ଧୋତି-କୁର୍ତ୍ତା ପିନ୍ଧି ପଡ଼ିଆକୁ ଓହ୍ଲାଇଲେ କ୍ରିକେଟର, ସଂସ୍କୃତରେ ହେଲା କମେଣ୍ଟ୍ରି

ବାରାଣସୀ: କାଶୀ ନଗରୀ ନିଜର ବିଭିନ୍ନତା ଲାଗି ପୂରା ଦେଶରେ କେବଳ ନୁହେଁ ବରଂ ସମଗ୍ର ବିଶ୍ୱରେ ଜଣାଶୁଣା। ଏହି ବିଭିନ୍ନତା ମଧ୍ୟରେ ସଂସ୍କୃତ ଭାଷାକୁ ଏଠାରେ ବହୁତ ସମ୍ମାନ ଦିଆଯାଇଥାଏ। ଏହି ସମ୍ମାନକୁ ମଙ୍ଗଳବାର କ୍ରିକେଟ ସହିତ ଯୋଡ଼ି ଦିଆଯାଇଛି। ସ୍ଥାନୀୟ ସଂପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ସଂସ୍କୃତ କ୍ରିକେଟ ପ୍ରତିଯୋଗିତା ଶୁଭାରମ୍ଭ ହୋଇଯାଇଛି। ଶାସ୍ତ୍ରାର୍ଥ ମହାବିଦ୍ୟାଳୟ ତରଫରୁ ଆୟୋଜିତ ଏହି କ୍ରିକେଟ ପ୍ରତିଯୋଗିତାରେ ୫ଟି ଟିମ୍‌ ଅଂଶ ଗ୍ରହଣ କରିଛନ୍ତି।

ଧୋତି-କୁର୍ତ୍ତା ପିନ୍ଧି ରନ ପାଇଁ ଦୌଡୁଥିବା ଖେଳାଳିଙ୍କୁ ଦେଖିଲେ ନିଶ୍ଚିତ ଭାବରେ ଦର୍ଶକ ଭାରତର ସର୍ବପୁରାତନ ସଂସ୍କୃତିକୁ ମନେ ପକାଇବେ। ପଡ଼ିଆରେ କ୍ରିକେଟ ଚାଲିଥିବା ବେଳେ, ବାଉଣ୍ଡ୍ରିରେ ସଂସ୍କୃତ ଭାଷାରେ କମେଣ୍ଟ୍ରି ହେଉଛି। ସଂସ୍କୃତ ଭାଷାରେ କ୍ରିକେଟ କମେଣ୍ଟ୍ରି କରିବା ସହଜ ନୁହେଁ, ତେଣୁ ଏହି କାମ ଶିକ୍ଷକଙ୍କୁ ଦିଆଯାଇଛି।

ଖେଳ ସମୟରେ କମେଣ୍ଟେଟର ବଲ ଫିଙ୍ଗିବାକୁ ଯାଉଥିବା ବୋଲରକୁ କହିଛନ୍ତି, ‘ଅତୀବ ସୁନ୍ଦରତା କନ୍ଦୁକ ପ୍ରକ୍ଷେପଣେନ (ସୁନ୍ଦର ବୋଲିଂ କରୁଛନ୍ତି)। ଏଭଳି ଆହୁରି ଅନେକ ସଂସ୍କୃତ ଶବ୍ଦ ଶୁଣି ଦର୍ଶକ ଉଲ୍ଲାସିତ ହୋଇ ଉଠିଛନ୍ତି। ମ୍ୟାଚକୁ ଅନ୍ତର୍ଜାତୀୟ ମହିଳା ଖେଳାଳି ନୀଲୁ ମିଶ୍ରା ଏବଂ କାଶୀ ବିଶ୍ୱନାଥ ମନ୍ଦିରର ପଣ୍ଡିତ ଶ୍ରୀକାନ୍ତ ମିଶ୍ର କରିଛନ୍ତି।

ଶାସ୍ତ୍ରାର୍ଥ ମହାବିଦ୍ୟାଳୟର ଆଚାର୍ଯ୍ୟ ପବନ କୁମାର ଶାସ୍ତ୍ରୀ କହିଛନ୍ତି, ମହାବିଦ୍ୟାଳୟର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଏହା ଆୟୋଜନ କରାଯାଉଛି। ଏଥି ପାଇଁ ସଂସ୍କୃତ କ୍ରିକେଟ ପ୍ରତିଯୋଗିତାର ଆୟୋଜନ ହେଉଛି। ଏହି ମ୍ୟାଚରେ ରଣଜୀ ଖେଳାଳିଙ୍କୁ ଅମ୍ପାୟର ରଖାଯାଇଛି।

ସମ୍ବନ୍ଧିତ ଖବର