ଅନ୍‌କ୍ୟାପ୍‌ଡ ଭାରତୀୟ ଏକାଦଶ

ନୂଆଦିଲ୍ଲୀ,: ଭାରତୀୟ ଦଳରେ ଖେଳିବାର ସୁଯୋଗ ପାଇନଥିବା କିଛି ଯୁବ ଖେଳାଳିଙ୍କ ପ୍ରଦର୍ଶନ ନିକଟରେ ଶେଷ ହୋଇଥିବା ଆଇପିଏଲ୍‌-୨୦୨୦ରେ ଅତି ଚମତ୍କାର ରହିଥିଲା। ଶ୍ରେଷ୍ଠ ପ୍ରଦର୍ଶନ ‌କରିଥିବା ଅନ୍‌କ୍ୟାପ୍‌ଡ ଖେଳାଳିଙ୍କୁ ନେଇ ଗଠନ କରାଯାଇଥିବା ଭାରତୀୟ ଏକାଦଶ ଉପରେ ନଜର ପକାଇବା।
ଋତୁରାଜ ଗାଏକ୍ବାଡ (ଚେନ୍ନାଇ): କରୋନାରୁ ସୁସ୍ଥ ହେବା ପରେ ଗାଏକ୍ବାଡ ଦଳରେ ସାମିଲ ହୋଇଥିଲେ। ଚେନ୍ନାଇ ସୁପର କିଙ୍ଗ୍ସର ‌ଶେଷ ୩ ମ୍ୟାଚ୍‌ରେ ସେ ଓପନିଂ ସୁଯୋଗ ପାଇଥିଲେ। ଲଗାତାର ୩ ଅର୍ଧଶତକ ହାସଲ କରିବା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଦେବଦତ୍ତ ପଡ଼ିକଲ (ବାଙ୍ଗାଲୋର)
ପାୱାର ପ୍ଲେ’ର ଆକ୍ରମଣାତ୍ମକ ‌ଖେଳାଳି ପଡ଼ିକଲ (୪୭୩) ଅନ୍‌କ୍ୟାପ୍‌ଡ ଖେଳାଳି ଭାବ‌େ ପଦାର୍ପଣ ଆପିଏଲ୍‌ ଋତୁରେ ସର୍ବାଧିକ ରନ୍‌ ହାସଲକାରୀ ହୋଇଥିଲେ। ପ୍ରଥମ ୪ ଆଇପିଏଲ୍‌ ମ୍ୟାଚ୍‌ରେ ସେ ୩ ଅର୍ଧଶତକ ଅର୍ଜନ କରିବାରେ ମଧ୍ୟ ପ୍ରଥମ ହୋଇଥିଲେ। ‌ଗୋଟିଏ ଆଇପିଏଲ୍‌ରେ ଅନ୍‌କ୍ୟାପ୍‌ଡ ଖେଳାଳି ଭାବେ ସର୍ବାଧିକ ୫ ଅର୍ଧଶତକ ଅର୍ଜନ କରିବା ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ସେ ‌ସର୍ବାଧିକ ରନ୍‌ ହାସଲକାରୀ ଥିଲେ।
ସୂର୍ଯ୍ୟକୁମାର ଯାଦବ (ମୁମ୍ବାଇ)
ନମ୍ବର ୩ ସ୍ଥାନରେ ସୂର୍ଯ୍ୟକୁମାର (୪୮୦ ରନ୍‌) ଆଉ ଏକ ଆଇପିଏଲ୍‌ ସଂସ୍କରଣରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ସର୍ବାଧିକ ରନ୍‌ ହାସଲକାରୀଙ୍କ ମଧ୍ୟରେ ସେ ସପ୍ତମ ସ୍ଥାନରେ ରହିଥିଲେ। ୩୬୦ ଡିଗ୍ରିରେ ଷ୍ଟ୍ରୋକ୍‌ ମାରି ବିପକ୍ଷ ବୋଲରଙ୍କୁ ଅସୁବିଧାରେ ପକାଉଥିଲେ।
ଈଶାନ କିଷନ (ମୁମ୍ବାଇ)
ସୁଯୋଗ ମିଳିବା ମାତ୍ରେ ଈଶାନ ଦଳ ପାଇଁ ଉପଯୋଗୀ ହୋଇଥିଲେ। ସେ (୫୧୬ ରନ୍) ଚଳିତ ସଂସ୍କରଣର ପଞ୍ଚମ ସର୍ବାଧିକ ସ୍କୋରର୍‌ ଏବଂ ମୁମ୍ବାଇ ଇଣ୍ଡିଆନ୍‌ସର ପ୍ରଥମ। ସେ ସର୍ବାଧିକ ୩୦ ଛକା ମାରିଥିଲେ।
ଦୀପକ ହୁଦା (ପଞ୍ଜାବ)
ଦୀପକ ୭ଟି ମ୍ୟାଚ୍‌‌ ଖେଳି ୫ ଥର ବ୍ୟାଟିଂ ସୁଯୋଗ ପାଇଥିଲେ। ଏହା ମଧ୍ୟରେ ୪ ଥର ଅପରାଜିତ ରହିଥିଲେ। ବଡ଼ ସଟ୍‌ ଖେଳିବା ସହ ସ୍ପିନ୍‌ ବୋଲିଂ ତାଙ୍କୁ ଅଲ୍‌ରାଉଣ୍ଡର କରିଥିଲା।
ରାହୁଲ ତିୱାତିଆ (ରାଜସ୍ଥାନ)
‌କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ସେଲ୍‌ଡନ୍‌ କଟ୍ରେଲ୍‌ଙ୍କୁ ୫ ଛକା ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରାଜସ୍ଥାନ ରୟାଲ୍ସକୁ ଅବିଶ୍ବାସନୀୟ ବିଜୟ ଦେବାରେ ପ୍ରମୁଖ ଭୂମିକା ନେଇଥିଲେ ତିୱାତିଆ। ଏହି ଅଲ୍‌ରାଉଣ୍ଡର ୧୧ ମ୍ୟାଚ୍‌ ଖେଳି ୨୫୫ ରନ୍‌ କରିବା ସହ ୧୧ ୱିକେଟ୍‌ ନେଇଥିଲେ।
ଅବଦୁଲ ସମଦ (ହାଇଦ୍ରାବାଦ)
ଶେଷ ଓଭରରେ ବଡ଼ ସଟ୍‌ ଖେଳିବାରେ ୧୯ ବର୍ଷୀୟ ସମଦ ମାହିର ଥିଲେ। ସେ ୧୭୦.୭୬ ‌ଷ୍ଟ୍ରାଇକ୍‌ରେଟ୍‌ରେ ଖେଳି ନିକୋଲାସ ପୂରନ, ଏବି ଡି’ଭିଲିୟର୍ସ ଓ ସଂଜୁ ସାମସନଙ୍କୁ ପଛରେ ପକାଇ ଷଷ୍ଠ ସ୍ଥାନ ଦଖଲ କରିଥିଲେ।
ଶିଭମ ମାଭି (କୋଲ୍‌କାତା)
୨୧ ବର୍ଷୀୟ ଶିଭମ ଖାଲି ଦ୍ରୁତ ବୋଲିଂ କରୁନଥିଲେ ବିବିଧତା ବି ରଖୁଥିଲେ। ୮ ମ୍ୟାଚ୍‌ ଖେଳି ସେ ୯ ୱିକେଟ୍‌ ଅକ୍ତିଆର କରିଥିଲେ।
ଅର୍ଶଦୀପ ସିଂହ (ପଞ୍ଜାବ)
‌ବାମହାତୀ ବୋଲର ଅର୍ଶଦୀପଙ୍କ ଦ୍ରୁତ ବଲ୍‌ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଡ଼ୁଆରେ ପକାଉଥିଲା। ସେ ମହମ୍ମଦ ସାମିଙ୍କ ‌ଭଲ ଯୋଡ଼ିଦାର ଥିଲେ। ହାଇଦ୍ରାବାଦ ବିପକ୍ଷ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୨୧ ବର୍ଷୀୟ ଅର୍ଶଦୀପ ଚମତ୍କାର ବୋଲିଂ କରି ଶେଷ ଓଭରରେ ୩ ୱିକେଟ୍‌ ନେଇ ଦଳକୁ ବିଜୟୀ କରାଇଥିଲେ।
ଟି ନଟରାଜନ (ହାଇଦ୍ରାବାଦ)
ଚଳିତ ବର୍ଷ ଆଇପିଏଲ୍‌ରେ ନଟରାଜନ ୟର୍କର ମାଷ୍ଟର ଭାବେ ପରିଚିତ ହୋଇଥିଲେ। ଏଲିମିନେଟରରେ ଏବି ଡି’ଭିଲିୟର୍ସଙ୍କୁ ବୋଲ୍‌ଡ କରିବା ସବୁଠୁ ଚମତ୍କାର ଥିଲା। ସେ ଏହି ପ୍ରତିଯୋଗିତାରେ ୮୦ରୁ ଅଧିକ ୟର୍କର ପକାଇଥିଲେ। ଏହି ପ୍ରଦର୍ଶନ ବଳରେ ଅଷ୍ଟେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳା ଲାଗି ତାଙ୍କୁ ଆହତ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ଭାରତୀୟ ଦଳରେ ସ୍ଥାନ ମିଳିଛି।
ବରୁଣ ଚକ୍ରବର୍ତ୍ତୀ (କୋଲ୍‌କାତା)
୨୦୨୦ ଆଇପିଏଲ୍‌ ପ୍ରଦର୍ଶନ ବଳରେ ବରୁଣ ଭାରତୀୟ ଟି-୨୦ ଦଳରେ ସ୍ଥାନ ପାଇଥିଲେ। ହେଲେ ଆହତ ଯୋଗୁଁ ବାଦ୍‌ ପଡ଼ିଥିଲେ। ଗୋଟିଏ ୫ ୱିକେଟ୍‌ ସଫଳତା ସହ ବରୁଣ ୧୭ ୱିକେଟ୍‌ ଅକ୍ତିଆର କରିଥିଲେ। ତାଙ୍କର ଇକୋନୋମି ୬.୮୪ ରହିଥିଲା।
ପ୍ରିୟମ ଗର୍ଗ (ହାଇଦ୍ରାବାଦ)
ସିଏସ୍‌କେ ବିପକ୍ଷରେ ପ୍ରିୟମ ୨୬ ବଲ୍‌ରେ ଅପରାଜିତ ୫୧ ରନ୍‌ କରିଥିଲେ। ଚମତ୍କାର କ୍ଷେତ୍ରରକ୍ଷଣ କରୁଥିବା ପ୍ରିୟମ ଗର୍ଗଙ୍କୁ ଦ୍ବାଦଶ ଖେଳାଳି ଭାବେ ଏହି ଦଳରେ ସ୍ଥାନ ମିଳିଛି।

ସମ୍ବନ୍ଧିତ ଖବର