ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି ଆଇପିଏଲ୍ ଇତିହାସର ସର୍ବଶ୍ରେଷ୍ଠ ଅଧିନାୟକ। ଭାରତୀୟ ଦଳର ପୂର୍ବତନ ଷ୍ଟାର କ୍ରିକେଟର ସୁନୀଲ ଗାଭାସ୍କର କ୍ୟାପଟେନ୍ କୁଲ୍ ଭାବେ ପରିଚିତ ଏମ୍ ଏସ୍ ଧୋନିଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ ମାହିଙ୍କୁ ଆଇପିଏଲ ଇତିହାସର ଶ୍ରେଷ୍ଠ ଅଧିନାୟକ କହିବା ସହ ମାହିଙ୍କ ଭଳି ଅଧିନାୟକ ଏବେ ଯାଏ ଆସିନାହାନ୍ତି କି ଭବିଷ୍ୟତରେ ମଧ୍ୟ ତାଙ୍କ ଭଳି ଅଧିନାୟକ ଆସିବେ ନାହିଁ ବୋଲି କହିଛନ୍ତି।

Advertisment

ତାଙ୍କ କହିବା ମୁତାବକ, ଆଇପିଏଲ୍ ଟିମ୍ ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) କଠିନ ପରିସ୍ଥିତିରୁ କିପରି ବାହାରିବାକୁ ହୁଏ ତାହା ଜାଣିଛି। କେବଳ ଏମ୍ଏସ୍ ଧୋନିଙ୍କ ଅଧିନାୟକତ୍ୱରେ ଏହା ସମ୍ଭବ ହୋଇଛି। ୨୦୦ଟି ମ୍ୟାଚ୍ ପାଇଁ ଅଧିନାୟକ ହେବା ଅତ୍ୟନ୍ତ କଷ୍ଟକର। ଏତେ ମ୍ୟାଚର ଅଧିନାୟକତ୍ବ କରିବା ସହଜ ନୁହେଁ ଏବଂ ଏହା କ୍ରିକେଟରର ପ୍ରଦର୍ଶନ ଉପରେ ମଧ୍ୟ ପ୍ରଭାବ ପକାଇପାରେ। କିନ୍ତୁ ମାହି ଅଲଗା। ସେ ଜଣେ ଭିନ୍ନ ଅଧିନାୟକ। ତାଙ୍କ ପରି କୌଣସି ଅଧିନାୟକ ନାହାନ୍ତି ଏବଂ ଭବିଷ୍ୟତରେ ତାଙ୍କ ପରି କେହି ଆସିବେ ନାହିଁ ବୋଲି ମୁଁ ଭାବୁଛି।

ତେବେ ଧୋନି ଅଧିନାୟକ ଭାବରେ ୨୦୦ଟି ମ୍ୟାଚ୍ ଖେଳି ସାରିଛନ୍ତି।  ଧୋନି ଆଇପିଏଲ୍ ଆରମ୍ଭରୁ ସିଏସକେର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇ ରହିଛନ୍ତି। ୨୦୧୬ ଏବଂ ୨୦୧୭ରେ ଚେନ୍ନାଇ ଉପରେ ପ୍ରତିବନ୍ଧକ ଲାଗିବା ପରେ ଧୋନିଙ୍କୁ ଏକ ଭିନ୍ନ ଦଳ ସହିତ ଖେଳିବାକୁ ପଡିଥିଲା। ସେ ୨୦୧୬ସିଜନରେ ୧୪ଟି ମ୍ୟାଚ ପାଇଁ ରାଇଜିଂ ପୁଣେ ସୁପରଜିଆଣ୍ଟ୍ସର ନେତୃତ୍ୱ ନେଇଥିଲେ ଏବଂ ଅଧିନାୟକ ଭାବରେ ତାଙ୍କର ମୋଟ ମ୍ୟାଚ୍ ୨୧୪ ହୋଇଥିଲା। ଦେଖିବାକୁ ଗଲେ ଧୋନିଙ୍କ ସିଏସକେ ଚାରିଥର ଆଇପିଏଲ୍ ଟାଇଟଲ୍ ଜିତିଛି। ସିଏସକେ ଅଧିନାୟକ ଭାବରେ ସେ ୧୨୦ଟି ମ୍ୟାଚ୍ ଜିତିଥିବା ସହ ୭୯ଟି ହାରିଛନ୍ତି ଏବଂ ଗୋଟିଏ ମ୍ୟାଚ୍ ଡ୍ର ହୋଇଛି।