ମୁମ୍ବାଇ: ଭାରତୀୟ କ୍ରିକେଟ୍ ପାଇଁ ଜୁନ୍ ୨୫ ତାରିଖର ଢେର ମହତ୍ବ ରହିଛି। ଏହି ଦିନ ହିଁ କପିଳ ଦେବଙ୍କ ନେତୃତ୍ବାଧୀନ ଭାରତ ଦୁର୍ଦ୍ଧର୍ଷ ତଥା ଦୁଇ ଥର ବିଶ୍ବବିଜେତା ୱେଷ୍ଟଇଣ୍ଡିଜକୁ ହରାଇ ପ୍ରଥମ ଥର ପାଇଁ ବିଶ୍ବକପ୍ ଜିତିବାର ଗୌରବ ଅର୍ଜନ କରିଥିଲା। ଏକ ସାଧାରଣ ଦଳ ଭାବେ ଅଭିଯାନ ଆରମ୍ଭ କରଥିବା କପିଳ ବାହିନୀ କେତେକ ଅସାଧାରଣ ବିଜୟ ହାସଲ କରି କେବଳ ବିଶ୍ବକପ୍ ଜିତି ନଥିଲା, ବରଂ ଭାରତୀୟ କ୍ରିକେଟ୍ ଇତିହାସରେ ସ୍ବର୍ଣ୍ଣିମ ଓ ସୁନେଲି ଅଧ୍ୟାୟ ବି ଯୋଡ଼ିଦେଇଥିଲା। ସମ୍ଭବତଃ ଏହିଠାରୁ ହିଁ ଭାରତୀୟ କ୍ରିକେଟ୍ରେ ବୈପ୍ଳବିକ ପରିବର୍ତ୍ତନ ଆରମ୍ଭ ହୋଇଥିଲା। ବିଶେଷ କରି ତାରକା ଖଚିତ ତଥା ସର୍ବଶକ୍ତିମାନ ୱେଷ୍ଟଇଣ୍ଡିଜକୁ ଦଳଗତ ପ୍ରଦର୍ଶନ ବଳରେ ଭାରତ ଯେଭଳି ଭାବେ ଧରାଶାୟୀ କରି ବିଜେତା ମୁକୁଟ ପିନ୍ଧିଥିଲା, ତାହା ସବୁ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୩୭ ବର୍ଷ ତଳର ସେହି ଅବିଶ୍ବସନୀୟ ଓ ନାଟକୀୟ ବିଶ୍ବ ବିଜୟ ନିଶ୍ଚିତ ଭାବେ ଭାରତୀୟ କ୍ରିକେଟ୍କୁ ନୂଆ ମୋଡ଼ ଦେଇଥିଲା। ମହତ୍ବପୂର୍ଣ୍ଣ କଥା ହେଲା ଭାରତ ୧୯୮୩ ବିଶ୍ବକପ୍ରେ ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରି ସମସ୍ତଙ୍କ ପସନ୍ଦର ଦଳ ୱେଷ୍ଟଇଣ୍ଡିଜକୁ ଥରେ ନୁହେଁ ଦୁଇ ଥର ପରାସ୍ତ କରିଥିଲା। ଲିଗ୍ ପର୍ଯ୍ୟାୟରେ ଇଣ୍ଡିଜ୍କୁ ୩୪ ରନ୍ରେ ହରାଇବା ପରେ ହାଇଭୋଲଟେଜ୍ ଫାଇନାଲରେ ୪୩ ରନ୍ରେ ହରାଇ ବିଶ୍ବ କ୍ରିକେଟ୍ର ନୂଆ ସମ୍ରାଟ ଭାବେ ଉଭା ହୋଇଥିଲା। ଐତିହାସିକ ଲର୍ଡସ ପଡ଼ିଆରେ ଇଂଲଣ୍ଡ ଯୁବରାଜ ପ୍ରିନ୍ସ ଚାର୍ଲସଙ୍କଠାରୁ କପିଳ ଯେତେବେଳେ ବିଶ୍ବକପ୍ ଗ୍ରହଣ କରିଥିଲେ, ଖୁସିରେ ସବୁ ଭାବବିହ୍ବଳ ଭାରତୀୟଙ୍କ ଆଖିରୁ ଲୋତକ ଝରି ଯାଇଥିଲା। ସେହିଭଳି ଜିମ୍ବାୱେ ବିପକ୍ଷରେ କପିଳଙ୍କ ବିସ୍ଫୋରକ ୧୭୫ ରନ୍ ପାଳିକୁ କେହି ଭୁଲି ପାରୁ ନଥିଲେ।
ଭାରତ ୧୮୩: ଇଣ୍ଡିଜ୍ ୧୪୦
ପ୍ରୁଡେନସିଆଲ୍ କପ୍ ଭାବେ ପରିଚିତ ୧୯୮୩ ବିଶ୍ବକପ୍ର ଫାଇନାଲ୍ ଖେଳାଯିବା ଆଗରୁ କ୍ରିକେଟ୍ ପଣ୍ଡିତମାନେ ବିଜେତା ଦଳକୁ ଆପାତତଃ ବାଛି ସାରିଥିଲେ। ବିଗତ ଦୁଇ ସଂସ୍କରଣର ବିଜେତା ଥିବା ୱେଷ୍ଟଇଣ୍ଡଜ୍ ଅତି ସହଜରେ ଭାରତକୁ ଧୂଳି ଚଟାଇ ହ୍ୟାଟ୍ରିକ୍ କରିବ ବୋଲି ସେମାନେ ଭବିଷ୍ୟବାଣୀ କରିଥିଲେ। ଐତିହାସିକ ଲର୍ଡସ ପଡ଼ିଆରେ ଏହି ଫାଇନାଲ ଲଢ଼େଇର ଫଳାଫଳ ଏକତରଫା ଭାବେ ଇଣ୍ଡିଜ୍ ସପକ୍ଷରେ ଯିବ ବୋଲି ଅନେକ କହି ବୁଲିଥିଲେ। ଭାରତ ଟସ୍ ହାରିବା ସେମାନଙ୍କ ଭାବନାକୁ ଆହୁରି ପ୍ରଗାଢ଼ କରିଦେଇଥିଲା। ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଏହି ୬୦ ଓଭରିଆ ମୁକାବିଲାରେ ଭାରତ ମଧ୍ୟ ୧୮୩ ରନ୍ର ଛୋଟିଆ ସ୍କୋର କରିଥିଲା। କିଂବଦନ୍ତି ଗାଭାସ୍କର ବିଫଳ ହେବା ପରେ ଶ୍ରୀକାନ୍ତ ହିଁ ଦଳ ପକ୍ଷରୁ ସର୍ବାଧିକ ୩୮ ରନ୍ କରିଥିଲେ। ସନ୍ଦୀପ ପାଟିଲଙ୍କ ୨୭ ଓ ମହିନ୍ଦର ଅମରନାଥଙ୍କ ୨୬ ରନ୍ ସହ ଶେଷ ଆଡ଼କୁ ମଦନଲାଲ (୧୭), ସୟଦ କିର୍ମାନୀ (୧୪) ଓ ବଲବିନ୍ଦର ସାନ୍ଧୁ (୧୧)ଙ୍କ ଉପଯୋଗୀ ବ୍ୟାଟିଂ ପାଇଁ ଭାରତ କଷ୍ଟେମଷ୍ଟେ ଏହି ସ୍କୋରରେ ପହଞ୍ଚିଥିଲା। ୫୪.୪ ଓଭରରେ ହିଁ ଭାରତ ଅଲଆଉଟ୍ ହୋଇଯାଇଥିଲା। ଗର୍ଡନ୍ ଗ୍ରିନିଚ୍, ଦେସମଣ୍ଡ ହେନ୍ସ, ଭିଭିଆନ୍ ରିଚାର୍ଡସ ଓ କ୍ଲାଇବ୍ ଲୟଡଙ୍କ ଭଳି ଖେଳାଳି ଥିବାରୁ ୧୮୪ ରନ୍ର ଲକ୍ଷ୍ୟକୁ ହାସଲ କରିବା ୱେଷ୍ଟଇଣ୍ଡିଜ୍ ପାଇଁ ଆଦୌ କଷ୍ଟକର ହେବ ନାହିଁ ବୋଲି ଅନୁମାନ କରାଯାଉଥିଲା। ହେଲେ ଭାରତୀୟ ବୋଲର ଭିନ୍ନ ଯୋଜନାରେ ଥିଲେ। ସାନ୍ଧୁ ମାତ୍ର ୫ ରନ୍ର ଦଳୀୟ ସ୍କୋରରେ ଗ୍ରିନିଚ୍ଙ୍କୁ ବୋଲ୍ଡ କରିବା ପରେ ଭାରତୀୟ ବୋଲର ନିୟମିତ ୱିକେଟ୍ ନେଇ ଚାଲିଥିଲେ। ମଦନ ଲାଲଙ୍କ ବଲ୍ରେ ବିସ୍ଫୋରକ ବ୍ୟାଟିଂ କରୁଥିବା ରିଚାର୍ଡସଙ୍କୁ କପିଳ ଚତୁରତାର ସହ କ୍ୟାଚ୍ ଧରି ପ୍ୟାଭିଲିୟନ ଫେରାଇବା ପରେ ମ୍ୟାଚ୍ ଭାରତ ଆଡ଼କୁ ଢଳିଥିଲା। ଶେଷ ୱିକେଟ୍ ଭାବେ ମାଇକେଲ୍ ହୋଲ୍ଡିଂଙ୍କୁ ଅମରନାଥ ୫୨ତମ ଓଭରରେ ଆଉଟ୍ କରିବା ପରେ କ୍ରିକେଟ୍ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଥିଲା। ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍ ମାତ୍ର ୧୪୦ ରନ୍ରେ ଅଲଆଉଟ୍ ହୋଇ ବିଶ୍ବକପ୍ ହାତଛଡ଼ା କରିଥିଲା। ଭାରତ ରୂପରେ କ୍ରିକେଟ୍ ଦୁନିଆରେ ନୂତନ ସୂର୍ଯ୍ୟର ଉଦୟ ହୋଇଥିଲା। ସେପଟେ ୱେଷ୍ଟଇଣ୍ଡିଜ୍ ନିଜ ଭାଗ୍ୟକୁ ବିଶ୍ବାସ କରି ପାରୁ ନଥିଲା।
ଭାରତର ବିଜୟ ପଥ
୧୯୮୩ ମସିହା ବିଶ୍ବକପ୍ ଇଂଲଣ୍ଡ (ଆୟୋଜକ), ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍, ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ଜିମ୍ବାୱ ଭଳି ଆଠଟି ଦଳକୁ ନେଇ ଆୟୋଜିତ ହୋଇଥିଲା। ଗ୍ରୁପ୍-ଏ’ରେ ଇଂଲଣ୍ଡ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ଥିଲେ। ଗ୍ରୁପ୍-ବି’ରେ ଭାରତ, ୱେଷ୍ଟଇଣ୍ଡିଜ୍ , ଅଷ୍ଟ୍ରେଲିଆ ଓ ଜିମ୍ବାୱେ ସ୍ଥାନ ପାଇଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହିଁ ଭାରତ ଅଭିଯାନ ଆରମ୍ଭ କରିଥିଲା। ଅପ୍ରତ୍ୟାଶିତ ଭାବେ ଏହି ମୁକାବିଲାକୁ ସହଜରେ ଜିତି ନେଇଥିଲା। ଶେଷରେ ଫାଇନାଲ୍ରେ ସେହି ୱେଷ୍ଟଇଣ୍ଡିଜ ଦଳକୁ ହରାଇ ବିଶ୍ବ ବିଜେତା ହୋଇଥିଲା। ପ୍ରଥମ ମୁକାବିଲାରେ ଇଣ୍ଡିଜ୍କୁ ୩୪ ରନ୍ରେ ହରାଇବା ପରେ ଫାଇନାଲରେ ଭାରତ ଏହାର ଠିକ୍ ଓଲଟା ସଂଖ୍ୟା ଅର୍ଥାତ୍ ୪୩ ରନ୍ରେ ହରାଇବା ଏକ ନିଆରା ସଂଯୋଗ ଥିଲା।