ଖୋର୍ଦ୍ଧା କପ୍‌ ସେମିରେ ୟୁନିୟନ ସ୍ପୋର୍ଟିଂ

ଭୁବନେଶ୍ବର/ଖୋର୍ଦ୍ଧା: ଖୋର୍ଦ୍ଧା ବିଜେବି ହାଇସ୍କୁଲ ମିନି ଷ୍ଟାଡ଼ିୟମରେ ଚାଲିଥିବା ଚତୁର୍ଥ ସର୍ବଭାରତୀୟ ଖୋର୍ଦ୍ଧା କପ୍ ଟି-୨୦ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ୟୁନିୟନ ସ୍ପୋର୍ଟିଂ ପ୍ରବେଶ କରିଛି। ସୋମବାର ଏହି ଦଳ ୧୧ ରନ୍‌ରେ ମୁକ୍ତେଶ୍ବର କ୍ଲବ୍‌କୁ ପରାସ୍ତ କରିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୟୁନିୟନ ସ୍ପୋର୍ଟିଂ ୭ ୱିକେଟ୍‌ ହରାଇ ୧୪୫ ରନ୍‌ କରିଥିଲା। ମହମ୍ମଦ ଆକ୍ରମ ୩୨, ନିରଞ୍ଜନ ବେହେରା ୨୯ ଓ ଅନୁରାଗ କାନୋଜିଆ ୨୪ ରନ୍‌ କରିଥିଲେ। ମୁକ୍ତେଶ୍ବରର ପ୍ରୀତମଜିତ ଦାସ ୩ ଓ ମନୋଜ ବାରିକ ଗୋଟିଏ ୱିକେଟ୍‌ ନେଇଥିଲେ। ଜବାବରେ ମୁକ୍ତେଶ୍ବର ୬ ୱିକେଟ୍‌ ହରାଇ ୧୩୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଅନୁରାଗ ଷଡ଼ଙ୍ଗୀ ୪୨ ଓ ଶୁଭ୍ରାଂଶୁ ସେନାପତି ୪୦ ରନ୍‌ କରିଥି‌ଲା ବେଳେ ଅନୁରାଗ କାନୋଜିଆ ଓ ଶେଖର ମାଝି ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଅନୁରାଗ କାନୋଜିଆଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପୂର୍ବତନ ରଣଜୀ ଖେଳାଳି ପି ଜୟଜନ୍ଦ୍ର ପ୍ରଦାନ କରିଥିଲେ। ମ୍ୟାଚ୍‌କୁ ପ୍ରୀତିରଞ୍ଜନ ବିଜୟସିଂହ ଓ ସମ୍ବିତ ପଟ୍ଟନାୟକ ପରିଚାଳନା କରିଥି‌ଲା ବେଳେ କାଜଲ ବଳିୟାରସିଂହ ମ୍ୟାଚ ରେଫରି ଓ ଅସିତ ପରିଡ଼ା ସ୍କୋରର୍‌ ଥିଲେ।

ସମ୍ବନ୍ଧିତ ଖବର