କ୍ୱାର୍ଟରରେ ୟୁନିଅନ୍‌ ସ୍ପୋର୍ଟିଂ

ଅରବିନ୍ଦ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍‌

ଭୁବନେଶ୍ୱର: ସହିଦ ସ୍ପୋର୍ଟିଂ ଓ ରାମେଶ୍ୱର ସ୍ପୋର୍ଟିଂ ପରେ କଟକର ୟୁନିଅନ୍‌ ସ୍ପୋର୍ଟିଂ ତୃତୀୟ ଦଳ ଭାବେ ଅରବିନ୍ଦ ସ୍ମାରକୀ ୧୫ ବର୍ଷରୁ କମ୍‌ ସର୍ବଭାରତୀୟ ଗେଲ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଯାଇଛି। ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ବୁଧବାର ଏକ ପ୍ରି-କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ୟୁନିଅନ୍‌ ସ୍ପୋର୍ଟିଂ ୨ ଓ୍ଵିକେଟ୍‌ରେ ଭୁବନେଶ୍ୱର ଓସ୍କାର୍‌ ସ୍ପୋର୍ଟିଂକୁ ପରାସ୍ତ କରିଦେଇଛି। ଟସ୍‌ ଜିତି ଓସ୍କାର୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ତାରିଣୀ ପ୍ରସାଦ ନାୟକ (୬୫ ରନ୍‌)ଙ୍କ ଅର୍ଧଶତକ ସାଙ୍ଗକୁ ଦେବବ୍ରତ ପ୍ରଧାନଙ୍କ ୪୧ ଏବଂ ବିଶ୍ୱଜିତ୍‌ ରାଉତଙ୍କ ୨୭ ରନ୍‌ ସହାୟତାରେ ଓସ୍କାର୍‌ ନିର୍ଧାରିତ ୪୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୯୦ ରନ୍‌ କରିଥିଲା। ୟୁନିଅନ୍‌ ସ୍ପୋର୍ଟିଂ ପକ୍ଷରୁ ସଫଳ ବୋଲର ଭାବେ ଜଜ୍ଞଜିତ୍‌ ସାହୁ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ନୀତିଶ ମୁଦୁଲି (୬୭*)ଙ୍କ ଅପରାଜିତ ଅର୍ଧଶତକ ବ୍ୟତୀତ ଅଲ୍‌ରାଉଣ୍ଡର ଜଜ୍ଞଜିତ୍‌ ସାହୁଙ୍କ ୪୮ ଏବଂ ଓମ୍‌ ପ୍ରକାଶ ସାହୁଙ୍କ ୨୦ ରନ୍‌ ବଳରେ ୟୁନିଅନ୍‌ ସ୍ପୋର୍ଟିଂ ୩୪ ଓଭରରେ ୮ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଓସ୍କାର୍‌ ପକ୍ଷରୁ ତାରିଣୀ ପ୍ରସାଦ ନାୟକ ୩ ଓ ଅନିକେତ ପାତ୍ର ୨ ଓ୍ଵିକେଟ୍‌ ପାଇଥିଲେ ମଧ୍ୟ ଦଳ ପରାସ୍ତ ହୋଇଥିଲା। ନୀତିଶ ମୁଦୁଲି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ହୋଟେଲ ପୁଷ୍ପକର ପରିଚାଳନା ନିର୍ଦେଶକ ଜିତେଶ ଗରାବଡୁ ଅତିଥି ଭାବେ ଯୋଗଦେଇ ନୀତେଶଙ୍କୁ ପୁରସ୍କୃତ କରିଥିଲେ। ଶରତ ସାହୁ ଓ ପ୍ରଦୀପ ଜେନା ମ୍ୟାଚ୍‌ ପରିଚାଳନା କରିଥିଲେ। ଆସନ୍ତାକାଲି (ଗୁରୁବାର) ପାରାମାଉଣ୍ଟ୍‌ (ବି) ଓ ସୋଲାର କ୍ରିକେଟ୍‌ ଏକାଡେମି ମଧ୍ୟରେ ଚତୁର୍ଥ ପ୍ରିକ୍ୱାର୍ଟର ଫାଇନାଲ୍‌ ଖେଳାଯିବ।

ସମ୍ବନ୍ଧିତ ଖବର