ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ୍‌ କପ୍‌କ କ୍ରି‌କେଟ୍‌

ସେମିରେ ୟୁନିଅନ୍‌ ସ୍ପୋର୍ଟିଂ

ଭୁବନେଶ୍ବର: ଏଠାରେ ଚାଲିଥିବା ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ତୃତୀୟ ଦଳ ଭାବେ କଟକର ୟୁନିଅନ୍‌ ସ୍ପୋର୍ଟିଂ ପହଞ୍ଚିଯାଇଛି। ରବିବାର କ୍ବାର୍ଟର ଫାଇନାଲ୍‌ରେ ଏଡି କଟକ ଦଳ ୬ ୱିକେଟ୍‌ରେ ଭୁବନେଶ୍ବରର ଓସ୍କାର୍‌ ସ୍ପୋର୍ଟିଂକୁ ପରାସ୍ତ କରିଦେଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଓସ୍କାର୍‌ ଜଗଜିତ ଦାସଙ୍କ ୩୧ ଓ କୌଶିକ କୁମାର ନାୟକଙ୍କ ୨୬ ରନ୍‌ ସତ୍ତ୍ବେ ୨୯.୫ ଓଭରରେ ୯୪ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ୟୁନିଅନ୍‌ ସ୍ପୋର୍ଟିଂ ପକ୍ଷରୁ ଯଜ୍ଞଜିତ୍‌ ସାହୁ ୭-୦-୧୦-୬ର ବୋଲିଂ ଚିତ୍ର ପାଇଥିଲେ। ଜବାବରେ କଟକ ଦଳ ୨୪.୩ ଓଭରରେ ୪ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଚିତ୍ତରଞ୍ଜନ ବେହେରା ଅପରାଜିତ ୪୧ ରନ୍‌ କରିଥିଲା ବେଳେ ଓସ୍କାରର ସଫଳ ବୋଲର ଭାବେ ଶୋଭନଦେବ ବେହେରା ୨ ୱିକେଟ୍‌ ପାଇଥିଲେ। ତେବେ ଯଜ୍ଞଜିତ ସାହୁଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସହିତ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ମିଳିଥିଲା। କ୍ଲବ୍‌ର ପ୍ରତିଷ୍ଠାତା ସଭ୍ୟ ବିବେକାନନ୍ଦ ଦାସ ଏହି ପୁରସ୍କାର ପ୍ରଦାନ କରିଥିଲେ। ପ୍ରଦୀପ ଜେନା ଓ ସୁଶାନ୍ତ ଦାସ ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ସ୍କୋରର୍‌ ଥିଲେ ରଶ୍ମି ମଲ୍ଲ ଓ ରାଜୀବ ସର୍‌ଦାର। ଆସନ୍ତାକାଲି ଚତୁର୍ଥ ତଥା ଶେଷ କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ ଦୁଇ ଭୁବନେଶ୍ବର ଦଳ ଗ୍ରିନ୍‌ସ ଏକାଡେମି ଓ ପ୍ରଗତି ସ୍ପୋର୍ଟିଂ ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର