୧୯ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦: ଜମ୍ମୁ କଶ୍ମୀରକୁ ହରାଇଲା ଓଡ଼ିଶା

କଟକ: ଆନ୍ଦ୍ରପ୍ରଦେଶର ମୂଳପଡ଼ାରେ ଚାଲିଥିବା ୧୯ ବ‌ର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଦ୍ବିତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ହାସଲ କରିଛି। ଶନିବାର ପ୍ରଥମ ମ୍ୟାଚ୍‌ରେ ପଞ୍ଜାବଠୁ ୬ ୱିକେଟ୍‌ରେ ହାରିଯାଇଥିବା ଓଡ଼ିଶା ବାଳିକାମାନେ ରବିବାର ୩୦ ରନ୍‌ରେ ଜମ୍ମୁ ଓ କଶ୍ମୀରକୁ ପରାସ୍ତ କରିଛନ୍ତି। ପୂଜାରାଣୀ ଦାସ (୩୯* ରନ୍, ୨୧ ବଲ୍‌, ୬ ଚୌକା) ଏବଂ ରୋଶିନୀ ବଗର୍ତି (୩୦ ରନ୍‌, ୪୪ ବଲ୍‌, ୨ ଚୌକା)ଙ୍କ ପାଳି ବଳରେ ଓଡ଼ିଶା ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୧୩୪ ରନ୍‌ କରିଥିଲା। ପ୍ରତିପକ୍ଷର ଅନନ୍ୟା ଶର୍ମା ଓ ଅଞ୍ଜୁମ ମାରୁଫ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଜବାବରେ ଜମ୍ମୁ ଓ କଶ୍ମୀର ଦଳ ୨୦ ଓଭରରେ ୧୦୪/୭ରେ ସୀମିତ ରହିଯାଇଥିଲା। ଅଫ୍ରିନ୍‌ (୨୯) ଓ ବାୱାନ୍ଦୀପ କୌର୍‌ (୨୨) ଭଲ ବ୍ୟାଟିଂ କରିଥି‌ଲେ। ଓଡ଼ିଶା ପକ୍ଷରୁ ଭବାନୀ ଦାଢ଼ା (୪-୦-୧୧-୨), ଜ୍ୟୋତି କେ ପ୍ରସାଦ (୩-୦-୧୭-୨) ପ୍ରଭାବୀ ବୋଲିଂ କରିଥିବା ବେଳେ ୩ ଜଣ ବ୍ୟାଟର୍‌ ରନ୍‌ ଆଉଟ୍ ହୋଇଥିଲେ। ଓଡ଼ିଶା ନିଜର ପରବର୍ତୀ ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟକୁ ଭେଟିବ।

ସମ୍ବନ୍ଧିତ ଖବର