ନର୍ଥ ସାଉଣ୍ଡ: ଭାରତ-ଇଂଲଣ୍ଡ ୧୯ ବର୍ଷରୁ କମ୍ ଫାଇନାଲରେ ଦୁଇ ଭାରତୀୟ ଦ୍ରୁତ ବୋଲର ରବି କୁମାର (୯-୧-୩୪-୪) ଏବଂ ରାଜ୍ ବାୱା (୯.୫-୧-୩୧-୫)ଙ୍କ ରାଜୁତି ଦେଖିବାକୁ ମିଳିଥିଲା। ଉଭୟ ମିଳିତ ଭାବେ ୯ ୱିକେଟ୍ ବାଣ୍ଟିନେବା ପରେ ଇଂଲଣ୍ଡ ୪୪.୫ ଓଭରରେ ମାତ୍ର ୧୮୯ ରନ୍‌ରେ ଅଲଆଉଟ୍ ‌ହୋଇଯାଇଥିଲା। ଇଂଲଣ୍ଡର ଅନ୍ୟ ୱିକେଟ୍‌ଟି ସ୍ପିନର କୌଶଲ ତାମ୍ବେ କରାୟତ୍ତ କରିଥିଲେ।

Advertisment

ଶନିବାର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡର ଶୀର୍ଷକ୍ରମକୁ ୧୩ ଓଭର ଭିତରେ ରବି ଓ ରାଜ୍ ହିଁ ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲେ। ଦ୍ବିତୀୟ ଓଭରର ପଞ୍ଚମ ବଲ୍‌ରେ ରବି ପ୍ରତିପକ୍ଷ ଇଂଲଣ୍ଡର ଦକ୍ଷ ଓପନର ଜ୍ୟାକବ୍ ବୋ‌ଥେଲ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ରାଜ୍ ତାଙ୍କ ଯାଦୁ ଦେଖାଇଥିଲେ। ତ୍ରୟୋଦଶ ଓଭରର ପଞ୍ଚମ ଓ ଷଷ୍ଠ ବଲ୍‌ରେ ଦୁଇଟି ୱିକେଟ୍ ସହ ରବିଙ୍କ ସହ ମିଶି ଇଂଲଣ୍ଡର ବଡ଼ ଧରଣର ବିପର୍ଯ୍ୟୟ ଘଟାଇଥିଲେ ସେ। ୯୧ ରନ୍‌ରେ ୭ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିବା ଇଂଲଣ୍ଡ ପାଇଁ କିନ୍ତୁ ଅଷ୍ଟମ ୱିକେଟ୍ ଯୋଡ଼ିରେ ଜେମ୍ସ ରିୟୁ ଏବଂ ଜେମ୍ସ ସେଲ୍ସ ବହୂମୂଲ୍ୟ ୯୩ ରନ୍ ଯୋଡ଼ିଥିଲେ। ଏହି ଯୋଡ଼ି ବିପଜ୍ଜନକ ହୋଇ ଆସୁଥିଲା ବେଳେ କୌଶଲ ତାମ୍ବେଙ୍କ ହାତରେ ରିୟୁଙ୍କୁ କ୍ୟାଚ୍ କରାଇ ଭାରତକୁ ରବି ଆଶ୍ବସ୍ତ କରିଥିଲେ। କୌଶଳ ନିଜ ଦ୍ବିତୀୟ ପ୍ରୟାସରେ ଏକ ଚମତ୍କାର କ୍ୟାଚ୍ ନେଇ ସ୍ମରଣୀୟ ଶତକ ହାସଲ କରିବାର ୫ ରନ୍ ପୂର୍ବରୁ ରିୟୁଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ସେହି ଓଭରରେ ସେ ମଧ୍ୟ ଥୋମାସ ଆସପିନୱିଲଙ୍କୁ ଆଉଟ୍ କରି ଇଂଲଣ୍ଡକୁ ୨୦୦ ରନ୍ ତଳେ ଅଟକାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ୪୫ତମ ଓଭରର ପଞ୍ଚମ ବଲ୍‌ରେ ରାଜ୍ ଶେଷ ୱିକେଟ୍ ଭାବେ ଜୋସୁଆ ବୋଡେନଙ୍କୁ ୱିକେଟ୍ ରକ୍ଷକ ଦୀନେଶ ବାନାଙ୍କ ହାତରେ କ୍ୟାଚ୍ କରାଇ ଇଂଲଣ୍ଡର ଯନ୍ତ୍ରଣା ଜର୍ଜରିତ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ତା’ ସହ ସେ ମଧ୍ୟ ୧୯ ବର୍ଷରୁ କମ୍ ବିଶ୍ବକପ୍ ଫାଇନାଲ୍‌ରେ ପାଞ୍ଚ ୱିକେଟ୍ ସଫଳତା ପାଇଥିବା ହାତଗଣତି ବୋଲରଙ୍କ କ୍ଲବ୍‌ରେ ସାମିଲ ‌ହୋଇଯାଇଥିଲେ।

ଭାରତୀୟ ଦଳ ଇଂଲଣ୍ଡକୁ ହରାଇ ବିଶ୍ବକପ୍‌ ଜିତିବାସହ ସମଗ୍ର ଦେଶ ଉତ୍ସବମୁଖର ହୋଇଛି। ୨୦୦୦, ୨୦୦୮, ୨୦୧୨ ଓ ୨୦୧୮ ପରେ ୨୦୨୨ରେ ବିଶ୍ବକପ୍‌ ଜିତି ଭାରତୀୟ ଦଳ ନୂଆ ଇତିହାସ ରଚିଛି। ୱେଷ୍ଟଇଣ୍ଡିଜ୍‌ରେ ଭାରତୀୟ କନିଷ୍ଠ ଦଳ ବିଜୟବାନା ଉଡାଇବାସହ ଭାରତୀୟ କ୍ରିକେଟ୍‌ର ଭବିଷ୍ୟତଯେ ପୂରା ଉଜ୍ବଳ ତାହା ପୁଣିଥରେ ସ୍ପ‌ଷ୍ଟ ହୋଇଛି।