କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ଆୟୋଜିତ ୧୬ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତାରେ ସୋମବାର ଭୁବନେଶ୍ବର ବି’, କେନ୍ଦୁଝର, ନୂଆପଡ଼ା, ବରଗଡ଼, ଖୋର୍ଦ୍ଧା, ଗଜପତି ବିଜୟୀ ହୋଇଛନ୍ତି। ଭୁବନେଶ୍ବର ରେଲ୍ୱେ ଗ୍ରାଉଣ୍ଡ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଭୁବନେଶ୍ବର ବି’ ୫୯ ରନ୍ରେ ମାଲକାନଗିରିକୁ ହରାଇଛି। ମାଲକାନଗିରି ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଭୁବନେଶ୍ବର ବି ୪୬.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୩ ରନ୍ କରିଥିଲା। ଜବାବରେ ମାଲକାନଗିରି ୩୨.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୪ ରନ୍ କରିଥିଲା। ଭୁବନେଶ୍ବର ବି’ର ସୋହମ ପଟ୍ଟନାୟକ ୫ ୱିକେଟ ନେଇଥିଲେ। ଭୁବନେଶ୍ବର ଟାଉନ୍ କ୍ଲବ୍ ପଡ଼ିଆରେ କେନ୍ଦୁଝର ୨୫୬ ରନ୍ରେ ଜଗତସିଂହପୁରକୁ ହରାଇଛି। କେନ୍ଦୁଝର ଟସ୍ ଜିତି ୪୯ ଓଭରରେ ୫ ୱିକେଟ୍ ହରାଇ ୨୯୦ ରନ୍ କରିଥିଲା।
ସଙ୍କେତ ପଣ୍ଡା (୧୦୫*) ଅପରାଜିତ ଶତକ ଅର୍ଜନ କରିଥିଲେ। ଜବାବରେ ଜଗତସିଂହପୁର ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୩୪ ରନ୍ କରିବାକୁ ସମର୍ଥ ହୋଇଥିଲା। ଅଡ଼ଶପୁର ପଡ଼ିଆରେ ନୂଆପଡ଼ା ୧୯ ରନ୍ରେ କନ୍ଧମାଳକୁ ପରାସ୍ତ କରିଛି। ନୂଆପଡା ବିଶାଳ କୁମ୍ଭାର (୧୦୦)ଙ୍କ ଶତକ ବଳରେ ୩୨.୩ ଓଭରରେ ୨୦୩ ରନ୍ କରିଥିଲା। ଜବାବରେ କନ୍ଧମାଳ ୪୫ ଓଭରରେ ୮ ୱିକେଟ୍ ହରାଇ ୧୮୪ ରନ୍ କରିବାକୁ ସମର୍ଥ ହୋଇଥିଲା। ଖୋର୍ଦ୍ଧାରେ ବରଗଡ଼ ୬ ୱିକେଟ୍ରେ କଟକ ବି’କୁ ହରାଇଛି। କଟକ ଦଳ ୩୫.୫ ଓଭରରେ ୧୪୩/୧୦ କରିଥିଲା। ଜବାବରେ ବରଗଡ଼ ୩୭.୩ ଓଭରରେ ୪ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ରେଭେନ୍ସା ପଡ଼ିଆ-୨ରେ ଖୋର୍ଦ୍ଧା ୬୧ ରନ୍ରେ ମୟୂରଭଞ୍ଜକୁ ମାତ୍ ଦେଇଛି। ଖୋର୍ଦ୍ଧା ୪୪.୨ ଓଭରରେ ୧୬୫ ରନ୍ କରିଥିଲା ବେଳେ ମୟୂରଭଞ୍ଜ ୪୦.୨ ଓଭରରେ ୧୯୪ ରନ୍ କରି ପାରିଥିଲା। ବିଡ଼ାନାସୀ ପଡ଼ିଆରେ ଗଜପତି ୧୧୨ ରନ୍ରେ ପୁରୀକୁ ହରାଇଛି। ଗଜପତି ୪୭.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୫୨ ରନ୍ କରିଥିଲା। ଜବାବରେ ପୁରୀ ୨୪.୧ ଓଭରରେ ୧୪୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ଗଜପତିର କେ ମାଧବ ୬ ୱିକେଟ୍ ସଫଳତା ପାଇଥିଲେ।