ଅମ୍ପାୟାର୍‌ ମେନନ ଓହରିଲେ, ରିଫେଲ୍‌ ଅଡୁଆରେ

ନୂଆଦିଲ୍ଲୀ: କୋଭିଡ୍‌ ମହାମାରୀ ପରିସ୍ଥିତି କାରଣରୁ ଜଣଙ୍କ ପରେ ଜଣେ ଆଇପିଏଲ୍‌ରୁ ଓହରିଯିବାର ଉଦାହରଣ ବଢ଼ିବାରେ ଲାଗିଛି। ଏକାଧିକ ବିଦେଶୀ ଖେଳାଳି ଅଧାରୁ ଓହରିଯାଇଛନ୍ତି। ପରିବାରର କିଛି ସଦସ୍ୟ ଆକ୍ରାନ୍ତ ହେବା ପରେ ଗୁରୁବାର ଅମ୍ପାୟାର୍‌ ନୀତୀନ ମେନନ ମଧ୍ୟ ଓହରିଯାଇଛନ୍ତି। ଅନ୍ୟତମ ଅଷ୍ଟ୍ରେଲୀୟ ଅମ୍ପାୟାର୍‌ ପଲ୍ ରିଫେଲ୍ ସ୍ବଦେଶ ଫେରିଯିବାକୁ ଚାହୁଁଥିଲେ ମଧ୍ୟ ବିମାନ କଟକଣା କାରଣରୁ ଅଡୁଆରେ ପଡ଼ିଯାଇଛନ୍ତି। ମେନନ କିନ୍ତୁ ଆଇପିଏଲ୍‌ ‌‌ଜୈବ ବଳୟରୁ ବାହାରିଯାଇଛନ୍ତି। ଇନ୍ଦୋର ନିବାସୀ ମେନନଙ୍କ ପତ୍ନୀ ଓ ମା’ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିବାରୁ ସେ ତୁରନ୍ତ ଓହରିଯାଇଛନ୍ତି।

ଏକମାତ୍ର ଭାରତୀୟ ଅମ୍ପାୟାର୍‌ ଭାବେ ଆଇସିସି ପ୍ୟାନେଲ୍‌ରେ ଥିବା ମେନନ ଗତ ଭାରତ-ଇଂଲଣ୍ଡ ଶୃଙ୍ଖଳା ପରେ ଉଚ୍ଚ ପ୍ରଶଂସିତ ହୋଇଥିଲେ। ‘ପରିବାର ଲୋକ କରୋନା ସଂକ୍ରମିତ ହେବା ପରେ ମେନନ୍‌ ତୁରନ୍ତ ଆଇପିଏଲ୍‌ରୁ ଓହରିଯାଇଛନ୍ତି, ମ୍ୟାଚ୍‌ ପରିଚାଳନା କରିବା ଲାଗି ତାଙ୍କ ମାନସିକ ସ୍ଥିତି ଭଲ ନାହିଁ’ ବୋଲି ବିସିସିଆଇ ଏକ ପ୍ରେସ୍‌ ବିବୃତ୍ତିରେ ପ୍ରକାଶ କରିଛି। କିନ୍ତୁ ଭାରତର କ୍ରମବର୍ଦ୍ଧିଷ୍ଣୁ କୋଭିଡ୍‌ ସଂଖ୍ୟାକୁ ଦେଖି ଅଷ୍ଟ୍ରେଲିଆ ସରକାର ଏଠାରୁ ଯାଉଥିବା ବିମାନ ଉପରେ କଟକଣା ଲାଗୁ କରିଥିବାରୁ ରିଫେଲ୍‌ଙ୍କ ସ୍ବଦେଶ ପ୍ରତ୍ୟାବର୍ତନ ସଙ୍କଟ ଭିତରେ ରହିଛି। ସେ ଆଇପିଏଲ୍‌ ଜୈବ ବଳୟ ବାହାରକୁ ଯାଇପାରିନାହାନ୍ତି। ଦୋହା ‌ବାଟ ହୋଇ ମୁଁ ଫେରିବାକୁ ଚେଷ୍ଟା କରିଥିଲି, ଟିକେଟ୍‌ ବି କରିଥିଲି। ସେ ବାଟ ହଠାତ୍‌ ବନ୍ଦ ହୋଇଯିବାରୁ ଏବେ ମୋତେ ରହିବାକୁ ପଡୁଛି ବୋଲି ରିଫେଲ୍ ପ୍ରକାଶ କରିଛନ୍ତି। ଫଳରେ ମେ’ ୩୦ ତାରିଖରେ ଆଇପିଏଲ୍‌ ଶେଷ ହେବା ପରେ ହିଁ ରିଫେଲ୍ ସ୍ବଦେଶ ଫେରିବା ସମ୍ଭବ ହେବ। ପୂର୍ବରୁ ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ୩ ଅଷ୍ଟ୍ରେଲୀୟ ଖେଳାଳି ଆଣ୍ଡ୍ରିଉ ଟାଇ, କେନ୍‌ ରିଚାର୍ଡସନ୍‌ ଏବଂ ଆଦାମ ଜାମ୍ପା ମଧ୍ୟ ଭାରତରେ ଦେଖାଦେଇଥିବା ସ୍ବାସ୍ଥ୍ୟ ସଙ୍କଟକୁ ନଜରରେ ରଖି ଓହରିଯାଇଥିଲେ।

ସମ୍ବନ୍ଧିତ ଖବର