ଅସୁସ୍ଥ ଫୁଟବଲ୍ ବିଶେଷଜ୍ଞ ଓ ଭାଷ୍ୟକାର କାପାଡ଼ିଆଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ଦେଲା କେନ୍ଦ୍ର କ୍ରୀଡ଼ାମନ୍ତ୍ରାଳୟ

ନୂଆଦିଲ୍ଲୀ: ପ୍ରସିଦ୍ଧ ଫୁଟବଲ୍ ବିଶେଷଜ୍ଞ, ଐତିହାସିକ ତଥା ଭାଷ୍ୟକାର ନୋଭି କାପାଡ଼ିଆ ସଂପ୍ରତି ଗୁରୁତର ଅସୁସ୍ଥ ହୋଇ ଚାଲିବୁଲି ପାରୁନାହାନ୍ତି। ପେନସନ୍ ଅଟକି ଯାଇଥିବାରୁ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ ତାଙ୍କୁ ସହାୟତାର ହାତ ବଢ଼ାଇଛି କେନ୍ଦ୍ର କ୍ରୀଡ଼ାମନ୍ତ୍ରାଳୟ। ସୋମବାର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ କ୍ରୀଡ଼ାବିତଙ୍କ ସହାୟତା ପାଇଁ ଗଠିତ ହୋଇଥିବା ‘ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜାତୀୟ କଲ୍ୟାଣ’ ପାଣ୍ଠିରୁ ତାଙ୍କୁ ୪ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାଦ କରିଛନ୍ତି। ଚେକ୍ ପ୍ରଦାନ କଲାବେଳର ଫଟୋ ମଧ୍ୟ ରିଜିଜୁ ଟ୍ବିଟ୍ କରିଛନ୍ତି। ସେ ବି କାପାଡ଼ିଆଙ୍କ ପାଇଁ ପେନସନ୍‌ ଚାଲୁ କରିବାକୁ ପ୍ରତିଶ୍ରୁତି ‌ଦେଇଛନ୍ତି।

ରିଜିଜୁ କହିଛନ୍ତି ଯେ ଭାରତୀୟ କ୍ରୀଡ଼ା ପ୍ରତି କାପାଡ଼ିଆଙ୍କ ଅବଦାନ ଅତୁଳନୀୟ। ମୁଁ ଯେତେବେଳେ ଜାଣିଲି ଯେ ତାଙ୍କ ପେନସନ୍ କୌଣସି କାରଣରୁ ଅଟକି ରହିଛି ଏବଂ ସେ ଗୁରୁତର ଅସୁସ୍ଥ, ସେତେବେଳେ ଆମେ ତାଙ୍କୁ ତୁରନ୍ତ ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ନେଲୁ। ତାଙ୍କ ପେନସନ୍ ଯେମିତି ତୁରନ୍ତ ମିଳେ, ସେ ଦିଗରେ ଆମେ କାମ କରୁଛୁ। ସୂଚନାଯୋଗ୍ୟ ଯେ କାପାଡ଼ିଆ ଦେଶର ଅନ୍ୟତମ ଶ୍ରେଷ୍ଠ ଫୁଟବଲ୍ ବିଶେଷଜ୍ଞ ହୋଇଥିଲା ବେଳେ ସେ ୯ଟି ଫିଫା ବିଶ୍ବକପ୍‌ରେ ଭାଷ୍ୟକାର ଦାୟିତ୍ବ ତୁଲାଇ ସାରିଛନ୍ତି।

ସମ୍ବନ୍ଧିତ ଖବର