ରାଜକୋଟ: ସୌରାଷ୍ଟ୍ର ଦ୍ରୁତ ବୋଲର ଜୟଦେବ ଉନାଦକଟ୍ ମଙ୍ଗଳବାର ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଓଭରରେ ହ୍ୟାଟ୍ରିକ୍ ନେବାରେ ଉଦାଦକଟ୍ ପ୍ରଥମ ବୋଲର ହୋଇଛନ୍ତି। ରାଜକୋଟ୍ଠାରେ ଆରମ୍ଭ ହୋଇଥିବା ଏଲିଟ୍ ଗ୍ରୁପ୍ ବି’ରେ ଦିଲ୍ଲୀ ବିପକ୍ଷ ମ୍ୟାଚ୍ର ପ୍ରଥମ ଓଭରରେ ସେ ଏହି କୀର୍ତ୍ତିମାନ ରଚିଥିଲେ। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଦିଲ୍ଲୀ ପକ୍ଷରୁ ଧ୍ରୁବ ସୋରେ, ବୈଭବ ରାୱଲ ଓ ଅଧିନାୟକ ୟଶ ଧୂଲ୍ଙ୍କୁ ଖାତା ଖୋଲିବା ଆଗରୁ ଯଥାକ୍ରମେ ପ୍ରଥମ ଓଭରର ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲ୍ରେ ଆଉଟ୍ କରିଥିଲେ ଉନାଦ୍କଟ୍।
ଉନାଦକଟ୍ ତାଙ୍କର ଏହି ଆକ୍ରମଣାତ୍ମକ ବୋଲିଂ ଭିତରେ ବ୍ୟକ୍ତିଗତ ଦ୍ବିତୀୟ ଓଭରରେ ଜଣ୍ଟି ସିଦ୍ଧୁ (୪), ଲଳିତ ଯାଦବ (୦)ଙ୍କୁ ଓ ତୃତୀୟ ଓଭରରେ ୱିକେଟ୍ରକ୍ଷକ ଲକ୍ଷ୍ୟ ଥରେଜା (୧)ଙ୍କ ୱିକେଟ୍ ନେଇ ପାଳିର ୫ ଓଭର ଭିତରେ ଦିଲ୍ଲୀକୁ ୧୦/୭ରେ ରୋକିପାରିଥିଲେ। ଯଦିଓ ତଳଭାଗରେ ପ୍ରାଂଶୁ ବିଜୟରନ୍ (୧୫) ଓ ହ୍ରିତିକ ଶୋକିନ୍ (୬୮*) ଦଳକୁ ୫୦ ପାର୍ କରାଇବା ସହ ୪୩ ରନ୍ର ମହତ୍ବପୂର୍ଣ୍ଣ ଭାଗୀଦାରି କରିଥିଲେ। ପରେ ଶିବାଙ୍କ ବଶିଷ୍ଟ ୩୮ ରନ୍ର ପାଳି ଖେଳିବା ଦ୍ବାରା ଦିଲ୍ଲୀ ୧୦୦ ମାର୍କ ଅତିକ୍ରମ କରିଥିଲା। ହେଲେ ଉଦାଦକଟ୍ ପୁଣି ଥରେ ଆକ୍ସନକୁ ଆସିବା ସହ ବଶିଷ୍ଟ ଓ କୁଲଦୀପ ଯାଦବ (୦)ଙ୍କୁ ଆଉଟ୍ କରି ନିଜର ଶ୍ରେଷ୍ଠ ପ୍ରଦର୍ଶନ (୮/୩୯) ପାଇଥିଲେ। ଷ୍ଟମ୍ସ ଅପସାରଣ ବେଳକୁ ହର୍ଭିକ ଦେଶାଇ (୧୦୪) ଙ୍କ ଅପରାଜିତ ଶତକ ସହାୟତାରେ ସୌରାଷ୍ଟ୍ର ୧ ୱିକେଟ୍ ବିନିମୟରେ ୧୮୪ ରନ୍ ସଂଗ୍ରହ କରିଛି। ପାଳି ଅଗ୍ରଣୀ ପାଇବାକୁ ଦଳକୁ ଆଉ ୫୧ ରନ୍ର ଆବଶ୍ୟକତା ରହିଛି।