲା। ଧର୍ମସେନାଙ୍କ ଏହି ବିବାଦୀୟ ନିଷ୍ପତ୍ତି ପରେ ଯାହା ୨ ବଲ୍‌ରୁ ୩ ରନ୍‌କୁ କମି ଯାଇଥିଲା। ଇଂଲଣ୍ଡ ୨ ବଲ୍‌ରୁ ୨ ରନ୍ କରିବା ପରେ ମ୍ୟାଚ୍ ଟାଇ ହୋଇ ଯାଇଥିଲା। ଏହା ପରେ ସୁପର ଓଭର ମଧ୍ୟ ଟାଇ ରହିବାରୁ ଇଂଲଣ୍ଡ ବାଉଣ୍ଡରି କାଉଣ୍ଟରେ ଆଗୁଆ ରହି ବିଶ୍ବକପ୍ ଜିତିଥିଲା। ନ୍ୟୁଜିଲାଣ୍ଡ ମ୍ୟାଚ୍ ସହ ପ୍ରଥମ ବିଶ୍ବକପ୍ ବିଜୟରୁ ବଞ୍ଚିତ ହୋଇଥିଲା।
ଏହା ପରେ ବଡ଼ ବିବାଦ ମୁଣ୍ଡ ଟେକିଥିଲା। ନ୍ୟୁଜିଲାଣ୍ଡ ବିଶ୍ବକପ୍‌ର ଅସଲ ବିଜେତା ଥିଲା। ଧର୍ମସେନା ନିୟମ ଅନୁଯାୟୀ ସଂପୃକ୍ତ ବଲ୍‌ରେ ୫ ରନ୍ ଦେଇଥିଲେ ନ୍ୟୁଜିଲାଣ୍ଡ ୧ ରନ୍‌ରେ ଫାଇନାଲ୍ ଜିତି ଥାଆନ୍ତା ବୋଲି କ୍ରିକେଟ୍ ଜଗତରେ ଚର୍ଚା ଆରମ୍ଭ ହୋଇ ଯାଇଥିଲା। ଗପ୍ଟିଲ ବଲ୍ ପକାଇଲା ବେଳକୁ ଷ୍ଟୋକ୍ସ ଓ ନନ୍‌ ଷ୍ଟ୍ରାଇକର ଆଦିଲ ରସିଦ ୨ ରନ୍ ପୂର୍ଣ୍ଣ କରି ନଥିବାରୁ ନିୟମ ଅନୁଯାୟୀ ଇଂଲଣ୍ଡକୁ ପାଞ୍ଚ ରନ୍ ମିଳିବା କଥା ବୋଲି ପୂର୍ବତନ ଅଷ୍ଟ୍ରେଲୀୟ ଅମ୍ପାୟାର ସାଇମନ୍ ଟଫେଲ ମଧ୍ୟ ମତ ରଖିଥିଲେ। ବହୂ ପୂର୍ବତନ କ୍ରିକେଟର ବି ଧର୍ମସେନାଙ୍କ ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଥିଲେ। ଏପରିକି ମ୍ୟାଚ୍ ପରେ ନିଜେ ଷ୍ଟୋକ୍ସ ଏଥିଲାଗି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନଙ୍କୁ କ୍ଷମା ମାଗିଥିଲେ। ଏଥିନେଇ ହେଉଥିବା ସମାଲୋଚନା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଧର୍ମସେନା କହିଛନ୍ତି ଟିଭି ରିପ୍ଲେ ଦେଖି ମତାମତ ଦେବା ସହଜ। ମୁଁ ମାନୁଛି ଯେ ସେତେବେଳେ ମୁଁ ଭୁଲ କରିଥିଲି। ହେଲେ ପଡ଼ିଆ ଭିତରେ ଟେଲିଭିଜନ୍ ରି‌ପ୍ଲେ ଦେଖିବାର ସୁବିଧା‌ ଆମ ପାଖରେ ନଥିଲା। ମୁଁ କରିଥିବା ନିଷ୍ପତ୍ତି ନେଇ ପଶ୍ଚାତ୍ତାପ କରିବାର ପ୍ରଶ୍ନ ଉଠୁନାହିଁ। ସେହି ସମୟରେ ନେଇଥିବା ନିଷ୍ପତ୍ତି ପାଇଁ ଆଇସିସି ମୋତେ ପ୍ରଶଂସା କରି ସାରିଛି। ୪୮ ବର୍ଷୀୟ ଧର୍ମସେନା ଆଇସିସି ନିୟମର ବ୍ୟାଖ୍ୟା କରି ଆହୁରି କହିଛନ୍ତି ଯେ ୱିକେଟ୍‌ ପତନ ହୋଇ ନଥିବାରୁ ନିୟମ ଅନୁଯାୟୀ ଏହି ଘଟଣାରେ ତୃତୀୟ ଅମ୍ପାୟାରଙ୍କ ସହଯୋଗ ନେବାର ବିକଳ୍ପ ଆମ ପାଖରେ ଥିଲା। ଏଣୁ ମୁଁ ଲେଗ୍ ଅମ୍ପାୟାରଙ୍କ ସହ ୱାକି ଟକିରେ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲି। ଯାହାକୁ ଅନ୍ୟ ଅମ୍ପାୟାର ଓ ମ୍ୟାଚ୍ ରେଫରି ମଧ୍ୟ ଶୁଣିଥିଲେ। ଟେଲିଭିଜନ୍ ରିପ୍ଲେ ଦେଖିବାର ବିକଳ୍ପ ସେମାନଙ୍କ ପାଖରେ ବି ନଥିଲା। ହେଲେ ବ୍ୟାଟ୍ସମ୍ୟାନ୍ ରନ୍ ପୂରଣ କରିଥିଲେ ବୋଲି ସମସ୍ତେ ସ୍ବୀକାର କରିଥିଲେ। ଏହା ପରେ ଯାଇ ମୁଁ ‌ଅନ୍ତିମ ନିଷ୍ପତ୍ତି ଜଣାଇଥିଲି। ତେବେ ଧର୍ମସେନାଙ୍କୁ ଭାରତୀୟ ଅମ୍ପାୟାର କେ ହରିହରନ୍ ସମାଲୋଚନା କରିଛନ୍ତି। ଏହି ବିବାଦୀୟ ରନ୍ ପ୍ରଦାନ କଲା ବେଳେ ଆଇସିସି ନିୟମକୁ ଅମ୍ପାୟାର ଅଣଦେଖା କରିଥିଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର