ଅଶୋକ ଦାସ ସ୍ମାରକୀ କ୍ରିକେଟ୍ ଫାଇନାଲ୍‌ରେ ୟୁନିକ୍ ଇଲେଭେନ୍

ଯାଜପୁରଟାଉନ/ସଦର: ଯାଜପୁର ସହର ବାଳାଶ୍ରମ ପଡ଼ିଆରେ ଚାଲିଥିବା ଅଶୋକ ଦାସ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଭଦ୍ରକର ୟୁନିକ୍‌ ଇଲେଭେନ୍‌ ପହଞ୍ଚିଯାଇଛି। ଗୁରୁବାର ସେମିଫାଇନାଲ୍‌ରେ ଏହି ଦଳ ୫ ୱିକେଟ୍‌ରେ ଷ୍ଟାର ଇଲେଭେନ (ବୋକାରୋ)କୁ ପରାସ୍ତ କରିଛି। ଟସ୍ ଜିତି ବ୍ୟାଟିଂ ନେଇଥିବା ବୋକାରୋ ଦଳ ୩୪.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୮୧ ରନ୍ କରିଥିଲା। ବିଜୟ ଜେନା ୪୮ ଓ ପ୍ରେମ କୁମାର ୬୦ ରନ୍ କରିଥିଲେ। ୟୁନିକ୍ ଇଲେଭେନ୍ ପକ୍ଷରୁ କ୍ଷମାସାଗର ବଳ ଓ ପ୍ରଦୀପ୍ତ କୁମାର ଦାସ ୩ ୱିକେଟ୍ ଲେଖାଏଁ ନେଇଥିଲେ।

ଜବାବରେ ୟୁନିକ୍ ଇଲେଭେନ୍ ୨୩.୫ ଓଭରରେ ୫ ୱିକେଟ୍ ହରାଇ ୧୮୫ ରନ୍ କରିନେଇଥିଲା। ସୌମ୍ୟରଞ୍ଜନ ବିଶ୍ୱାଳ ୫୩ ଓ କ୍ଷମାସାଗର ବଳ ୪୯ ରନ୍ କରିଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ (୩ ୱିକେଟ୍ ଓ ୪୯ ରନ୍) କ୍ଷମାସାଗର ବଳ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତାଙ୍କୁ ଯାଜପୁର ଟ୍ୟାକ୍ସି ଓ ମିନିବସ୍ ସଂଘର ଶ୍ରୀକାନ୍ତ ଶାସ୍ତ୍ରୀ, ଅଜୟ ନାୟକ ଓ ଅଶୋକ ସିଂ ପୁରସ୍କୃତ କରିଥିଲେ। ଆଶୁତୋଷ ପାଣି ଓ ଶାରଦା ପ୍ରସନ୍ନ ମହାପାତ୍ର ମ୍ୟାଚ୍‌ ପରିଚାଳନା କରିଥିଲେ। ସ୍କୋରର ଥିଲେ ଯଯାତି କେଶରୀ ସାମଲ ଓ ବିକାଶ ଧଳ। ଜ୍ଞାନରଂଜନ ଘଡ଼ାଇ, ଏସ୍‌.କେ. ଇମରାନ୍ ଓ କାହ୍ନୁ ସେଠୀ ଧାରା ବିବରଣୀ ଦେଇଥିଲେ। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ୟୁନିକ୍ ଇଲେଭେନ୍ (ଭଦ୍ରକ) ଓ ରାଞ୍ଚି ରେଳବାଇ ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର