ଭୁବନେଶ୍ବର : ଅହମଦାବାଦରେ ଆୟୋଜିତ ୧୮ ବର୍ଷରୁ କମ୍‌ ଜାତୀୟ ସିରିଜ୍‌ ଟେନିସ ପ୍ରତିଯୋଗିତାରେ ଓଡ଼ିଶାର ଦେବାଶିଷ ସାହୁ ବିଜେତା ହୋଇଛନ୍ତି। ଶନିବାର ବାଳକ ବର୍ଗ ଫାଇନାଲ୍‌ରେ ଦେବାଶି‌ଷ ସିଧାସଳଖ ୬-୧, ୬-୨ ସେଟ୍‌ରେ ହାଇଦ୍ରାବାଦର ଭତ୍ସଲ ମଣିକାନ୍ତନଙ୍କୁ ପରାସ୍ତ କରିଥିଲେ। ଏହା ପୂର୍ବରୁ ସେ ସେମିଫାଇନାଲ୍‌ରେ ଦିଲ୍ଲୀର ପାଥମ କୋଟାକଙ୍କୁ ୬-୦, ୬-୨ ‌ସେଟ୍‌ରେ ଏବଂ କ୍ବାର୍ଟରଫାଇନାଲ୍‌ରେ ତାମିଲନାଡ଼ୁର କଶିତ ନାଗାରାଲେଙ୍କୁ ୪-୬, ୬-୨, ୭-୬ (୫) ସେଟ୍‌ରେ ହରାଇଥିଲେ। ଦେବାଶିଷ ଜୁନ୍‌ ୨୩ରୁ ଜୁଲାଇ ୯ ପର୍ଯ୍ୟନ୍ତ ଇରାନରେ ଆୟୋଜିତ ହେବାକୁ ଥିବା ୧୮ ବର୍ଷରୁ କମ୍‌ ଆଇଟିଏଫ୍‌ ୧୦୦ ପ୍ରତିଯୋଗିତାରେ ଭାଗନେବେ। ସେ ଏହି ପ୍ରତିଯୋଗିତାର ମୁଖ୍ୟ ଡ୍ର’ ରେ ସ୍ଥାନ ପାଇଛନ୍ତି।