ଭୁବନେଶ୍ବର: କଟକ ଓ ଭୁବନେଶ୍ବରର ବିଭିନ୍ନ ପଡ଼ିଆରେ ଚାଲିଥିବା ୧୬ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତାରେ ଗୁରୁବାର ଭଦ୍ରକ, ନୂଆପଡ଼ା, ବରଗଡ଼, କଟକ ଏ’, କଟକ ବି’, ବଲାଙ୍ଗୀର, କିଟ୍ ବିଜୟୀ ହୋଇଛନ୍ତି। ହାଇଟେକ୍ ପଡ଼ିଆରେ ଭଦ୍ରକ ୫ ୱିକେଟ୍ରେ ସୁନ୍ଦରଗଡ଼କୁ, ସି.ଭି. ରମଣ ପଡ଼ିଆରେ ନୂଆପଡ଼ା ୧୯୪ ରନ୍ରେ ନବରଙ୍ଗପୁରକୁ, ପୂର୍ବତଟ ରେଳବାଇ ଷ୍ଟାଡିୟମରେ ବରଗଡ଼ ୧୦୪ ରନ୍ରେ ରାୟଗଡ଼ାକୁ, ରେଭେନ୍ସା ବିଶ୍ବବିଦ୍ୟାଳୟ ପଡ଼ିଆରେ କଟକ ଏ’ ୧୩୬ ରନ୍ରେ ପାରାଦୀପକୁ, ସନସାଇନ୍ ପଡ଼ିଆରେ କଟକ ବି’ ୧୦୧ ରନ୍ରେ ପୁରୀକୁ, ନିମପୁର ପଡ଼ିଆରେ ବଲାଙ୍ଗୀର ୩୧ ରନ୍ରେ ଜଗତସିଂହପୁରକୁ, ଡ୍ରିମ୍ସ ଷ୍ଟାଡିୟମରେ କିଟ୍ ୬ ୱିକେଟ୍ରେ ମୟୂରଭଞ୍ଜକୁ ହରାଇଛି। ନୂଆପଡ଼ାର ଅର୍ମାନ ପତି (୯୭ ରନ୍) ଏକମାତ୍ର ଖେଳାଳି ଭାବେ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ବୋଲରଙ୍କ ମଧ୍ୟରେ ଭଦ୍ରକର ରାଜେନ୍ଦ୍ର ସାହୁ ହ୍ୟାଟ୍ରିକ ୱିକେଟ୍ ଅର୍ଜନ କରିଛନ୍ତି। ସୁନ୍ଦରଗଡ଼ ବିପକ୍ଷ ଏହି ମ୍ୟାଚ୍ର ୨୧ତମ ଓଭରର ତୃତୀୟ ବଲ୍ରେ ଆନନ୍ଦ ସିଂହ, ଚତୁର୍ଥ ବଲ୍ରେ କାର୍ତ୍ତିକ ସାହୁ ଓ ପଞ୍ଚମ ବଲ୍ରେ ଅଭିଜିତ ସାହୁଙ୍କୁ ଆଉଟ କରି ଏହି ସଫଳତା ପାଇଥିଲେ। ସେ ୫.୫ ଓଭରରେ ୮ ରନ୍ ବ୍ୟୟ କରି ୬ ୱିକେଟ୍ ଅକ୍ତିଆର କରିଥିଲେ। ତାଙ୍କ ବ୍ୟତୀତ ନୂଆପଡ଼ାର ନିଖିଲ ଚନ୍ଦ୍ରପାର ୬, କଟକ ଏ’ର ଅର୍ଣ୍ଣବ ପଟ୍ଟନାୟକ ୫, ବଲାଙ୍ଗୀରର ପ୍ରିୟାଂଶୁ ଚୌଧୁରୀ ୫ ୱିକେଟ୍ ସଫଳତା ପାଇଛନ୍ତି।
ଅନ୍ତଃଜିଲ୍ଲା ୧୬ ବର୍ଷରୁ କମ୍ କ୍ରିକେଟ୍: ରାଜେନ୍ଦ୍ରଙ୍କ ହ୍ୟାଟ୍ରିକ୍
/sambad/media/post_attachments/wp-content/uploads/2022/09/65f4sh654hh654fh65fh.jpg)