ଅହମଦାବାଦ: ଭାରତ ଚଳିତ ବିଶ୍ବକପ୍‌ର ଏକକ ଆୟୋଜକ ହୋଇଥିବାରୁ ଘରୋଇ ଖେଳାଳିମାନେ ପ୍ରଦର୍ଶନକୁ ନେଇ ଚାପରେ ଅଛନ୍ତି। କିନ୍ତୁ ୧୯୮୩ ଓ ୨୦୧୧ରେ ଯେପରି ଭାରତ ବିଶ୍ବ ବିଜେତା ହୋଇଥିଲା, ଏଥର ମଧ୍ୟ ଦଳ ଏହି ସଫଳତା ଦୋହରାଇ ପାରିବା ଭଳି ଦକ୍ଷତା ରଖୁଥିବା ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କହିଛନ୍ତି। ଅହମଦାବାଦରେ କ୍ୟାପଟେନ୍ସ ମିଟ୍‌ ଅବସରରେ ରୋହିତ ସାମ୍ବାଦିକ ସମ୍ମିଳନୀରେ ଦମ୍ଭୋକ୍ତି ରଖିଛନ୍ତି। ୧୯୮୭, ୧୯୯୬ ଓ ୨୦୧୧ରେ ଭାରତ ପଡ଼ୋଶୀ ଦେଶଙ୍କ ସହ ମିଳିତ ଭାବେ ବିଶ୍ବକପ୍‌ ଆୟୋଜନ କରିଥିଲା। ୧୯୮୭ରେ ଭାରତ ସେମିଫାଇନାଲ୍‌ରେ ଇଂଲଣ୍ଡଠୁ ପରାଜିତ ହୋଇଥିଲା ବେଳେ ୧୯୯୬ରେ ଇଡେନ୍‌ ଗାର୍ଡେନ୍ସରେ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ଦଳ ସେମିଫାଇନାଲ୍‌ରେ ଶ୍ରୀଲଙ୍କାଠୁ ହାରି ଯାଇଥିଲା। କିନ୍ତୁ ୨୦୧୧ରେ ଦଳଗତ ପ୍ରଦର୍ଶନ ବଳରେ ଭାରତ ବିଶ୍ବକପ୍‌ ଟ୍ରଫି ଧରିବାରେ ସଫଳ ହୋଇଥିଲା।

Advertisment

ତେବେ ଚାପ ସଂପର୍କରେ ରୋହିତ କହିଛନ୍ତି ଯେ, ବିଶ୍ବକପ୍‌ର ଇତିହାସ ଏବଂ ଏହି କ୍ରିକେଟ୍‌ ମହାକୁମ୍ଭରେ ଯେଉଁମାନେ ଖେଳିଛନ୍ତି ସେମାନଙ୍କୁ ସେ ଦେଖିଛନ୍ତି। ତେଣୁ ଏଥର ବିଶ୍ବକପ୍‌ରେ ଭାରତର ନେତୃତ୍ବ ନେଉଥିବାରୁ ସେ ଭାଗ୍ୟବାନ୍‌। ମ୍ୟାଚ୍‌ ବେଳେ ଯଦିଓ ସ୍ଥାନୀୟ ଦର୍ଶକଙ୍କ ଆଗରେ ସମସ୍ତେ ଚାପରେ ରହିବେ। ତଥାପି ସେହି ଚାପରୁ କିଭଳି ବାହାରି ହେବ ତାହାକୁ ସ‌ମସ୍ତେ ଜାଣିଛନ୍ତି। ଭାରତ ନିଜ ଦେଶ ଭିତରେ ଖେଳୁ କିମ୍ବା ବାହାରେ ଖେଳୁ, ପ୍ରତ୍ୟେକ ଖେଳାଳି ନିଜନିଜର ଦାୟିତ୍ବକୁ ଭଲଭାବେ ଜାଣିଛନ୍ତି। ଯଦିଓ ଏଥର ଟିକେ କଷ୍ଟ ହୋଇପାରେ, କିନ୍ତୁ ବିଶ୍ବକପ୍‌ ପାଇଁ ଆମେ ଭଲ ପ୍ରସ୍ତୁତି କରିଥିବାରୁ ତାହା ପ୍ରତ୍ୟେକ ମ୍ୟାଚ୍‌ ପୂର୍ବରୁ ଆତ୍ମବିଶ୍ବାସ ବଢ଼ାଇବ ବୋଲି ରୋହିତ କହିଛନ୍ତି। ଗତ ତିନୋଟି ସଂସ୍କରଣରେ ଘରୋଇ ଦଳ ବିଶ୍ବକପ୍‌ ବିଜେତା ହୋଇଛି। ୨୦୧୧ରେ ଭାରତ, ୨୦୧୫ରେ ଅଷ୍ଟ୍ରେଲିଆ ଓ ୨୦୧୯ରେ ଇଂଲଣ୍ଡ ବିଜେତା ହୋଇଛନ୍ତି। କିନ୍ତୁ ଏହି ଧାରାକୁ ରୋହିତ ଧ୍ୟାନ ଦେଉନାହାନ୍ତି। ଏଥର କ’ଣ ହେବ ତାହା ଚିନ୍ତା କରିବା ଅପେକ୍ଷା ପ୍ରତ୍ୟେକ ମ୍ୟାଚ୍‌ରେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହ ପ୍ରତିଯୋଗିତାକୁ ଉପଭୋଗ କରିବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି। ବିଶ୍ବକପ୍‌ ପୂର୍ବରୁ ଭାରତର ଦୁଇଟି ୱାର୍ମ ଅପ୍‌ ମ୍ୟାଚ୍‌ ବର୍ଷାରେ ଧୋଇ ହୋଇଯାଇଥିଲା। ‌ତେଣୁ ବିନା ଅଭ୍ୟାସ ମ୍ୟାଚ୍‌ରେ ଭାରତ ଅକ୍ଟୋବର ୮ ତାରିଖରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ।