କୁଲିଜ୍ (ଆଣ୍ଟିଗୁଆ): ଦୁଇ ପ୍ରମୁଖ ଦାବିଦାର ଭାରତ ଓ ଅଷ୍ଟ୍ରେଲିଆ ବୁଧବାର ଏଠାରେ ଆଇସିସି ୧୯ ବର୍ଷରୁ କମ୍ ବିଶ୍ବକପ୍ର ବ୍ଲକ୍ବୁଷ୍ଟର ସୁପର ଲିଗ୍ ସେମିଫାଇନାଲ୍ରେ ମୁହାଁମୁହିଁ ହେବେ। ମହାମାରୀ କୋଭିଡ ଯୋଗୁଁ ଜାତୀୟ ଶିବିର ଏବଂ ପ୍ରତିଯୋଗିତା ବାତିଲ ହେବାରୁ ଗତ ଦୁଇ ବର୍ଷ ହେଲା ଭାରତୀୟ ଯୁବ ଦଳର ଅଭ୍ୟାସରେ ଗୁରୁତର ବାଧା ଲାଗିଥିଲା। ଏହି ଦୁଇ ବର୍ଷ ମଧ୍ୟରେ ନିକଟରେ କେବଳ ଦଳ ଏସିଆ କପ୍ ଖେଳିଥିଲା। ୪ ଥରର ବିଜେତା ଭାରତ ୪୫ ରନ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚଳିତ ବିଶ୍ବକପ୍ରେ ଭଲ ଆରମ୍ଭ କରିଥିଲା। ହେଲେ ଆୟର୍ଲାଣ୍ଡ ବିପକ୍ଷ ଦ୍ବିତୀୟ ମ୍ୟାଚ୍ ପୂର୍ବରୁ ବିଜୟୀ ଏକାଦଶରେ ଥିବା ୫ ଖେଳାଳି ଅଧିନାୟକ ୟାସ ଧୁଲ, ଉପଅଧିନାୟକ ସେକ୍ ରସିଦ, ଆରଧ୍ୟ ଯାଦବ, ମାନବ ପରଖ, ସିଦ୍ଧାର୍ଥ ଯାଦବ କୋଭିଡ ସଂକ୍ରମଣ ଯୋଗୁଁ ବାଦ୍ ପଡ଼ିଥିଲେ। ଏମାନେ ଅନୁପସ୍ଥିତ ରହିବାରୁ ୬ ଜଣ ରିଜର୍ଭ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଥିଲା। ସେମାନେ କିନ୍ତୁ ନିରାଶ କରିନଥିଲେ। ସଂକ୍ରମିତ ହୋଇନଥିବା ଖେଳାଳିଙ୍କ ସହ ମିଶି ଆୟର୍ଲାଣ୍ଡ ଓ ଉଗାଣ୍ଡା ବିପକ୍ଷରେ ଦଳକୁ ବିଜୟୀ କରାଇ କ୍ବାର୍ଟର ଫାଇନାଲ୍ରେ ପହଞ୍ଚାଇଥିଲେ। ହେଲେ ବାଂଲାଦେଶ ବିପକ୍ଷ କ୍ବାର୍ଟର ଫାଇନାଲ୍ରେ ଅନୁପସ୍ଥିତ ଥିବା ଖେଳାଳି ଫେରିଥିଲେ। ଏହି ମ୍ୟାଚ୍କୁ ଭାରତ ୫ ୱିକେଟ୍ରେ ଜିତି ଲଗାତାର ଚତୁର୍ଥ ଥର ଲାଗି ସେମିଫାଇନାଲ୍ ପହଞ୍ଚିଥିଲା।
ଏସବୁ ସମସ୍ୟା ଭିତରେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ୍ରେ ଭାରତ ପୂରା ଷ୍ଟ୍ରେନ୍ଥ ଏବଂ ବିଜୟ ଆଶା ନେଇ ପଡ଼ିଆକୁ ଓହ୍ଲାଇବ। ଏହି ଗୁରୁତ୍ବପୂର୍ଣ୍ଣ ସେମିଫାଇନାଲ୍ ପୂର୍ବରୁ ନିଶାନ୍ତ ସିନ୍ଧୁ କୋଭିଡରୁ ସୁସ୍ଥ ହୋଇ ଫେରିବା ଦଳ ପାଇଁ ଆଉ ଏକ ଖୁସି ଖବର। ହର୍ନୁର ସିଂହ, ଅଙ୍ଗକ୍ରିସ ରଘୁବଂଶୀ ଓ ରାଜ ବାୱାଙ୍କ ସହ ଅଧିନାୟକ ଧୁଲ ଓ ରସିଦଙ୍କୁ ନେଇ ଭାରତର ବ୍ୟାଟିଂ ଲାଇନ୍ ଦୃଢ଼ ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ଧୁଲ ୮୨ ରନ୍ର ଅଧିନାୟକ ପାଳି ଖେଳିଥିଲେ। ବାମହାତୀ ଦ୍ରୁତ ବୋଲର ରବି କୁମାର, ସିମର ରାଜବର୍ଦ୍ଧନ ହଙ୍ଗାରଗେକର, ସ୍ପିନର ଭିକି ଓସ୍ତୱାଲ ଓ କୁଶାଲ ଥାମ୍ବେଙ୍କ ସହ ମଧ୍ୟମଗତି ବୋଲର ବାୱାଙ୍କୁ ନେଇ ଗଠିତ ବୋଲିଂ ବାହିନୀ ଯେ କୌଣସି ବ୍ୟାଟିଂ ଲାଇନ୍କୁ ଅଟକାଇବାକୁ ସକ୍ଷମ ଅଛନ୍ତି।
ଅନ୍ୟପକ୍ଷରେ ଦୁଇ ଥରର ବିଜେତା ଅଷ୍ଟ୍ରେଲିଆ କ୍ବାର୍ଟର ଫାଇନାଲ୍ରେ ପାକିସ୍ତାନକୁ ୧୧୯ ରନ୍ରେ ହରାଇ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲା। ଅଷ୍ଟ୍ରେଲିଆ ନିକଟରେ ଓପନର୍ ତିଗ୍ୟୁ ୱିଲିଙ୍କ ଭଳି ତାରକା ବ୍ୟାଟର୍ ରହିଛନ୍ତି। ଏହି ୧୭ ବର୍ଷୀୟ ବ୍ୟାଟର୍ ଚଳିତ ବିଶ୍ବକପ୍ରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ବୋଲିଂରେ ଟମ୍ ହ୍ବିଟନେ ଓ ୱିଲିୟମ ସାଲଜମାନ୍ଙ୍କୁ ନେଇ ଦଳ ଦୃଢ଼ ରହିଛି। ଏହି ଦୁଇ ବୋଲର ଭାରତର ଦୁର୍ବଳତାକୁ ଠଉରେଇବାକୁ ସକ୍ଷମ ରହିଛନ୍ତି। ଉଭୟ ଦଳ ବିଶ୍ବକପ୍ ଅଭ୍ୟାସ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ। ଏଥିରେ ଅଷ୍ଟ୍ରେଲିଆକୁ ଭାରତ ପରାସ୍ତ କରିଥିଲା। ତେଣୁ ବୁଧବାର ମ୍ୟାଚ୍ ଭାରତ ସପକ୍ଷରେ ରହିବା ଆଶା କରାଯାଉଛି।
ଭାରତ ସମ୍ଭାବ୍ୟ ଏକାଦଶ: ୟସ ଧୁଲ (ଅଧିନାୟକ), ଅଙ୍ଗକ୍ରିସ ରଘୁବଂଶୀ, ହର୍ନୁର ସିଂହ, ରାଜ ବାୱା, କୁଶାଳ ତାମ୍ବେ, ଦୀନେଶ ବାନା, ନିଶାନ୍ତ ସିନ୍ଧୁ, ଭିକି ଓସ୍ତୱାଲ, ରାଜବର୍ଦ୍ଧନ ହଙ୍ଗାରଗେକର, ବାସୁ ଭାଟ୍ସ ଓ ରବି କୁମାର।
ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ: କୁପର କନୋଲି (ଅଧିନାୟକ), କାମ୍ପବେଲ କେଲାୱେ, ଟିଗ୍ୟୁ ୱିଲି, ଏଦାନ କାହିଲ, କୋରେ ମିଲର, ଜାକ୍ ସିନଫିଲ୍ଡ, ତୋବିଆସ ସ୍ନେଲ, ୱିଲିୟମ ସାଲ୍ଜମାନ, ଜାକ ନିସବେଟ, ଲାଚଲାନ ସ' ଓ ଟମ ହ୍ବିଟ୍ନେ।