ଭୁବନେଶ୍ବର: ଓଡ଼ିଶାର ବିସ୍ମୟ ଚେସ୍ ଖେଳାଳି ସାତ୍ତ୍ବିକ ସ୍ବାଇଁ ଫିଡେ ୮ ବର୍ଷରୁ କମ୍ ଚେସ୍ ବିଶ୍ବକପ୍ରେ କାଂସ୍ୟ ପଦକ ଜିତିଛନ୍ତି। ଜର୍ଜିଆର ବାତୁମିଠାରେ ଶେଷ ହୋଇଥିବା ଚୂଡ଼ାନ୍ତ ରାଉଣ୍ଡରେ ସାତ୍ତ୍ବିକ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଆଜାରବୈଜାନ୍ର ଆଜାଦ୍ ଖୁଦୁଜାଦେଙ୍କ ବିପକ୍ଷରେ ୧.୫-୦.୫ରେ ଅଗ୍ରଣୀ ପାଇବା ସହ କାଂସ୍ୟ ପଦକ ହାସଲ କରିଥିଲେ। ଫାଇନାଲ୍ ରାଉଣ୍ଡର ପ୍ରଥମ ମ୍ୟାଚ୍ରେ କଳାଗୋଟି ନେଇ ସୋମବାର ସାତ୍ତ୍ବିକ ଖେଳିଥିଲା ବେଳେ ଏହି ମ୍ୟାଚ୍କୁ ଜିତିଥିଲେ। ମଙ୍ଗଳବାର ଦ୍ବିତୀୟ ମ୍ୟାଚ୍କୁ ସେ ଧଳାଗୋଟି ନେଇ ଖେଳିଥିଲେ। ତେବେ ୭୪ତମ ଚାଲ୍ ପରେ ସେ ଏହି ମ୍ୟାଚ୍କୁ ଅମୀମାଂସିତ ରଖିଥିଲେ। ଏହି ଇଭେଣ୍ଟରେ କାଜାଖସ୍ତାନର ରିଜତ ଉଲାନ୍ ସମାନ ସଂଖ୍ୟକ ବ୍ୟବଧାନରେ ଆମେରିକାର ଐଦେନ୍ ଲନ୍ୟୁଆନ୍ ଲି’ଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ସାତ୍ତ୍ବିକ ଆସନ୍ତା ଗୁରୁବାର ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ। ତାଙ୍କର ଏହି ସଫଳତା ପାଇଁ କିଙ୍ଗ ଚେସ୍ ସେଣ୍ଟରର ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଶିକ୍ଷକ ବିଶ୍ୱଜିତ୍ ରାୟଙ୍କ ସହିତ ସମସ୍ତ ପ୍ରଶିକ୍ଷକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ବ୍ୟତୀତ ରାଜ୍ୟ ଚେସ୍ ସଂଘର ସମ୍ପାଦକ ଦେବବ୍ରତ ଭଟ୍ଟ, ଟ୍ରିପଲ ସି ଚେସ୍ କ୍ଲବ୍ର ସମ୍ପାଦକ ବିରଂଚି ନାରାୟଣ ସାହୁ, ସହସମ୍ପାଦକ ଅର୍ଘ୍ୟ ଅର୍ପଣ ପରିଡ଼ା, ଖୋର୍ଦ୍ଧା ଜିଲ୍ଲା ଚେସ୍ ସଂଘ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ, ରାଜ୍ୟ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ସୂର୍ଯ୍ୟକାନ୍ତ ବିଶୋଇ, ସନ୍ଦୀପ ସାମନ୍ତରାୟ, କଟକ ଜିଲ୍ଲା ଚେସ୍ ସଂଘ ସଭାପତି ବିବେକ ତିବରୱାଲ, କେନ୍ଦ୍ରାପଡ଼ା ଜିଲ୍ଲା ଚେସ୍ ସଂଘର ସମ୍ପାଦକ ଭବେଶ ମହାନ୍ତି, ଚାମ୍ପିଅନ ଚେସ୍ ସେଣ୍ଟର୍ର ପ୍ରଶିକ୍ଷକ ପ୍ରଶାନ୍ତ ଜେନା, ଆଇସିଏଫ୍ର ପୂର୍ବତନ ସହସଂପାଦକ ରଞ୍ଜନ ମହାନ୍ତି ଏବଂ ବିଭିନ୍ନ ଜିଲ୍ଲା ଚେସ୍ ସଂଘ ଓ କ୍ଲବ୍ ମଧ୍ୟରୁ ସାତ୍ତ୍ୱିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।