୧୯ ବର୍ଷରୁ କମ୍‌ ବିଶ୍ବକପ୍‌: ଧୂଲ୍‌ଙ୍କ ଅର୍ଦ୍ଧଶତକ, ଭାରତ ୨୩୨

ଗାଏନା: ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଶନିବାର ଦକ୍ଷିଣ ଆଫ୍ରିକାକୁ ଭେଟିଛି। ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତ ଅଧିନାୟକ ୟାଶ୍‌ ଧୂଲ୍‌ଙ୍କ ଚମତ୍କାର ଅର୍ଦ୍ଧଶତକ ସତ୍ତ୍ବେ ୨୩୨ ରନ୍‌ର ସମ୍ମାନଜନକ ସ୍କୋର୍‌ ଛିଡ଼ା କରିଛି। ପ୍ରାୟ ଅଧଘଣ୍ଟା ବିଳମ୍ବରେ ଟସ୍‌ ପଡ଼ିଥିଲେ ମଧ୍ୟ ଓଭର ସଂଖ୍ୟା କମାଯାଇନଥିଲା।

ଦୁଇ ଓପ୍‌ନର ଅଙ୍ଗ୍‌କ୍ରିସ୍‌ ରଘୁବଂଶୀ (୫) ଏବଂ ଅଭ୍ୟାସ ମ୍ୟାଚ୍‌ରେ ଶତକ ଜମାଇଥିବା ହର୍ନୁର ସିଂହ (୧) ଷଷ୍ଠ ଓଭର ବେଳକୁ ପାଭିଲିୟନ୍‌ ଫେରିଯାଇଥିଲେ। ଆଫିୱେ ମେନେନ୍ଦା ଏହି ଦୁଇ ଜଣଙ୍କୁ ଆଉଟ୍‌ କରି ଦକ୍ଷିଣ ଆଫ୍ରିକା ଶିବିରରେ ଉଲ୍ଲାସ ଭରିଦେଇଥିଲେ। ହେଲେ ସେକ୍‌ ରସିସ୍‌ଙ୍କ ସହ ଯୋଗଦେଇ ଅଧିନାୟକ ଧୂଲ୍‌ ତୃତୀୟ ୱିକେଟ୍‌ରେ ୭୧ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ସକିଲ ୩୧ ରନ୍‌ରେ ଆଉଟ୍‌ ହେବା ପରେ ଚତୁର୍ଥ ୱିକେଟ୍‌ରେ ଧୂଲ୍‌ ଓ ନିଶାନ୍ତ ସିନ୍ଧୁ (୨୭) ୪୪ ରନ୍ ଯୋଡ଼ିବା ପରେ ଆଉ ବଡ଼ ଭାଗୀଦାରି ହୋଇନଥିଲା। ରାଜ୍‌ ବୱା ୧୩ ରନ୍‌ରେ ପାଭିଲିୟନ୍‌ ଫେରିଯାଇଥିଲା ବେଳେ ଧୂଲ୍‌ ୮୨ (୧୦୦ ବଲ୍‌, ୧୧ ଚୌକା) ରନ୍‌ କରିଥିଲା ବେଳେ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଯାଇଥିଲେ। ଶେଷରେ କୌଶଲ ତାମ୍ବେ ଲଢ଼ିଥିଲେ। କିନ୍ତୁ ସେ ୩୫ ରନ୍‌ କରି ଆଉଟ୍‌ ହେବା ପରେ ଭାରତ ୪୬.୫ ଓଭରରେ ୨୩୨ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ମାଥ୍ୟୁ ବୋଷ୍ଟ ୩, ଆଫିୱେ ମେନେନ୍ଦା ୨ ଓ ଦିୱାଲ୍‌ସ ବ୍ରେଭିସ୍‌ ୨ ୱିକେଟ୍‌ ଦଖଲ କରିଥିଲେ।

ସମ୍ବନ୍ଧିତ ଖବର