ୟୁନିଲାଇଟ୍‌ କପ୍‌ ଫାଇନାଲ୍‌ରେ କିସ୍‌

ଭୁବନେଶ୍ବର: ସ୍ଥାନୀୟ ୟୁନିଟ୍‌-୬ ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ୟୁନିଲାଇଟ୍ କପ୍‌ ଫୁଟ୍‌ବଲ୍ ପ୍ରତିଯୋଗିତାରେ କିସ୍‌ ଦ୍ବିତୀୟ ଦଳ ଭାବେ ଫାଇନାଲ୍‌ ପ୍ରବେଶ କରିଛି। ଗୁରୁବାର ସୈନିକ ସ୍କୁଲ୍‌ ପ୍ରଥମ ଦଳ ଭାବେ ଫାଇନାଲ୍‌ ପ୍ରବେଶ କରିଥିଲା ବେଳେ ଶୁକ୍ରବାର ସଂଘର୍ଷପୂର୍ଣ୍ଣ ଦ୍ବିତୀୟ ସେମିଫାଇନାଲ୍‌ରେ କ୍ୟାପିଟାଲ ହାଇସ୍କୁଲ୍‌କୁ ସଡନ୍‌ ଡେଥ୍‌ରେ ପରାସ୍ତ କରି କିସ୍‌ ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛି। ଉଭୟ ଦଳ ମଧ୍ୟରେ ଶୁକ୍ରବାର ମ୍ୟାଚ୍‌ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ହୋଇଥିଲା। ଫଳରେ ନିର୍ଧାରିତ ସମୟ ଗୋଲ୍‌ ଶୂନ୍ୟ ରହିବା ପରେ ଟାଇବ୍ରେକର୍‌ରେ ମଧ୍ୟ ସ୍ଥିତି ୪-୪ ରହିଥିଲା। ଶେଷରେ ସଡନ୍‌ ଡେଥ୍‌ରେ ଫଳାଫଳ ମିଳିଥିଲା। କିସ୍‌ ଏଥିରେ ବାଜି ମାରି ନେଇଥିଲା। କ୍ରୀଡ଼ା ନିର୍ଦେଶାଳୟର ଅବସରପ୍ରାପ୍ତ ସହକାରୀ ନିର୍ଦେଶକ ଅଶୋକ ମହାନ୍ତି ଅତିଥି ଭାବେ ଯୋଗଦେଇ କ୍ୟାପିଟାଲ ହାଇସ୍କୁଲ୍‌ର ସାହେବ ସୋରେନ୍‌ଙ୍‌କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଚନ୍ଦ୍ରକାନ୍ତ ବାରିକ, ଦେବଜ୍ୟୋତି ସିଂହ, ଶ୍ରୀକାନ୍ତ ପଣ୍ଡା ଓ ଅମିତ ନାୟକ ମ୍ୟାଚ୍‌ ପରିଚାଳନା କରିଥିଲେ। ସୁଶାନ୍ତ ମହାନ୍ତି ମ୍ୟାଚ୍‌ କମିଶନର ରହିଥିଲେ।

ସମ୍ବନ୍ଧିତ ଖବର