ୟୁନିଲାଇଟ୍‌ କପ୍‌ ଫୁଟ୍‌ବଲ୍‌: କିସ୍‌ ବିଜେତା

ଭୁବନେଶ୍ୱର: ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ୟୁନିଲାଇଟ୍‌ କପ୍‌ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ କିସ୍‌ ବିଜେତା ହୋଇଛି। ରବିବାର ଫାଇନାଲ୍‌ରେ କିସ୍‌ ୧-୦ ଗୋଲ୍‌ରେ ସୈନିକ ସ୍କୁଲ୍‌କୁ ହରାଇ ଟ୍ରଫି କରାୟତ କରିଥିଲା। ପ୍ରଥମାର୍ଧର ୧୫ତମ ମିନିଟ୍‌ରେ ଯଦୁନାଥ ହାଂସଦାଙ୍କ ଗୋଲ୍‌ରେ କିସ୍‌ ଆଗୁଆ ହୋଇଯାଇଥିଲା। ଏହା ପରେ ସୈନିକ ସ୍କୁଲ୍‌ ଗୋଲ୍‌ ଦେବାକୁ ପ୍ରୟାସ କରିଥିଲେ ମଧ୍ୟ କିସ୍‌ର ରକ୍ଷଣଭାଗ ଭେଦ କରିବାରେ ବିଫଳ ହୋଇ ପରାଜୟ ବରଣ କରିଥିଲା। କିସ୍‌ର ଜଗନ୍ନାଥ ସୋରେନ ଫାଇନାଲ୍‌ ଏବଂ ଯଦୁନାଥ ହାଂସ୍‌ଦା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। କିସ୍‌ର ଦେଳା ବେଶରା ଶ୍ରେଷ୍ଠ ଗୋଲ୍‌ ରକ୍ଷକ, କୁନାରାମ ସୋରେନ୍‌ ଶ୍ରେଷ୍ଠ ପୂରଭାଗ, ସୈନିକ ସ୍କୁଲ୍‌ର ରବି କୁମାର ଶ୍ରେଷ୍ଠ ରକ୍ଷଣ ଭାଗ ଏବଂ ଶିଭମ ରାଜ ଶ୍ରେଷ୍ଠ ମଧ୍ୟଭାଗ ଖେଳାଳି ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ବିଧାୟକ ବିଜୟ ମହାନ୍ତି, ଅନୁଗୁଳ-ସୁକିନ୍ଦା ରେଳବାଇର ବରିଷ୍ଠ ଅଧିକାରୀ ଦିଲିପ କୁମାର ସାମନ୍ତରାୟ, ୟୁନିଲାଇଟ୍‌ କମ୍ପାନିର ବରିଷ୍ଠ ଅଧିକାରୀ ସତ୍ୟଜିତ ମହାନ୍ତି, କ୍ରୀଡ଼ା ସଂଗଠକ ନବରଞ୍ଜନ ପଟ୍ଟନାୟକ, ପ୍ରିୟନାଥ ମିଶ୍ର, କର୍ପୋରେଟର ପ୍ରଣବ କିଶୋର ସ୍ୱାଇଁ, ଅମୀୟ କାନ୍ତ ମିଶ୍ର, ନରେନ୍ଦ୍ର ସେଠୀ ଏବଂ ଆୟୋଜକ କ୍ଲବ୍‌ର ସଭାପତି ତପନ କୁମାର ମହାନ୍ତି ଅତିଥି ଭାବେ ଉପସ୍ଥିତ ରହି ପୁରସ୍କାର ବଣ୍ଟନ କରିଥିଲେ। ରାଜେନ୍ଦ୍ର ବାରିକ, କୀର୍ତ୍ତି ସ୍ୱାଇଁ, ସରୋଜ ମହାରଣା, ପାକା ପଣ୍ଡା ଏବଂ ମହେଶ୍ୱର ସିଂହ (କମିସନର) ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର