ୟେଞ୍ଚିଅନ୍ (ଦକ୍ଷିଣ କୋରିଆ): ଏଠାରେ ଚାଲିଥିବା ୨୦ ବର୍ଷରୁ କମ୍ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ବୁଧବାର ଶେଷ ଦିନରେ ଭାରତକୁ ୨ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ କାଂସ୍ୟ ସହ ମୋଟ ୫ ପଦକ ମିଳିଛି। ଫଳରେ ଭାରତର ପଦକ ସଂଖ୍ୟା ୧୯ (୬ ସ୍ବର୍ଣ୍ଣ, ୭ ରୌପ୍ୟ, ୬ କାଂସ୍ୟ) ରେ ପହଞ୍ଚିବା ସହ ଟେବୁଲର ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଭାରତ ଆଗରେ ଜାପାନ ୨୩ (୧୪ ସ୍ବର୍ଣ୍ଣ, ୫ ରୌପ୍ୟ, ୪ କାଂସ୍ୟ) ଏବଂ ଚୀନ୍ ୧୯ (୧୧ ସ୍ବର୍ଣ୍ଣ, ୫ ରୌପ୍ୟ, ୩ କାଂସ୍ୟ) ପଦକ ସହ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି।
ବୁଧବାର ଭାରତ ପାଇଁ ୨ଟି ସ୍ବର୍ଣ୍ଣ ପଦକ ଲକ୍ଷିତା ବିନୋଦ ସାଣ୍ଡିଲା ମହିଳା ୧୫୦୦ ମିଟର ଦୌଡ଼ରେ ଏବଂ ମହିଳା ଦଳ ୪ ଗୁଣା ୪୦୦ ମିଟର ରିଲେ ଦଳ ଜିତିଥିଲେ। ୧୫୦୦ ମିଟର ରେସ୍କୁ ଲକ୍ଷିତା ୪:୨୪.୨୩ ସେକେଣ୍ଡ ସମୟ ସହ ଏହି ପଦକ ଜିତିଥିଲେ। ଏଥିସହ ସେ ନିଜର ପୂର୍ବ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ (୪:୨୬.୪୮ ସେକେଣ୍ଡ) କୁ ମଧ୍ୟ ଟପିଥିଲେ। ସେହିପରି ଅନୁଷ୍କା କୁମ୍ଭାର, ରିୟା ପାଟିଲ, କନିସ୍ତା ଟିନା, ରେଜୋଆନା ମଲ୍ଲିକ ହୀନାଙ୍କୁ ନେଇ ଗଠିତ ମହିଳା ୪ ଗୁଣା ୪୦୦ ମିଟର ରିଲେ ଦଳ ୩:୪୦.୪୯ ସେକେଣ୍ଡ ସହ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। ଶିବାଜୀ ପରାଶୁ ମାଦାପ୍ପାଗୌଡ୍ରା ଏବଂ ଭାରତୀୟ ପୁରୁଷ ୪ ଗୁଣା ୪୦୦ ମିଟର ରିଲେ ଦଳ ରୌପ୍ୟ ପଦକ ଜିତିଥିଲେ। ୫୦୦୦ ମିଟର ରେସ୍କୁ ଶିବାଜୀ ୧୪:୪୯.୦୫ ସେକେଣ୍ଡ ସମୟ ସହ ଦ୍ବିତୀୟ ସ୍ଥାନରେ ରହିଥିଲେ। ଦୀପକ ସିଂହ, ଶରଣ ମେଗାଭର୍ନମ, ରିହାନ ଚୌଧୁରୀ ଓ ନଭପ୍ରୀତ ସିଂହଙ୍କୁ ନେଇ ଗଠିତ ପୁରୁଷ ୪ ଗୁଣା ୪୦୦ ମିଟର ରିଲେ ଦଳ ୩:୦୮.୭୮ ସେକେଣ୍ଡ ସହ ରୌପ୍ୟ ପଦକ ପାଇଥିଲେ। ପୁରୁଷ ୧୫୦୦ ମିଟର ଦୌଡ଼ରେ ମେହଦି ହାସନ (୩:୫୬.୦୧ ସେକେଣ୍ଡ) କାଂସ୍ୟ ପଦକ ଜିତିଥିଲେ।