୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌: ଜାପାନକୁ ୧୦ ୱିକେଟ୍‌ରେ ହରାଇ କ୍ବାର୍ଟରରେ ଭାରତ

ବ୍ଲୋଏମ୍‌ଫୋଣ୍ଟିନ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ରେ ୪ ଥର ବିଜେତା ଭାରତୀୟ ଯୁବ ଦଳ କ୍ରମାଗତ ଦ୍ବିତୀୟ ବିଜୟ ସହ କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି। ରବିବାର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୯୦ ରନ୍‌ରେ ପରାସ୍ତ କରିଥିବା ଭାରତ ମଙ୍ଗଳବାର ଦ୍ବିତୀୟ ମ୍ୟାଚ୍‌ରେ ଦୁର୍ବଳ ଜାପାନକୁ ୧୦ ୱିକେଟ୍‌ରେ ପରାସ୍ତ କରିଦେଇଛି। ଅପରାଜେୟ ସହ ୪ ପଏଣ୍ଟ୍‌ ପାଇ ଗ୍ରୁପ୍‌-ଏ ଶୀର୍ଷରେ ରହିଥିବା ଭାରତ ଆସନ୍ତା ୨୪ ତାରିଖ ଦିନ ନ୍ୟୁଜିଲାଣ୍ଡ୍‌କୁ ଭେଟିବ।

ମଙ୍ଗଳବାର ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିବା ଭାରତ ଲେଗ୍‌ ସ୍ପିନର ରବି ବିଷ୍ଣୋଇ (୮-୩-୫-୪), ଦ୍ରୁତ ବୋଲର କାର୍ତିକ ତ୍ୟାଗୀ (୬-୦-୧୦-୩), ଆକାଶ ସିଂହ (୪.୫-୧-୧୧-୨) ଓ ଭି ପାଟିଲ (୪-୧-୮-୧)ଙ୍କ ଘାତକ ବୋଲିଂ ବଳରେ ଜାପାନ ପାଳିକୁ ମାତ୍ର ୪୧ ରନ୍‌ରେ ସଫା କରିଦେଇଥିଲା। ୪ ଜଣ ଜାପାନୀ ବ୍ୟାଟ୍‌ସମ୍ୟାନ୍‌ ଖାତା ଖୋଲିବାକୁ ସମର୍ଥ ହୋଇନଥିଲା ବେଳେ ଜଣେ ହେଲେ ବି ଏକ ଅଙ୍କ ଟପି ପାରିନଥିଲେ। ଦଳ ୨୨.୫ ଓଭରରେ ସମସ୍ତ ୱିକେଟ୍‌ ହରାଇଥିଲା। ପଞ୍ଚମ, ଅଷ୍ଟମ ଓ ଦଶମ ଓଭରରେ ଜାପାନ ଦୁଇଟି ଲେଖାଏଁ ୱିକେଟ୍‌ ହରାଇ ସଂକଟରେ ପଡ଼ିଥିଲା। ଫଳରେ ଏକ ସମୟରେ ୧୯ ରନ୍‌ରେ ୭ ୱିକେଟ୍‌ ହରାଇଥିବା ଜାପାନ ଅତିରିକ୍ତ ୧୯ ରନ୍‌ ବଳରେ ହିଁ ୪୧ ରନ୍‌ରେ ପହଞ୍ଚି ପାରିଥିଲା। ଜବାବରେ ଯଶସ୍ବୀ ଜୟସ୍ବାଲ (୨୯ ରନ୍‌, ୧୮ ବଲ୍‌, ୫ ଚୌକା, ୧ ଛକା) ଓ କୁମାର କୁସାଗ୍ର (୧୩ ରନ୍‌, ୧୧ ବଲ୍‌, ୨ ଚୌକା)ଙ୍କ ଅପରାଜିତ ପାଳି ବଳରେ ଭାରତ ମାତ୍ର ୪.୫ ଓଭରରେ କୌଣସି ୱିକେଟ୍‌ ନହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ରବି ବିଷ୍ଣୋଇଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର