କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ଆୟୋଜିତ ୧୯ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ୍ର ସୁପରଲିଗ୍ ପର୍ଯ୍ୟାୟ ସୋମବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନ ଖେଳାଯାଇଥିବା ମ୍ୟାଚ୍ରେ ରାଉରକେଲା, ରେଷ୍ଟ୍ ଅଫ୍ ଓଡ଼ିଶା-ଏ’, ଯାଜପୁର ଓ ଭୁବନେଶ୍ବର-ବି’ ବିଜୟୀ ହୋଇଛନ୍ତି। ଏମ୍ଜିଏମ୍ ଗ୍ରାଉଣ୍ଡ୍ରେ ଅନୁଷ୍ଠିତ ମ୍ୟାଚ୍ରେ ରାଉରକେଲା ୧୦ ୱିକେଟ୍ରେ ଭୁବନେଶ୍ବର-ଏ’କୁ ହରାଇଛି। ଭୁବନେଶ୍ବର-ଏ’ ଟସ୍ ଜିତି ୪୧.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୧ ରନ୍ କରିଥିଲା। ଜବାବରେ ରାଉରକେଲା ୩୦.୫ ଓଭରରେ ବିନା କୌଣସି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଡ୍ରିମ୍ସ ପଡିଆରେ ଅନୁଷ୍ଠିତ ମ୍ୟାଚ୍ରେ ରେଷ୍ଟ୍ ଅଫ୍ ଓଡ଼ିଶା ଏ’ ୪ ୱିକେଟ୍ରେ ଭଦ୍ରକକୁ ହରାଇଛି। ଟସ୍ ଜିତି ବ୍ୟାଟିଂ କରିଥିବା ଭଦ୍ରକ ୯ ୱିକେଟ୍ ବିନିମୟରେ ୨୦୫ ରନ୍ କରିଥିଲା। ଜବାବରେ ରେଷ୍ଟ୍ ଅଫ୍ ଓଡ଼ିଶା-ଏ’ ୩୪.୫ ଓଭରରେ ୬ ୱିକେଟ୍ ହରାଇ ୨୦୯ ରନ୍ କରିଥିଲା।
ସନସାଇନ୍ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ ଯାଜପୁର ୩୪ ରନରେ ସମ୍ବଲପୁରକୁ ହରାଇଛି। ଯାଜପୁର ୭ ୱିକେଟ୍ ହରାଇ ୨୮୩ ରନ୍ କରିଥିଲା ବେଳେ ସମ୍ବଲପୁର ୪୪.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୪୯ ରନ୍ କରିଥିଲା। ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ବର ବି’ ୮ ୱିକେଟରେ ରେଷ୍ଟ ଅଫ୍ ଓଡ଼ିଶା ବି’ କୁ ହରାଇଛି। ଭୁବନେଶ୍ବର ବି’ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା। ରେଷ୍ଟ୍ ଅଫ୍ ଓଡ଼ିଶା ବି’ ୪୭.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୮୧ ରନ୍ କରିଥିଲା। ବିଜୟ ଲକ୍ଷ୍ୟକୁ ଭୁବନେଶ୍ବର ବି’ ୪୩.୧ ଓଭରରେ ୨ ୱିକେଟ୍ ହରାଇ ହାସଲ କରିଥିଲା। ଯାଜପୁରର ଆଦିତ୍ୟ ଜେନା ୧୨୭ଟି ବଲ୍ରୁ ୧୦୮ ରନ୍ କରିଥିଲେ।