ଚେନ୍ନାଇ: କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ପରେ ଚେପକ୍ରେ ସିଏସ୍କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ‘ଲ୍ୟାପ୍ ଅଫ୍ ଅନର୍’ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପଡ଼ିଆର କିଛି ଦୂରରେ ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର ପୂର୍ବତନ ଇଂଲଣ୍ଡ କ୍ରିକେଟର୍ କେଭିନ୍ ପିଟରସନ୍ଙ୍କ ସହ ଷ୍ଟାର ସ୍ପୋର୍ଟସ ପାଇଁ ଆଲୋଚନା କରୁଥିଲେ।
ଧୋନିଙ୍କୁ ପାଖରେ ଯିବାର ଦେଖି ଗାଭାସ୍କର ତୁରନ୍ତ କାର୍ଯ୍ୟକ୍ରମ ଅଧାରୁ ଚାଲିଆସିଥିଲେ। ଆଉ ନିଜେ ପରିଧାନ କରିଥିବା ସାର୍ଟ ଛାତିରେ ଅଟୋଗ୍ରାଫ୍ ଦେବାକୁ ଧୋନିଙ୍କୁ ଅନୁରୋଧ କରିଥିଲେ। ଏହି ସମୟର ଫଟୋ ଏବେ ଭାଇରାଲ୍ ହୋଇଛି। ଏହି ଘଟଣା ବିଶ୍ବ କ୍ରିକେଟ ଦୁନିଆରେ ଚର୍ଚ୍ଚା ବି ହେଉଛି।
ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଗାଭାସ୍କର ଧୋନିଙ୍କ ଠାରୁ ନେଇଥିବା ଅଟୋଗ୍ରାଫ ଦେଖା କାନ୍ଦିକାନ୍ଦି କହିଛନ୍ତି ‘ମୁଁ ଜାଣିଛି ମୋର ଏବେ ଶେଷ ସମୟ ଚାଲିଛି। ତେଣୁ ମୃତ୍ୟୁ ପୂର୍ବରୁ ୧୯୮୩ ମସିହାର ବିଶ୍ବକପ ଟ୍ରଫିର ମୁହୂର୍ତ୍ତ ଓ ୨୦୧୧ ବିଶ୍ବକପ ଫାଇନାଲରେ ଧୋନି ମାରିଥିବା ଛକାକୁ ଦେଖିବାକୁ ପସନ୍ଦ କରିବି। ଏହା ମୋ ପାଇଁ ଭାବବିହ୍ବଳର ମୁହୂର୍ତ୍ତ ଥିଲା।’
ଗାଭାସ୍କରଙ୍କୁ କାନ୍ଦିବା ଦେଖି ତାଙ୍କ ପାଖରେ ବସିଥିବା କ୍ରିକେଟର ହରଭଜନ ସିଂହ ବି ଭାବବିହ୍ବଳ ହୋଇପଡ଼ିଥିଲେ।
ଧୋନିଙ୍କ ବିଷୟରେ ଗାଭାସ୍କର କହିଛନ୍ତି, ‘ଖେଳାଳିଙ୍କ ଚେପକ ପରିକ୍ରମା ଦେଖି ମୁଁ ତୁରନ୍ତ ଏକ କଲମ ଉଦ୍ଧାର ଆଣି ନିଜ ପାଖରେ ରଖିଥିଲି। କେବଳ ଧୋନିଙ୍କ ଅଟୋଗ୍ରାଫ୍ ପାଇଁ। ଧୋନିଙ୍କୁ ବା କିଏ ଭଲ ନପାଏ ? ବର୍ଷ ବର୍ଷ ଧରି ସେ ଭାରତୀୟ କ୍ରିକେଟ୍ ପାଇଁ ଅନେକ କିଛି କରିଛନ୍ତି। ତାଙ୍କ ଭଳି ରୋଲ୍ ମଡେଲଙ୍କୁ ମୁଁ ଭଲ ପାଏ।’