୧୬ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ୍: ଅବିନାଶ, ଅନିରୁଦ୍ଧ, ଉଦିତଙ୍କୁ ୫ ୱିକେଟ୍
ଝାରସୁଗୁଡ଼ା, ବଲାଙ୍ଗୀର, କଳାହାଣ୍ଡି, ଗଂଜାମ, ସୁନ୍ଦରଗଡ଼, ପାରାଦୀପ ବିଜୟୀ
କଟକ: ଚଳିତ ୧୬ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତାର ରବିବାର ମ୍ୟାଚ୍ଗୁଡ଼ିକରେ ଝାରସୁଗୁଡା, ବଲାଙ୍ଗୀର, କଳାହାଣ୍ଡି, ଗଂଜାମ, ସୁନ୍ଦରଗଡ଼, ପାରାଦୀପ ବିଜୟୀ ହୋଇଛନ୍ତି। ରେଭେନ୍ସା ପଡିଆ-୨ରେ ଝାରସୁଗୁଡା ୫ ୱିକେଟ୍ରେ ଯାଜପୁରକୁ, ବିଡାନାସୀ ପଡିଆରେ ବଲାଙ୍ଗୀର ୬ ୱିକେଟ୍ରେ କେନ୍ଦ୍ରାପଡାକୁ, ଭୁବନେଶ୍ବର ରେଲବାଇ ପଡିଆରେ କଳାହାଣ୍ଡି ୧୭୦ ରନ୍ରେ ସୋନପୁରକୁ, ଟାଉନ୍ କ୍ଲବ ଗ୍ରାଉଣ୍ଡ୍ରେ ଗଂଜାମ୧ ୱିକେଟ୍ରେ କଟକ-ଏ’କୁ, ଅଡଶପୁର ପଡିଆରେ ସୁନ୍ଦରଗଡ଼ ୧୨୬ ରନ୍ରେ ଅନୁଗୁଳକୁ ଏବଂ ବିଜେଏଚଏସ୍ ପଡିଆରେ ପାରାଦୀପ ୬୮ ରନ୍ରେ ନବରଙ୍ଗପୁରକୁ ହରାଇଛି।
ରେଭେନ୍ସା ପଡ଼ିଆରେ ଯାଜପୁର ୩୭.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୩ ରନ୍ କରିଥିଲା। ଜବାବରେ ଝାରସୁଗୁଡା ୩୩.୨ ଓଭରରେ ୫ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ବିଡାନାସୀ ମ୍ୟାଚ୍ରେ କେନ୍ଦ୍ରାପଡା ୩୬ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୮ ରନ୍ କରିଥିଲା। ଜବାବରେ ବଲାଙ୍ଗୀର ୩୭.୫ ଓଭରରେ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ରେଳବାଇ ପଡିଆ ମ୍ୟାଚ୍ରେ କଳାହାଣ୍ଡି ନିର୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୨୪୫ ରନ୍ କରିଥିଲା। ଜବାବରେ ସୋନପୁର ୨୬.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୭୫ ରନ୍ କରିପାରିଥିଲା। କଳହାଣ୍ଡି ପକ୍ଷରୁ ଅବିନାଶ ପଟ୍ଟନାୟକ ୨୧ ରନ୍ରେ ୫ ୱିକେଟ୍ ନେଇଥିଲେ। ଟାଉନ କ୍ଲବ୍ ପଡିଆ ମ୍ୟାଚରେ କଟକ-ଏ ୪୨.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୦ ରନ୍ କରିଥିଲା।
ଜବାବରେ ଗଂଜାମ ଦଳ ୪୮ ଓଭରରେ ୯ ୱିକେଟ୍ ହରାଇ ୨୦୩ ରନ୍ କରି ବିଜୟୀ ହୋଇଥିଲା। ଗଂଜାମର ଅନିରୁଦ୍ଧ ପଟ୍ଟନାୟକ ୩୬ ରନ୍ ଦେଇ ୫ ୱିକେଟ୍ ନେଇଥିଲେ। ଅଡ଼ଶପୁର ପଡିଆ ମ୍ୟାଚରେ ସୁନ୍ଦରଗଡ଼ ନିର୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୨୮ ରନ୍ କରିଥିଲା। ଜବାବରେ ଅନୁଗୁଳ ୩୪.୫ ଓଭରରେ ସମସ୍ତ ୱିକେଟ ହରାଇ ୧୦୨ ରନ୍ କରିବାକୁ ସମର୍ଥ ହୋଇଥିଲା। ବିଜେଏଚଏସ ପଡ଼ିଆରେ ପାରାଦୀପ ୩୫.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା। ନବରଙ୍ଗପୁର ୨୭.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୮୮ ରନ୍ କରିବାକୁ ସମର୍ଥ ହୋଇଥିଲା। ଉଦିତ ଏନ୍ ଜଟ ୨୧ ରନ୍ ଦେଇ ୫ ୱିକେଟ୍ ନେଇଥିଲେ।