ଈଶାନଙ୍କ ଅବିସ୍ମରଣୀୟ ଦ୍ବିଶତକ

ଭାରତର ବୃହତ୍‌ ବିଜୟ, ବାଂଲାଦେଶ ୨-୧ରେ ଶୃଙ୍ଖଳା ଜିତିଲା

ଚଟ୍ଟୋଗ୍ରାମ : ରୋହିତ ଶର୍ମାଙ୍କ ବଦଳ ଖେଳାଳି ଭାବେ ଆସିଥିବା ସୁଯୋଗକୁ ଦୁଇ ହାତରେ ମାଡ଼ି ବସିବା ସହିତ ଈଶାନ କିଶନ ନିଜ ନାମକୁ ରେକର୍ଡ ବହିରେ ଲେଖି ଦେଇଛନ୍ତି। ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍‌ ଇତିହାସରେ ଦ୍ରୁତତମ ଦ୍ବିଶତକ (୧୨୬ ବଲ୍‌) ହାସଲ କରି କ୍ରିସ୍ ଗେଲ୍‌ଙ୍କ ନାମରେ ଥିବା ରେକର୍ଡ (୧୩୮ ବଲ୍‌)କୁ ପଛରେ ପକାଇ ଦେଇଛନ୍ତି। ଏକାଧିକ କୀର୍ତ୍ତିମାନ ମଧ୍ୟ ଏହି ପାଳିରେ ସାମିଲ ରହିଛି। ବିରାଟ କୋହଲି ମଧ୍ୟ ତାଙ୍କ ବହୁ ପ୍ରତୀକ୍ଷିତ ଦିନିକିଆ ଶତକ ସହିତ ଅନ୍ତର୍ଜାତୀୟ ଶତକରେ ରିକି ପଣ୍ଟିଂକୁ ପଛରେ ପକାଇ ଦ୍ବିତୀୟ ସ୍ଥାନକୁ ଉଠିଛନ୍ତି। ଏଥି ସହିତ ଭାରତ ମଧ୍ୟ ବାଂଲାଦେଶ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆକୁ ୨୨୭ ରନ୍‌ର ବଡ଼ ବ୍ୟବଧାନରେ ଜିତି ସାନ୍ତ୍ବନା ଅର୍ଜନ କରିଛି। ଘରୋଇ ଦଳ ୨-୧ରେ ଶୃଙ୍ଖଳା ଜିତିଥିଲେ ମଧ୍ୟ ଭାରତୀୟ ଦଳ ସମ୍ମାନର ସହ ସୀମିତ ଓଭର ଶୃଙ୍ଖଳାକୁ ଶେଷ କରିଛି। ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଆତ୍ମବିଶ୍ବାସ ଅର୍ଜନ କରିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଭାରତ ୫୦ ଓଭରରେ ୮ ୱିକେଟ୍ ହରାଇ ୪୦୯ ରନ୍‌ ସଂଗ୍ରହ କରିଥିଲା। ଈଶାନ କିଶନ ପ୍ରଥମରୁ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରି ଥମିବାର ନା ଧରିନଥିଲେ। ଭାରତ ପ୍ରଥମ ଦୁଇ ଦିନିକିଆରେ ୨୦୦ ରନ୍‌ ସଂଗ୍ରହ ପାଇଁ ସଂଘର୍ଷ କରୁଥିବା ବେଳେ ଈଶାନ ନିଜେ ବ୍ୟକ୍ତିଗତ ଭାବେ ଦ୍ବିଶତକ (୨୧୦ ରନ୍‌, ୧୩୧ ବଲ୍‌, ୨୪‌ ଚୌକା, ୧୦ ଛକା) ହାସଲ କରି ବିଶ୍ବକପ୍‌ ପୂର୍ବରୁ ଭାରତୀୟ ଚୟନକର୍ତାଙ୍କୁ ବଡ଼ ସଙ୍କେତ ଦେଇଛନ୍ତି। ମାତ୍ର ୮୫ ବଲ୍‌ରୁ ନିଜ ପ୍ରଥମ ଦିନିକିଆ ଶତକ ହାସଲ କରିବା ପରେ ଏହି ବାମହାତୀ ଝାଡ଼ଖଣ୍ଡ ବ୍ୟାଟର୍‌ ଅଧିକ ଭୟଙ୍କର ବ୍ୟାଟିଂ କରିଥିଲେ। ପରବର୍ତୀ ୪୧ ବଲ୍‌ରୁ ଦ୍ବିତୀୟ ଶତକ ପୂର୍ଣ୍ଣ କରିନେଇଥିଲେ। ୧୨୬ ବଲ୍‌ ଦ୍ବିଶତକ ସହିତ କ୍ରିସ୍ ଗେଲଙ୍କ ନାମରେ ୭ ବର୍ଷ ଧରି ରହିଥିବା ଦ୍ରୁତତମ ଦିନିକିଆ ଦ୍ବିଶତକ ପଛରେ ପଡ଼ିଯାଇଥିଲା।

୨୦୧୫ ବିଶ୍ବକପ୍‌ରେ ଗେଲ୍ ଜିମ୍ବାୱେ ବିପକ୍ଷରେ ୧୩୮ ବଲ୍‌ରୁ ଦ୍ବିଶତକ ପୂର୍ଣ୍ଣ କରିଥିଲେ। ଈଶାନଙ୍କ ଦ୍ବିଶତକ ମଧ୍ୟ ସମସ୍ତ ଫର୍ମାଟରେ ଦ୍ରୁତତମ ସାବ୍ୟସ୍ତ ହୋଇଛି। ଟେଷ୍ଟ୍‌ କ୍ରିକେଟ୍‌ରେ ନାଥନ୍ ଆଷ୍ଟଲଙ୍କ ୧୫୩ ବଲ୍‌ ଦ୍ବିଶତକ ମଧ୍ୟ ପଛରେ ପଡ଼ିଯାଇଛି। ଈଶାନଙ୍କ ଦ୍ବିଶତକ ପାଳି ସହିତ ବିରାଟ କୋହଲିଙ୍କ ୪୪ତମ ଦିନିକିଆ ଶତକ (୧୧୩, ୯୧ ବଲ୍‌, ୧୧ ଚୌକା, ୨ ଛକା) ମଧ୍ୟ ଭାରତ ପାଳିକୁ ଗତିଶୀଳ କରିଥିଲା। ଈଶାନ ଓ କୋହଲି ଦ୍ବିତୀୟ ୱିକେଟ୍ ପାଇଁ ୨୯୦ ରନ୍‌ ଯୋଡ଼ିଥିଲେ। ବଂଲାଦେଶ ବିପକ୍ଷରେ ଏହା ଯେକୌଣସି ୱିକେଟ୍‌ ପାଇଁ ସର୍ବୋଚ୍ଚ ହୋଇଛି। ଭାରତର ୪୦୯ ରନ୍ ଜବାବରେ ବାଂଲାଦେଶ ୧୮୨ ରନ୍‌ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଅର୍ଥାତ ଈଶାନଙ୍କ ପାଳି ସ୍କୋର୍‌ଠାରୁ ବାଂଲାଦେଶ ଦଳୀୟ ସ୍କୋର୍‌ ୨୮ ରନ୍‌ କମ୍ ଥିଲା। ଭାରତର ସମସ୍ତ ୬ ବୋଲର ୱିକେଟ୍ ବାଣ୍ଟି ନେଇଥିବା ବେଳେ ଶାର୍ଦୁଳ ଠାକୁର ସର୍ବାଧିକ ୩ଟି ପାଇଥିଲେ।

୧୨୧୪ ଦିନ ପରେ କୋହଲିଙ୍କ ଦିନିକିଆ ଶତକ: ପଣ୍ଟିଂଙ୍କୁ ଟପିଲେ
ଈଶାନ କିଶନଙ୍କ ସହ ଦ୍ବିଶତକ ଭାଗୀଦାରି କରିବା ଅବସରରେ ବିରାଟ କୋହଲି ମଧ୍ୟ ପଛରେ ପଡ଼ିଯାଇନଥିଲେ। ଈଶାନଙ୍କ ପାଳିକୁ ଉପଭୋଗ କରିବା ସହ ତାଙ୍କୁ ଉତ୍ସାହିତ କରିଥିବା କୋହଲି ନିଜ ୪୪ତମ ‌ଦିନିକିଆ ଶତକ ପୂର୍ଣ୍ଣ କରିଥିଲେ। ଚଳିତ ବର୍ଷ ଏସିଆ କପ୍‌ ଅବସରରେ ଦୀର୍ଘ ଦୁଇ ବର୍ଷ ପରେ ଅନ୍ତର୍ଜାତୀୟ ଶତକ ମରୁଡ଼ିର ଅନ୍ତ ଘଟାଇଥିବା କୋହଲି ଶନିବାର ୧୨୧୪ ଦିନ (ପ୍ରାୟ ୪୦ ମାସ) ପରେ ଦିନିକିଆ ଶତକ ମାରିଛନ୍ତି। ୨୫ଟି ଦିନିକିଆ ପାଳି ଖେଳି ଏହି ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି। ଈଶାନଙ୍କ ଭଳି କୋହଲି ମଧ୍ୟ ସମାନ ୮୫ ବଲ୍‌ରୁ ଶତକ ପୂର୍ଣ୍ଣ କରିଥିଲେ। ‌ଶେଷ ଥର ପାଇଁ କୋହଲି ୨୦୧୯ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଦିନିକିଆ ଶତକ ହାସଲ କରିଥିଲେ। କୋହଲିଙ୍କ ୪୪ତମ ଶତକ ତାଙ୍କୁ ମଧ୍ୟ ରିକି ପଣ୍ଟିଂଙ୍କୁ ପଛରେ ପକାଇବାରେ ସକ୍ଷମ କରାଇଛି। ପଣ୍ଟିଂ ୭୧ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। କୋହଲିଙ୍କ ଅନ୍ତର୍ଜାତୀୟ ଶତକ ୭୨ରେ ପହଞ୍ଚିଛି। କେବଳ ସଚିନ ତେନ୍ଦୁଲକର (୧୦୦) ଏବେ କୋହଲିଙ୍କ ଆଗରେ ରହିଛନ୍ତି। ସଚିନଙ୍କ ଦିନିକିଆ ଶତକ ରେକର୍ଡ (୪୯)ଠାରୁ କୋହଲି ୫ ଦୂରରେ ଏବଂ ଅନ୍ତର୍ଜାତୀୟ ଶତକ ରେକର୍ଡଠାରୁ ୨୮ ଦୂରରେ ରହିଛନ୍ତି। କୋହଲି ମଧ୍ୟ ଶନିବାର ବାଂଲାଦେଶରେ ୧୦୦୦ ଦିନିକିଆ ରନ୍‌ ଅତିକ୍ରମ କରିଥିଲେ। ସେନ୍‌ ୱାଟସନ୍‌ଙ୍କ ପରେ ସେ ଦ୍ବିତୀୟ ଖେଳାଳି ହୋଇଛନ୍ତି। ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ବାଂଲାଦେଶ ୩ଟି ଦେଶରେ ୧୦୦୦ରୁ ଊର୍ଧ୍ବ ଦିନିକିଆ ରନ୍‌ କରିବାରେ କୋହଲି ଅନ୍ୟତମ‌ ଖେଳାଳି ହୋଇଛନ୍ତି।

ସମ୍ବନ୍ଧିତ ଖବର