ଭୁବନେଶ୍ବର: ବିହାରର ରାଜଗିରରେ ଚାଲିଥିବା ମହିଳା ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି। ପୂର୍ବରୁ ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିସାରିଥିବା ଭାରତ ରବିବାରର ଶେଷ ଲିଗ୍ ମ୍ୟାଚ୍ରେ ଜାପାନକୁ ୩-୦ ଗୋଲ୍ରେ ହରାଇଛି। ଫଳରେ ଭାରତ ୫ରୁ ୫ ମ୍ୟାଚ୍ ଜିତି ଅପରାଜେୟ ସହ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି। ମଙ୍ଗଳବାର ଅପରାହ୍ଣ ୪.୪୫ ମିନିଟ୍ରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ୍ରେ ଭାରତ ଚତୁର୍ଥ ସ୍ଥାନରେ ଥିବା ଜାପାନ (୫)କୁ ଭେଟିବ। ପ୍ରଥମ ସେମିଫାଇନାଲ୍ରେ ଚୀନ୍ (୧୨) ଓ ମାଲେସିଆ (୬) ମୁହାଁମୁହିଁ ହେବେ।
ରବିବାର ମ୍ୟାଚ୍ର ପ୍ରଥମ ଦୁଇ କ୍ବାର୍ଟର ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ତୃତୀୟ କ୍ବାର୍ଟରରେ ନବନୀତ କୌର (୩୭ ମିନିଟ୍)ଙ୍କ ଫିଲ୍ଡ ଗୋଲ୍ ବଳରେ ଘରୋଇ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଚତୁର୍ଥ କ୍ବାର୍ଟରରେ ଗୋଟିଏ ମିନିଟ୍ ବ୍ୟବଧାନରେ ଭାରତକୁ ମିଳିଥିଲା ଦୁଇଟି ପେନାଲ୍ଟି କର୍ଣ୍ଣର। ଏହା ଦୁଇ ପେନାଲ୍ଟି କର୍ଣ୍ଣରକୁ ଦୀପିକା (୪୭, ୪୮ ମିନିଟ୍) ସଫଳତାର ସହ ଜାପାନ ଗୋଲ୍ ପୋଷ୍ଟ୍କୁ ପଠାଇ ଭାରତକୁ ୩-୦ରେ ଆଗୁଆ କରିଥିଲେ। ଗୋଲ୍ ଶୁଝିବାକୁ ଜାପାନ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ନ ହୋଇ ପରାଜୟ ବରଣ କରିଥିଲା। ନବନୀତ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଆଜି ଖେଳାଯାଇଥିବା ଅନ୍ୟ ଦୁଇ ମ୍ୟାଚ୍ରେ ଚୀନ୍ ୨-୦ ଗୋଲ୍ରେ କୋରିଆକୁ ଏବଂ ମାଲେସିଆ ୨-୦ ଗୋଲ୍ରେ ଥାଇଲାଣ୍ଡକୁ ପରାସ୍ତ କରିଛି।