ନବି ମୁମ୍ବାଇ: ରବିବାର ମଧ୍ୟରାତ୍ରରେ ଭାରତୀୟ ମହିଳା କ୍ରିକେଟ୍ ଦଳ ବିଶ୍ବକପ୍ ତୋଳି ଧରିବାର ଅପୂର୍ବ ଦୃଶ୍ୟ ୧୪୫ କୋଟି ଭାରତୀୟଙ୍କ ହୃଦୟକୁ ହର୍ଷଉଲ୍ଲାସରେ ଭରି ଦେଇଥିଲା। ମହିଳା କ୍ରିକେଟ୍ ପାଇଁ ଏହା ପୁରୁଷ କ୍ରିକେଟ୍ର ‘୧୯୮୩ ମସିହା’ର ଐତିହାସିକ ଭଳି ଥିଲା। ୧୯୮୩ରେ କପିଳ ଦେବଙ୍କ ସ୍ବଳ୍ପ ପରିଚିତ ଦଳ ବିଶ୍ବକପ୍ ଜିତିବା ଯେଭଳି ଭାବେ ଭାରତୀୟ ପୁରୁଷ କ୍ରିକେଟ୍ରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା, ୨୦୨୫ର ଏହି ସ୍ମରଣୀୟ ବେଳା ମଧ୍ୟ ଠିକ୍ ସେହିଭଳି ଭାରତୀୟ ମହିଳା କ୍ରିକେଟ୍ରେ ନୂଆ ମୋଡ଼ ଆଣିବ ବୋଲି ଆଶା କରାଯାଉଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ପୂର୍ବରୁ ଦୁଇ ଥର ଫାଇନାଲ୍ ଖେଳିଥିଲେ ମଧ୍ୟ ସେଠାରେ ଝୁଣ୍ଟି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଏଥର ଏହି ବାଧାକୁ ସଫଳତାର ସହ ଦୂର କରି ପ୍ରଥମ ଥର ବିଶ୍ବକପ୍ ଜିତିବା ସମଗ୍ର ଭାରତବର୍ଷକୁ ଗର୍ବିତ କରିଛି। ଭାରତୀୟ କ୍ରିକେଟ୍ ଇତିହାସରେ ହର୍ମନ୍ପ୍ରୀତ୍ କୌରଙ୍କ ସେନାର ଏହି ଅସାଧାରଣ ସଫଳତା ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଯାଇଛି। ସମଗ୍ର ଦେଶ ବି ଉତ୍ସବ ମୁଖର ହୋଇଛି। କ୍ରିକେଟ୍ପ୍ରେମୀ ଆତସବାଜି ଓ ନାଚ ଗୀତରେ ମହିଳା ଦଳର ଏହି ମହାନ ବିଜୟକୁ ପାଳନ କରିଛନ୍ତି।
ଭାରତୀୟ ମହିଳା ଦଳର ବିଶ୍ବ ବିଜୟ ଯାତ୍ରା କିନ୍ତୁ ଥିଲା ବେଶ ବନ୍ଧୁର। ୧୯୭୮ ମସିହାରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିଥିବା ଭାରତୀୟ ମହିଳା କ୍ରିକେଟ୍ ଦଳ ସେହିବର୍ଷର ବିଶ୍ବକପ୍ରେ ପଦାର୍ପଣ କରି ଚାରିଟି ଦଳ ମଧ୍ୟରେ ସବାଶେଷ ସ୍ଥାନରେ ରହିଥିଲା। ୧୯୮୨ରେ ଚତୁର୍ଥ, ୧୯୯୭ରେ ସେମିଫାଇନାଲ୍ , ୨୦୦୦ରେ ସେମିଫାଇନାଲ୍, ୨୦୦୫ରେ ଉପବିଜେତା , ୨୦୦୯ରେ ତୃତୀୟ, ୨୦୧୩ରେ ସପ୍ତମ, ୨୦୧୭ରେ ଉପବିଜେତା, ୨୦୨୨ରେ ସପ୍ତମ ସ୍ଥାନରେ ରହିବା ପରେ ଚଳିତବର୍ଷ ବିଜେତା ହେବାର ଗୌରବ ଲାଭ କରିଛି। ମିତାଲି ରାଜଙ୍କ ନେତୃତ୍ବରେ ୨୦୦୫ ଏବଂ ୨୦୧୭ରେ ଦୁଇ ଥର ଫାଇନାଲ୍ ଖେଳି ଭାରତ ଯାହା କରି ପାରି ନଥିଲା, ୨୦୨୫ରେ ହର୍ମନ୍ପ୍ରୀତ୍ଙ୍କ ନେତୃତ୍ବରେ ଭାରତୀୟ ଦଳ ତାହା କରି ଦେଖାଇଛି। ସେଥିପାଇଁ ରାତିକ ଭିତରେ ଭାରତରେ ମହିଳା କ୍ରିକେଟ୍ର ମାନ ସମ୍ମାନ ଯେମିତି ଆକାଶ ଛୁଇଁଛି। ଏକ ନବୀନ ଓ ଜାଜ୍ଜ୍ବଲ୍ୟମାନ ଯୁଗର ନିଅଁ ପଡ଼ିଛି।
ବୁଧବାର ଭେଟିବେ ମୋଦୀ
ପ୍ରଥମ ଥର ବିଶ୍ବକପ୍ ଜିତି ନାରୀଶକ୍ତିର ଅଭୂତପୂର୍ବ ପ୍ରମାଣ ଦେଇଥିବା ଭାରତୀୟ ମହିଳା କ୍ରିକେଟ୍ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ବୁଧବାର ଭେଟିବେ। ଏଥିଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିସିସିଆଇକୁ ନିମନ୍ତ୍ରଣ ଯାଇଛି। ମୁମ୍ବାଇରେ ଥିବା ଭାରତୀୟ ଦଳ ମଙ୍ଗଳବାର ସଂଧ୍ୟାରେ ଦିଲ୍ଲୀ ଯାଇ ବୁଧବାର ସକାଳେ ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ବିହାରରେ ଏକ ନିର୍ବାଚନ ରାଲିରେ ଯୋଗଦେବା ଅବସରରେ ମୋଦୀ ମଧ୍ୟ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଭାରତର ଝିଅମାନେ ସମଗ୍ର ଦେଶକୁ ଗର୍ବିତ କରିଛନ୍ତି। ଏହି ବିଜୟ କେବଳ କ୍ରିକେଟ୍ ପଡ଼ିଆ ଭିତରେ ସୀମିତ ନୁହେଁ, ଏହା ମଧ୍ୟ ଭାରତର ଝିଅଙ୍କ ବର୍ଦ୍ଧିତ ଆତ୍ମବିଶ୍ବାସକୁ ଦର୍ଶାଉଛି। ଛୋଟ ଛୋଟ ସହର ଓ ମଧ୍ୟବିତ୍ତ ପରିବାରରୁ ଆସି ସେମାନେ ଆଜି ବିଶ୍ବବିଜୟୀ ହୋଇଛନ୍ତି। 
ବିସିସିଆଇ ଦେଲା ମୋଟା ବୋନସ୍
ଭାରତୀୟ ମହିଳା ଦଳ ବିଶ୍ବକପ୍ ଜିତିବା ପରେ ବିସିସିଆଇ ୫୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି। ପୂର୍ବରୁ ଭାରତୀୟ ପୁରୁଷ ଦଳକୁ ଗତବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ବେଳେ ମିଳିଥିବା ୧୨୫ କୋଟି ଟଙ୍କା ଦିଆଯିବ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଥିଲେ। ତେବେ ସୋମବାର ବିସିସିଆଇ ଭାରତୀୟ ମହିଳା ଦଳକୁ ୫୧ କୋଟି ଟଙ୍କାର ବୋନସ୍ ମିଳିବ ବୋଲି ଅନୁଷ୍ଠାନିକ ଘୋଷଣା କରିଛି। ଭାରତୀୟ ମହିଳା ଦଳ ମଧ୍ୟ ବିଜେତା ଭାବେ ଆଇସିସିଠାରୁ ପାଖାପାଖି ୪୦ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପାଇବ। ଯାହା ହେଉଛି ମହିଳା କ୍ରିକେଟ୍ ବିଶ୍ବକପ୍ ଇତିହାସର ସର୍ବାଧିକ ପୁରସ୍କାର ରାଶି। ଖେଳାଳିମାନଙ୍କୁ ମଧ୍ୟ ବହୁ ପ୍ରତିଷ୍ଠିତ ବ୍ରାଣ୍ଡ୍ ସେମାନଙ୍କ ବିଜ୍ଞାପନରେ ଅଭିନୟ କରିବାକୁ ଏବେଠାରୁ ପ୍ରସ୍ତାବ ଦେବା ଆରମ୍ଭ କରିସାରିଥିବା ଜଣାପଡ଼ିଛି। 
ହୀରା ହାର ଦେବେ ସୁରତ ବ୍ୟବସାୟୀ
ସୁରତ ଭିତ୍ତିକ ବ୍ୟବସାୟୀ ତଥା ରାଜ୍ୟସଭା ସଦସ୍ୟ ଗୋବିନ୍ଦ ଢୋଲକିଆ ଭାରତୀୟ ମହିଳା ଦଳକୁ ହୀରା ଅଳଙ୍କାର ଏବଂ ସୌର ପ୍ୟାନେଲ୍ ଦେବା ପାଇଁ ଘୋଷଣା କରିଛନ୍ତି। ଢୋଲକିଆ ହେଉଛନ୍ତି ଶ୍ରୀ ରାମକୃଷ୍ଣ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ର ଅଧ୍ୟକ୍ଷ। ଫାଇନାଲ୍ ପୂର୍ବରୁ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳାଙ୍କୁ ପତ୍ର ଲେଖି ଭାରତୀୟ ଦଳକୁ ସେ ହୀରା ଅଳଙ୍କାର ଉପହାର ଆକାରରେ ଦେବାକୁ ଇଚ୍ଛା ଜାହିର କରିଥିଲେ। ସେହିଭଳି ଖେଳାଳିଙ୍କ ଘର ଛାତ ଉପରେ ସୌର ପ୍ୟାନେଲ ଲଗାଇବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ବିସିସିଆଇ ତାଙ୍କର ଏହି ପ୍ରସ୍ତାବକୁ ଗ୍ରହଣ କରିଛି କି ନାହିଁ, ତାହା କିନ୍ତୁ ସ୍ପଷ୍ଟ ହୋଇନାହିଁ। 
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/04/dgjgjgjdcbbn-2025-11-04-01-14-19.jpg)