୨୦ ବର୍ଷରୁ କମ୍‌ ବିଶ୍ବ ଦୌଡ଼କୁଦ: ଭାରତୀୟ ମିଶ୍ରିତ ରିଲେ ଦଳକୁ ରୌପ୍ୟ

ନୂଆଦିଲ୍ଲୀ: କଲମ୍ବିଆର କଲିଠାରେ ଚାଲିଥିବା ୨୦ ବର୍ଷରୁ କମ୍‌ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତୀୟ ୪ ଗୁଣା ୪୦୦ ମିଟର ମିଶ୍ରିତ ରିଲେ ଦଳ ରୌପ୍ୟ ପଦକ ଜିତିନେଇଛି। ବରାଥ ଶ୍ରୀଧର, ପ୍ରିୟା ମୋହନ, କପିଲ ଓ ରୂପାଲ ଚୌଧୁରୀଙ୍କୁ ନେଇ ଗଠିତ ରିଲେ ଦଳ ମଙ୍ଗଳବାର ରାତିରେ ୩ ମିନିଟ୍‌ ୧୭.୬୭ ସେକେଣ୍ଡ ସମୟରେ ରେସ୍‌ ଶେଷ କରି ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଆମେରିକା (୩:୧୭.୬୯ ସେକେଣ୍ଡ) ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ମାତ୍ର ୨ ସେକେଣ୍ଡ ପାଇଁ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ରହିଥିଲେ ମଧ୍ୟ ଭାରତୀୟ ଦଳ ହିଟ୍‌ରେ ନିଜ ଏସୀୟ କୀର୍ତ୍ତିମାନ (୩:୧୯.୬୨ ସେକେଣ୍ଡ)ଠୁ ଉନ୍ନତ ପ୍ରଦର୍ଶନ କରିଥିଲା। ଭାରତର ୩:୧୭.୬୭ ସେକେଣ୍ଡର ସମୟ ମଧ୍ୟ ଆମେରିକା ପଛକୁ ଏହି ଇଭଣ୍ଟେରେ ସର୍ବକାଳୀନ ଦ୍ବିତୀୟ ଶ୍ରେଷ୍ଠ ସମୟ ରହିଛି। ଏପରିକି ସମସ୍ତ ୩ ହିଟ୍‌ରେ ଆମେରିକା ପଛକୁ ଦ୍ବିତୀୟରେ ରହି ଫାଇନାଲ୍‌କୁ ଯୋଗ୍ୟତା ହାସଲ କରିଥିଲା। ୨୦ ବର୍ଷରୁ କମ୍‌ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ୪ ଗୁଣା ୪୦୦ ମିଟର ମିଶ୍ରିତ ରିଲେରେ ଭାରତର ଏହା କ୍ରମାଗତ ଦ୍ବିତୀୟ ପଦକ। ଏହା ପୂର୍ବରୁ ଗତ ୨୦୨୧ ସଂସ୍କରଣରେ ଭାରତ ଏହି ଇଭେଣ୍ଟରୁ କାଂସ୍ୟ ପଦକ ଜିତିଥିଲା। ତେବେ ଗତ ସଂସ୍କରଣର କାଂସ୍ୟ ବିଜେତା ଦଳରେ ଏଥରର ଶ୍ରୀଧର, ପ୍ରିୟା ଓ କପିଲ ରହିଥିଲା ବେଳେ ରୂପାଲ କେବଳ ନୂଆ ସଦସ୍ୟ ଭାବେ ସାମିଲ ହୋଇଥିଲେ। ଗତ ସଂସ୍କରଣରେ ଭାରତ ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଥିଲା।

ସମ୍ବନ୍ଧିତ ଖବର