ପ୍ରାୟୋଜକ ଦୌଡ଼ରେ ଅନ୍‌ଏକାଡେମି

ନୂଆଦିଲ୍ଲୀ: ଚାଇନିଜ୍‌ ମୋବାଇଲ୍‌ ଫୋନ୍‌ କଂପାନି ଭିଭୋ ୨୦୨୦ ଋତୁ ପାଇଁ ଆଇପିଏଲ୍‌ ଟାଇଟଲ୍‌ ପ୍ରାୟୋଜକରୁ ଓହରିଯିବା ପରେ ଏକାଧିକ କଂପାନି ଏହି ଅଧିକାର ହାତେଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏପରିସ୍ଥଳେ ଏଡୁ-ଟେକ୍‌ କଂପାନି ଅନ୍‌ଏକାଡେମି ଏହି ଦୌଡ଼ରେ ସାମିଲ ହୋଇଛି। ଅନ୍‌ଏକାଡେମି ପୂର୍ବରୁ ଆଇପିଏଲ୍‌ର ଅନ୍ୟତମ ପ୍ରାୟୋଜକ ରହିଥିଲା ବେଳେ ପ୍ରମୁଖ ତଥା ଟାଇଟଲ୍‌ ପ୍ରାୟୋଜନ ପାଇଁ ଇଛା ଜାହିର କରିଛି। ପ୍ରାୟୋଜନ ଅଧିକାର ଦୌଡ଼ରେ ନିଜକୁ ସାମିଲ କରି ପ୍ରତିଦ୍ବନ୍ଦ୍ବିତା କରିବାକୁ ଆଗଭର ହୋଇଛି ଅନ୍‌ଏକାଡେମି। ଏହି ଏଡୁ-ଟେକ୍‌ କଂପାନି ବିଡ୍‌ ପେପର ଦାଖଲ କରିବାକୁ ପ୍ରସ୍ତୁତ ହୋଇଯାଇଛି। ଅନ୍‌ଏକାଡେମି ବିଡ୍‌ ପେପର କିଣିଛି ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ ସ୍ପଷ୍ଟ କରିଥିଲା ବେଳେ ଆଉ ଅଧିକ କିଛି କହିବାକୁ ମନା କରିଦେଇଛନ୍ତି। ମୁଁ କେବଳ ଏତିକି କହିବି ଯେ ଅନ୍‌ଏକାଡେମି ଟାଇଟଲ୍‌ ପ୍ରାୟୋଜନ ପାଇଁ ଆଗ୍ରହ ଦେଖାଇଛି ଏବଂ ଏଥିପାଇଁ ବିଡ୍‌ ପେପର ଧରିସାରିଛି। ମୁଁ ଶୁଣିଛି ସେହି କଂପାନି ଏହାକୁ ଗୁରୁତ୍ବର ସହ ନେଇଛି ଏବଂ ବିଡ୍‌ ଦାଖଲ କରିବ ବୋଲି କହିଛି। ତେଣୁ ଏହା ପୂର୍ବରୁ ଆଗ୍ରହ ପ୍ରକାଶ କରିସାରିଥିବା

ପତଞ୍ଜଳି ଯଦି ଦୌଡ଼ରେ ରହେ ତା‌ହେଲେ ଉଭୟଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ ବୋଲି ନାମ ଗୋପନ ରଖିବା ସର୍ତ୍ତରେ ସଂପୃକ୍ତ ବିସିସିଆଇ ଅଧିକାରୀ ଜଣକ କହିଛନ୍ତି। ଅନ୍‌ଏକାଡେମି ଏହା ପୂର୍ବରୁ ଡ୍ରିମ୍‌-୧୧ ଏବଂ ପେଟିଏମ୍‌ ଭଳି ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ଆଇପିଏଲ୍‌ର କେନ୍ଦ୍ରୀୟ ପ୍ରାୟୋଜକ ଗ୍ରୁପ୍‌ରେ ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି। ତେବେ କେନ୍ଦ୍ରୀୟ ପ୍ରାୟୋଜକ ଏବଂ ଟାଇଟଲ୍‌ ପ୍ରାୟୋଜକ ମଧ୍ୟରେ ଫରକ କ’ଣ ବୋଲି ତାଙ୍କୁ ପଚରାଯିବାରୁ ସଂପୃକ୍ତ ଅଧିକାରୀ ଏହାର ବର୍ଣ୍ଣନା କରିଛନ୍ତି। ତାଙ୍କ କହିବା ଅନୁଯାୟୀ କେନ୍ଦ୍ରୀୟ ପ୍ରାୟୋଜନ ମଧ୍ୟରେ ଜର୍ସି ଅଧିକାର ଆସିନଥାଏ। ଆଇପିଏଲ୍‌ରେ ଜର୍ସି ଲୋଗୋ କେବଳ ଟାଇଟଲ୍‌ ପ୍ରାୟୋଜକଙ୍କ ଅଧିକାର ରହିଥାଏ। ଏହା ବ୍ୟତୀତ ବିଭିନ୍ନ ଦଳର ପ୍ରାୟୋଜନ ଅଧିକାର ମଧ୍ୟ ସାମିଲ ରହିଥାଏ। ଯଦି ଅନ୍‌ଏକାଡେମି ଟାଇଟଲ୍‌ ପ୍ରା‌‌ୟୋଜନ ଅଧିକାର ଜିତିନିଏ ତାହାଲେ ବିଭିନ୍ନ ବ୍ରାଣ୍ଡିଂ ସଂପତ୍ତି ଉପରେ ଅଧିକାର ପାଇଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ଅନ୍ୟପକ୍ଷରେ ଟାଇଟଲ ପ୍ରା‌ୟୋଜନ ଦୌଡ଼ରେ ସାମିଲ ହେବା ନେଇ ଅନ୍‌ଏକାଡେମି ପକ୍ଷରୁ ନିଜ ଆଡୁ କିଛି କୁହାଯାଇନାହିଁ। ତେବେ ଅନ୍ୟ କେତେକ ଏଡୁ-ଟେକ୍‌ ଆପ୍‌ ଭଳି ଅନ୍‌ଏକାଡେମିର ୧୦୦ ପ୍ରତିଶତ ଭାରତୀୟ ପୁଞ୍ଜି ବିନିଯୋଗ ରହିଛି। ତେଣୁ ଆଇପିଏଲ୍‌ ଭଳି ଏକ ବ୍ରାଣ୍ଡ୍‌ ସହ ଯୋଡ଼ିହେବାକୁ ସାଢ଼େ ୪ ମାସ ତା’ ପାଇଁ ଯଥେଷ୍ଟ ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ଏଠାରେ ସୂଚନାଯୋଗ୍ୟ, ବାର୍ଷିକ ୪୪୦ କୋଟି ଦେଉଥିବା ଭିଭୋ ଚୀନ୍‌-ଭାରତ ସୀମା ବିବାଦକୁ କେନ୍ଦ୍ର କରି ସାଂପ୍ରତିକ ସ୍ଥିତି ଯୋଗୁଁ ଚଳିତ ଋତୁ ପାଇଁ ଓହରିଯାଇଛି। ଫଳରେ କୋଭିଡ୍‌-୧୯ ଯୋଗୁଁ ଆର୍ଥିକ ସଂକଟଜନକ ପରିସ୍ଥିତିକୁ ଦୃଷ୍ଟି‌ରେ ରଖି ବିସିସିଆଇ ଏହି ରାଶିକୁ କମାଇ ୩୦୦ରୁ ୩୫୦ କୋଟି ମଧ୍ୟରେ ରଖିବାକୁ ଚାହିଁଛି। ଯିଏବି ଚଳିତ ଋତୁ ପାଇଁ ଟାଇଟଲ୍‌ ପ୍ରାୟୋଜକ ହେବ ସେ ୪ ମାସ ୧୩ ଦିନ ସମୟ ପାଇଁ ରହିବ।

ସମ୍ବନ୍ଧିତ ଖବର