ଅନ୍ତଃଜିଲ୍ଲା ୧୬ ବର୍ଷରୁ କମ୍‌ କ୍ରିକେଟ୍‌: ଅନିନ୍ଦିତଙ୍କୁ ୭, ଆଦର୍ଶଙ୍କୁ ୬ ୱିକେଟ୍‌

ଭୁବନେଶ୍ବର: କଟକ ଓ ଭୁବନେଶ୍ବରର ବିଭିନ୍ନ ପଡ଼ିଆରେ ଚାଲିଥିବା ୧୬ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତା‌ରେ ମଙ୍ଗଳବାର ପାରାଦ୍ବୀପ, ଭୁବନେଶ୍ବର ବି’, ଗଜପତି, ଗଞ୍ଜାମ, ଅନୁଗୁଳ ବିଜୟୀ ହୋଇଛନ୍ତି। ବିଜେବି ହାଇସ୍କୁଲ୍‌ ପଡ଼ିଆରେ ପାରାଦ୍ବୀପ ୧ ରନ୍‌ରେ ରାୟଗଡ଼ାକୁ ହରାଇଛି। ରାୟଗଡ଼ା ବୋଲରମାନେ ପାରାଦୀପ ପାଳିକୁ ୫୩ ରନ୍‌ରେ ସୀମିତ ରଖିଥିଲା। ଜବାବରେ ପାରାଦ୍ବୀପ ବୋଲରମାନେ ରାୟଗଡ଼ା ପାଳିକୁ ୨୪.୧ ଓଭରରେ ୫୨ ରନ୍‌ରେ ସଫା କରିଦେଇଥିଲେ। ସେଞ୍ଚୁରିଆନ୍‌ ବିଶ୍ବବିଦ୍ୟାଳୟ ପଡ଼ିଆରେ ଭୁବ‌ନେଶ୍ବର ବି’ ୪ ୱିକେଟ୍‌ରେ ବଲାଙ୍ଗୀରକୁ ପରାସ୍ତ କରିଛି।

ବଲାଙ୍ଗୀର ୩୪ ଓଭରରେ ୭ ୱିକେଟ୍‌ ହରାଇ ୧୪୯ ରନ୍‌ ସଂଗ୍ରହ କରିଥିଲା। ଏହାର ଜବାବରେ ଭୁବନେଶ୍ବର ୩୨.୩ ଓଭରରେ ୬ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା ସି.ଭି.ରମଣ କଲେଜ ପଡ଼ିଆରେ ଗଜପତି ୬୩ ରନ୍‌ରେ ପୁରୀକୁ ମାତ୍‌ ଦେଇଛି। ଗଜପତି ୩୬ ଓଭରରେ ୮ ୱିକେଟ୍‌ ହରାଇ ୧୩୫ ରନ୍‌ କରିଥିଲା। ଜବାବରେ ଗଜପତିର ବୋଲିଂ ଆକ୍ରମଣକୁ ସାମ୍ନା କରିନପାରି ପୁରୀ ୨୮ ଓଭରରେ ୭୨ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଆଦର୍ଶ ଦାଶ ୬ ୱିକେଟ୍‌ ଅକ୍ତିଆର କରିଥିଲେ। ରେଭେନ୍ସା ବିଶ୍ବବିଦ୍ୟାଳୟ ପଡ଼ିଆରେ ଗଞ୍ଜାମ ୮ ୱିକେଟ୍‌ରେ ନୂଆପଡ଼ାକୁ ହରାଇଛି। ନୂଆପଡ଼ା ୨୫.୧ ଓଭରରେ ୪୭ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଗଞ୍ଜାମ ମାତ୍ର ୨ ୱିକେଟ୍‌ ବିନିମୟରେ ୧୮.୩ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା। ରେଭେନ୍ସା ୨ ନମ୍ବର ପଡ଼ିଆରେ ଅନୁଗୁଳ ୧୫୧ ରନ୍‌ରେ ନବରଙ୍ଗପୁରକୁ ପରାସ୍ତ କରିଥିଲା। ଅନୁଗୁଳ ୩୬.୩ ଓଭରରେ ୧୭୪ ରନ୍‌ କରିପାରିଥିଲା। ରାକେଶ କେଉଟ ୫ ୱିକେଟ୍‌ ପାଇଥିଲେ। ଜବାବରେ ନବରଙ୍ଗପୁର ମାତ୍ର ୨୩ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ବିଜୟୀ ଦଳର ଅନିନ୍ଦିତ ପ୍ରଧାନ ୮.୪-୩-୭-୭ର ବୋଲିଂ ଚିତ୍ର ପାଇଥିଲେ।

ସମ୍ବନ୍ଧିତ ଖବର