ସିଡ୍‌ନିରେ ଅଭୁଲା ଡ୍ର’, ଅଷ୍ଟ୍ରେଲିଆ ସ୍ତବ୍ଧ: ଅପମାନର ଉଚିତ ଜବାବ ଦେଲା ଭାରତ

ଫେରିଲା ‘ଧୈର୍ଯ୍ୟ’ ‘ହନୁମା-ଅଶ୍ବିନ’ ଅଭେଦ୍ୟ ପ୍ରାଚୀର

ସିଡ୍‌ନି: ଅସଭ୍ୟ ଓ ଅଶୋଭନୀୟ ବର୍ଣ୍ଣବୈଷମ୍ୟ ଆକ୍ଷେପ, ଆଘାତପ୍ରାପ୍ତ ଖେଳାଳିଙ୍କ ଲମ୍ବା ଧାଡ଼ି ଏବଂ ବାଉନ୍ସର, ସଟ୍‌ପିଚ୍ ବଲ୍‌ର ଝଡ଼ ସହ ପଞ୍ଚମ ଦିନର ଅତ୍ୟନ୍ତ କଠୋର ଓ କଷ୍ଟକର ପିଚ୍‌ ସତ୍ତ୍ବେ ଅଦମ୍ୟ ସାହସ, ଅଭୂତପୂର୍ବ ଏକାଗ୍ରତା‌ ତଥା କେବେ ବି ହାର ମାନିବାର ବଳିଷ୍ଠ ଲଢ଼ୁଆ ପ୍ରବୃତ୍ତି ଦେଖାଇ ନାଟକୀୟ ତଥା ଘଟଣା ବହୁଳ ସିଡ୍‌ନି ଟେଷ୍ଟ୍‌କୁ ଅମୀମାଂସିତ ରଖିବାର ଅସମ୍ଭବ ଲକ୍ଷ୍ୟକୁ ସମ୍ଭବ କରିଛି ଭାରତୀୟ କ୍ରିକେଟ୍ ଦଳ। ଅତ୍ୟନ୍ତ ମନ୍ଥର ଓ ନିର୍ଜୀବ ୱିକେଟ୍‌ରେ ୧୫୦ କିଲୋମିଟରରୁ ଅଧିକ ବେଗରେ ଆସୁଥିବା ବଲ୍‌ ଶରୀରର ବିଭିନ୍ନ ସ୍ଥାନରେ ବାଜିବାର ଅସହ୍ୟ କଷ୍ଟକୁ ବେଖାତିର କରି ଭାରତୀୟ ଖେଳାଳିମାନେ ସୋମବାର ଶକ୍ତିଶାଳୀ ଅଷ୍ଟ୍ରେଲିଆ ପଞ୍ଝାରେ ଥିବା ବିଜୟକୁ ଡ୍ର’ରେ ରୂପାନ୍ତର କରିବା ଟେଷ୍ଟ୍‌ କ୍ରିକେଟ୍‌ର ଶୀର୍ଷସ୍ତରୀୟ ରୋମାଞ୍ଚ ଓ ବଲ୍-ବ୍ୟାଟ୍ ମହାମୁକାବିଲାର ଅନ୍ୟତମ ସ୍ମରଣୀୟ ତଥା ଐତିହାସିକ ଉଦାହରଣ ପାଲଟିଛି। ସବୁ ବିଷମ ପରିବେଶ ଓ ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରି ଭାରତ ଆଜି ଯେଉଁ ‌ଧୈର୍ଯ୍ୟପୂର୍ଣ୍ଣ ଓ ରକ୍ଷଣାତ୍ମକ ବ୍ୟାଟିଂର ବୀରତ୍ବ ଦେଖାଇଲା, ତାହା ମଧ୍ୟ କ୍ରିକେଟ୍ ଇତିହାସର ଅନ୍ୟତମ ସଫଳ ଅଧ୍ୟାୟ ହୋଇଛି। ଏଥିସହ ଟେଷ୍ଟ୍‌ କ୍ରିକେଟ୍‌ ଯେଉଁ ଧୈର୍ଯ୍ୟର ଖେଳ ଭାବେ ପରିଚିତ ଥିଲା, ତାହା ପୁଣି ଫେରିଛି।
ରବୀନ୍ଦ୍ର ଜାଦେଜାଙ୍କ ବୁଢ଼ା ଆଙ୍ଗୁଠି ଭାଙ୍ଗିବା, ଋଷବ ପନ୍ତ ଆଘାତପ୍ରାପ୍ତ ହୋଇ ପାଖାପାଖି ଦୁଇ ଦିନ ପର୍ଯ୍ୟନ୍ତ ୱିକେଟ୍ ରକ୍ଷଣ କରି ନପାରିବା, ହନୁମା ବିହାରୀଙ୍କ ମାଂସପେଶୀରେ ଯନ୍ତ୍ରଣା ଏବଂ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତି ପରେ ବି ଭାରତ ଏହି ମ୍ୟାଚ୍‌କୁ ଅମୀମାଂସିତ ରଖି ଅଷ୍ଟ୍ରେଲିଆ ବିପକ୍ଷରେ ନୈତିକ ଓ ମନସ୍ତାତ୍ବିକ ବିଜୟ ହାସଲ କରିଛି। ଭାରତୀୟ ଖେଳାଳିଙ୍କୁ ଜାତିଆଣ ଟିପ୍ପଣୀ ଦେଇଥିବା ଉପଦ୍ରବୀ ସିଡ୍‌ନି ଦର୍ଶକଙ୍କ ଗାଲରେ ଭାରତର ଏହି ଲଢ଼ୁଆ ବ୍ୟାଟିଂ ଶକ୍ତ ଚାପୁଡ଼ାଠାରୁ ବି କିଛି କମ୍ ନଥିଲା। ସେପଟେ ମ୍ୟାଚ୍‌କୁ ସାଢ଼େ ଚାରି ଦିନ ପର୍ଯ୍ୟନ୍ତ ନିଜ ନିୟନ୍ତ୍ରଣରେ ରଖିଥିବା କଙ୍ଗାରୁ ଦଳ ନିଜ ଭାଗ୍ୟକୁ ଆଦୌ ବିଶ୍ବାସ କରି ପାରୁନି। ଚାରି ଟିକିଆ ଶୃଙ୍ଖଳାର ତିନିଟି ଲଢ଼େଇ ପରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିବା ପରେ ବ୍ରିସବେନ୍‌ରେ ୧୫ ତାରିଖରୁ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ୍‌ର ମହତ୍ବ ବଢ଼ିଛି। ଏହାକୁ ଜିତିଲେ କିମ୍ବା ଅମୀମାଂସିତ ରଖି ପାରିଲେ ଗତ ଶୃଙ୍ଖଳା ବିଜୟ ସଫଳତା ବଳରେ ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ନିଜ ପାଖରେ ରଖିବ।

‘ହନୁମା-ଅଶ୍ବିନ’ ଅଭେଦ୍ୟ ପ୍ରାଚୀର
୪୦୭ ରନ୍‌ର ଅସମ୍ଭବ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ଯେତେବେଳେ ୨୭୨ ରନ୍‌‌ରେ ଅଧାଦଳ ହରାଇଲା ସେତେବେଳେ ଟିମ୍ ଇଣ୍ଡିଆ ପରାଜୟ ଏକପ୍ରକାର ପକ୍କା ବୋଲି ଚର୍ଚ୍ଚା ଆରମ୍ଭ ‌ହୋଇ ଯାଇଥିଲା। ରନ୍ ନେଲା ବେଳେ ସଂପୂର୍ଣ୍ଣ ସୁସ୍ଥ ନଥିବା ହନୁମା ବିହାରୀ (୨୩* ରନ୍, ୧୬୧ ବଲ୍, ୪ ଚୌକା)ଙ୍କ ଗୋଡ଼ରେ ପବନ ଅଟକି ଯିବା ସ୍ଥିତିକୁ ଆହୁରି ସଙ୍ଗିନ କରିଥିଲା। ଅନ୍ୟପଟରେ ସାହସର ସହ ଥାଟ ସମ୍ଭାଳିଥିବା ଆର୍‌ ଅଶ୍ବିନଙ୍କୁ ଅଷ୍ଟ୍ରେଲିଆର ତିନି ଦ୍ରୁତ ବୋଲର ଜୋସ୍ ହାଜେଲଉଡ୍, ପ୍ୟାଟ୍ କମିନ୍ସ ଓ ମିଚେଲ ଷ୍ଟାର୍କ ବାଉନ୍ସର ଉପରେ ବାଉନ୍ସର ମାରି ଚାଲିଥିଲେ। ଅଶ୍ବିନଙ୍କ ପିଞ୍ଜରା ହାଡ଼ଠାରୁ ଆରମ୍ଭ କରି କାନ୍ଧ ପର୍ଯ୍ୟନ୍ତ ସବୁଠି ବଲ୍ ବାଜି ଚାଲିଥିଲା। ଗୋଟିଏ ପଟେ ହନୁମା ଦୌଡ଼ିବାକୁ ଅସମର୍ଥ ଥିଲା ବେଳେ ଅନ୍ୟପଟରେ ଅଶ୍ବିନଙ୍କ ଦେହରେ ବଲ୍ ବାଜିବାରୁ ତାଙ୍କୁ ବାରମ୍ବାର ପଡ଼ିଆ ଭିତରେ ଚିକିତ୍ସିତ ହେବାକୁ ପଡ଼ୁଥିଲା। ଏହି ଦୁଇ ଜଣଙ୍କ ଭିତରୁ ଜଣେ ବି କିଏ ଆଉଟ୍ ହୋଇଥିଲେ ବାମହାତ ବୁଢ଼ା ଆଙ୍ଗୁଠି ଭାଙ୍ଗି ଯାଇ ଶୃଙ୍ଖଳାରୁ ବାଦ ପଡ଼ି ସାରିଥିବା‌ ରବୀନ୍ଦ୍ର ଜାଦେଜାଙ୍କୁ ବ୍ୟାଟିଂ ପାଇଁ ଆସିବାକୁ ପଡ଼ିଥା’ନ୍ତା। ଏଣୁ ହନୁମା-ଅଶ୍ବିନଙ୍କ ଉପରେ ସବୁକିଛି ନିର୍ଭରଶୀଳ ଥିଲା। ଉଭୟ ମଧ୍ୟ ନିରାଶ କରି ନଥିଲେ। ନିଜ ନିଜ ବ୍ୟାଟ୍‌କୁ ହନୁମାନଙ୍କ ଗଦା ଭଳି ଅଭେଦ୍ୟ ଓ ଅକାଟ୍ୟ କରି ଦୀର୍ଘ ୪୨.୪ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ ହନୁମା-ଅଶ୍ବିନ। ଉଭୟ ମିଳିତ ଭାବେ ୨୮୯ ମିନିଟ୍ ବା ପାଖାପାଖି ୫ ଘଣ୍ଟା ବ୍ୟାଟିଂ କରିବା ସହ ଅଷ୍ଟ୍ରେଲିଆକୁ ଆଉ ୱିକେଟ୍ ନେବାର ସୁଯୋଗ ଦେଇ ନଥିଲେ। ଏହି ଦୁଇ ଜଣଙ୍କ ବ୍ୟାଟିଂ ସୋମବାର ନିଜ ୪୮ତମ ଜନ୍ମ ଦିବସ ପାଳନ କରିଥିବା ‘ଦି ୱାଲ’ ରାହୁଲ ଦ୍ରାବିଡ଼ଙ୍କୁ ମଧ୍ୟ ନିଶ୍ଚିତ ଭାବେ ଗର୍ବିତ କରିଥିବ। ପ୍ରତିପକ୍ଷ ଅଧିନାୟକ ଟିମ୍ ପେନ୍ ୱିକେଟ୍ ଚାରିପଟେ ୬ରୁ ଅଧିକ ଖେଳାଳି ରଖି ନିୟମିତ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ହନୁମା-ଅଶ୍ବିନଙ୍କ ଏକାଗ୍ରତା କୌଣସି ମତେ ଭାଙ୍ଗି ପାରି ନଥିଲେ।

ରନ୍ ଅପେକ୍ଷା ସମୟ ଉପରେ ଅଧିକ ଧ୍ୟାନ ଦେଇ ଅବିଭାଜିତ ଷଷ୍ଠ ୱିକେଟ୍‌ରେ ଏମାନେ ଧୈର୍ଯ୍ୟପୂର୍ଣ୍ଣ ୬୨ ରନ୍ ଯୋଡ଼ିବା ପରେ ଭାରତ ଶେଷ ଦିନର ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଅସମାପ୍ତ ଦ୍ବିତୀୟ ପାଳିରେ ୫ ୱିକେଟ୍ ବିନିମୟରେ ୩୩୪ ରନ୍ କରି ମ୍ୟାଚ୍ ବଞ୍ଚାଇ ନେଇଥିଲା। ଭାରତ ୧୮ ବର୍ଷ ପରେ କୌଣସି ଟେଷ୍ଟ୍‌ର ଚତୁର୍ଥ ପାଳିରେ ୧୦୦ରୁ ଅଧିକ ଓଭର ବ୍ୟାଟିଂ କରିଥିଲା। ଏହି ଘଟଣା ବହୁଳ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ପାଳିରେ ଅଷ୍ଟ୍ରେଲିଆର ୩୩୮ ରନ୍ ଜବାବରେ ଭାରତ ମାତ୍ର ୨୪୪ ରନ୍ କରିଥିଲା। ଅଷ୍ଟ୍ରେଲିଆ ତା’ ଦ୍ବିତୀୟ ପାଳିକୁ ୩୧୨/୬ରେ ଘୋଷଣା କରିବା ପରେ ଭାରତ ସମ୍ମୁଖରେ ୪୦୭ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ପ୍ରଥମ ପାଳିରେ ୧୩୧ ଓ ଦ୍ବିତୀୟରେ ୮୧ ରନ୍ କରିଥିବା ଷ୍ଟିଭେନ୍ ସ୍ମିଥ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପନ୍ତ ପ୍ରହାରରେ ନୂଆ ମୋଡ଼
ଆଶା ଓ ଆଶଙ୍କା ଭିତରେ ଆଜି ପଞ୍ଚମ ଦିନର ଖେଳ ଆରମ୍ଭ ବେଳକୁ କେହି କେବେ ସ୍ବପ୍ନରେ ବି ଭାବି ନଥିଲେ ଯେ ଭାରତ ମ୍ୟାଚ୍ ବଞ୍ଚାଇ ନେବ। ଆସନ୍ନ ପରାଜୟକୁ ଟାଳିବା ଲାଗି ଭାରତକୁ ୯୭ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିବାର ଦରକାର ଥିଲା ବେଳେ ହାତରେ ଆଉ ୮ ୱିକେଟ୍ ବଞ୍ଚିଥିଲା। ଦିନର ଦଶମ ବଲ୍‌ରେ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ନାଥନ ଲାୟନ ଶିକାର କରିନେବା‌ କଙ୍ଗାରୁ ଶିବିରରେ ଉତ୍ସାହ ଭରି ଦେଇଥିଲା। ଭାରତୀୟ ପ୍ରଶଂସକଙ୍କୁ କିନ୍ତୁ ସମ୍ଭାବ୍ୟ ପରାଜୟର ଦୁଃଖ ଓ ହତାଶା ଗ୍ରାସ କରି ନେଇଥିଲା। ହେଲେ ସିଡ୍‌ନି ପଡ଼ିଆରେ ନୂଆ କମାଲ କରିବାକୁ ଭାରତୀୟ ଖେଳାଳିମାନେ ଯେମିତି ପ୍ରତିଜ୍ଞା କରି ସାରିଥିଲେ। ହନୁମା ବିହାରୀଙ୍କ ବଦଳରେ ଋଷବ ପନ୍ତ ପଞ୍ଚମ ସ୍ଥାନରେ ବ୍ୟାଟିଂ ଆସିବା ପୂରା ମାଷ୍ଟର ଷ୍ଟ୍ରୋକ୍ ଥିଲା। ପନ୍ତ ଆରମ୍ଭରୁ ଘରୋଇ ‌ବୋଲରଙ୍କୁ ଘନ ଘନ ପ୍ରତିଆକ୍ରମଣ କରିବା ସହ ଚେତେଶ୍ବର ପୂଜାରା ମଧ୍ୟ ନିଜ ଚତୁର ଷ୍ଟ୍ରୋକ୍ ପ୍ଲେଇଂରେ ସେମାନଙ୍କ ମନୋବଳ ଦୋହଲାଇ ଦେଇଥିଲେ। ପ୍ୟାଟ୍ କମିନ୍ସଙ୍କୁ ହ୍ୟାଟ୍ରିକ୍ ଚୌକା ମାରି ମନ୍ଥର ବ୍ୟାଟିଂ କରିବାର କଳଙ୍କ ବୋଳୁଥିବା ‌କ୍ରିକେଟ୍ ପଣ୍ଡିତମାନଙ୍କୁ ଉଚିତ ଜବାବ ଦେବା ସହ ଟେଷ୍ଟ୍ କ୍ରିକେଟ୍‌ରେ ଏକାଦଶ ଭାରତୀୟ ଭାବେ ୬,୦୦୦ ରନ୍ ପୂରଣ କରିଥିଲେ ପୂଜାରା। ସେପଟେ ମାତ୍ର ୬୪ ବଲ୍‌ରୁ ତୃତୀୟ ଅର୍ଧଶତକ ପୂରଣ କରିଥିବା ପନ୍ତ ଦ୍ରୁତ ଗତିରେ ଶତକ ଆଡ଼କୁ ଅଗ୍ରସର ହୋଇ ଅଷ୍ଟ୍ରେଲିଆ ଉପରେ ପାଲଟା ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଥି‌ଲେ। ଏପରିକି ପନ୍ତ ଓ ପୂଜାରା କ୍ରିଜ୍‌ରେ ଥିଲା ବେଳେ ଭାରତ ପାଇଁ ବିଜୟ ଆଶା ବି ସଂଚାର ହୋଇଥିଲା। ଉଭୟ ଚତୁର୍ଥ ୱିକେଟ୍‌ରେ ୧୪୮ ରନ୍ ଯୋଡ଼ି ଅଷ୍ଟ୍ରେଲିଆର ମନୋବଳକୁ ଏକରକମ ଦୋହଲାଇ ଦେଇଥିଲେ। ୧୨ ଚୌକା ଏବଂ ୩ ଦର୍ଶନୀୟ ଛକା‌ ସହ ୯୭ ରନ୍‌ରେ ଥିଲା ବେଳେ ଆଗକୁ ଆସି ଲାୟନଙ୍କୁ କଭର ଉପରେ ଚୌକା ମାରିବାକୁ ଚେଷ୍ଟା କଲା ବେଳେ କମିନ୍ସ ହାତରେ ଗଲି ଅଞ୍ଚଳରେ ଧରା ପଡ଼ିଯାଇଥିଲେ। ଏକ ସ୍ମରଣୀୟ ପାଳିର ପରିସମାପ୍ତି ହେବା ସହ ଭାରତର ବିଜୟ ଆଶା ବି ମଉଳି ଯାଇଥିଲା। ତେବେ ପନ୍ତ ତାଙ୍କ କାମ କରି ସାରିଥିଲେ। ମାତ୍ର ୨୨ ରନ୍ ପରେ ପୂଜାରା ଯେତେବେଳେ ‌‌ଜୋସ୍ ହାଜେଲଉଡ୍‌ଙ୍କ ଦ୍ବାରା କ୍ଲିନ୍ ବୋଲ୍ଡ ହୋଇ ଯାଇଥିଲେ ଭାରତ ବିଜୟ ଆଶା ଛାଡ଼ି ମ୍ୟାଚ୍ ଅମୀମାଂସିତ ରଖିବାକୁ ରଣନୀତି କରିଥିଲା। ଏଥିରେ ସଫଳ ବି ହୋଇଥିଲା। ପନ୍ତଙ୍କ ପାଳିକୁ ପ୍ରଶଂସକ ଦୀର୍ଘଦିନ ମନେ ରଖିବେ। ଅଶ୍ବିନ-ବିହାରୀଙ୍କ ବୀରତ୍ବକୁ ବି ସେମାନେ ଭୁଲି ପାରିବେନି।

ସମ୍ବନ୍ଧିତ ଖବର