ୟୁନିଲାଇଟ୍ କପ୍‌ ଫୁଟ୍‌ବଲ୍‌ରେ ମାଡ୍‌ପିଟ୍‌ , ୟୁନିଟ୍‌-୬ ଓ ବିକ‌ାଶ ବିଜୟୀ

ଭୁବ‌ନେଶ୍ବର: ସ୍ଥାନୀୟ ୟୁନିଟ-୬ ବାଳକ ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ୟୁନିଲାଇଟ୍ କପ୍‌ ଭୁବନେଶ୍ବର ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍ ପ୍ରତିଯୋଗିତାରେ ଗୁରୁବାର ଅପ୍ରୀତିକର ପରିସ୍ଥିତି ଭିତରେ ଖେଳାଳି ଖେଳାଳି ମାଡପିଟ୍‌ରେ ଲିପ୍ତ ରହିଥିଲେ। ଘରୋଇ ୟୁନିଟ୍‌-୬ ହାଇସ୍କୁଲ୍ ଦଳ ଏବଂ ସେଣ୍ଟ୍ ଯୋସେଫ ଖେଳାଳି କେତେକ ଉତ୍ତେଜକ ମୁହୂର୍ତ ଭିତରେ ସମୟ ବିତାଇବା ସହିତ ହାତାହାତି ହୋଇଥିଲେ। ୟୁନିଟ୍‌-୬ ଖେଳାଳି ପ୍ରତିପକ୍ଷ ଦଳର ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଆହତ ଜଣେ‌ ‌ଖେଳାଳିଙ୍କୁ ମଧ୍ୟ ଡାକ୍ତରଖାନା ଯିବାକୁ ପଡ଼ିଥିଲା। ୩ ଜଣ ‌ଖେଳାଳି ଲାଲ୍‌ କାର୍ଡ ପାଇଥିବା ବେଳେ ଶୁକ୍ରବାର ଶୃଙ୍ଖଳା ସମିତି ବସି କାର୍ଯ୍ୟାନିଷ୍ଠାନ ନିଷ୍ପତ୍ତି ନେବ ବୋଲି ସୂଚନା ଦିଆଯାଇଛି। ୟୁନିଟ୍-୬ ଦଳ କିନ୍ତୁ ପ୍ରାଧାନ୍ୟ ବିସ୍ତାର କରି ୬-୦ରେ ବିଜୟୀ ହୋଇଛି। ଦଳ ପକ୍ଷରୁ ଆକାଶ ନାୟକ (୧୦, ୧୫, ୨୦ ମିନିଟ) ଏବଂ ବିକାଶ ଅମାତ (୨୪, ୨୮, ୪୦) ପ୍ରତ୍ୟେକ ହ୍ୟାଟ୍ରିକ ଗୋଲ୍‌‌‌ ଦେଇଥିଲେ। ଆକାଶଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।

ଦ୍ବିତୀୟ ମ୍ୟାଚ୍‌ରେ ବିକାଶ ରେସିଡେନସିଆଲ ସ୍କୁଲ୍‌ ୫-୧ ଗୋଲ୍‌ରେ ବିଜେଇଏମ୍‌କୁ ପରାସ୍ତ କରିଥିଲା। ବିକାଶ ପକ୍ଷରୁ ସୁନୀଲ ସାହୁ (୧୦ ମିନିଟ), ବିନୟ ସାହୁ (୧୪ ମିନିଟ), ବିଷ୍ଣୁପ୍ରସାଦ ସିଂହ (୨୨ ମିନିଟ), ଯୁବରାଜ ପ୍ରଧାନ (୪୦ ମିନିଟ) ଏବଂ ବିଜେଇଏମ୍ ପକ୍ଷରୁ ଅମିତ ମିଶ୍ର (୪୪ ମିନିଟ) ଗୋଲ୍ ଦେଇଥିଲେ। ସୁନୀଲ ସାହୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ‌ ହୋଇଥିଲେ। ପୂର୍ବତନ କର୍ପୋରେଟର୍ ପ୍ରଣବ କିଶୋର ସ୍ବାଇଁ ଏବଂ ଟୁର୍ନାମେଣ୍ଟ୍ କମିଟି ଅଧ୍ୟକ୍ଷ ପ୍ରିୟନାଥ ମିଶ୍ର ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର