ନିଆରା ଶ୍ରଦ୍ଧାଞ୍ଜଳି: ଯାଆଁଳା ଝିଅଙ୍କ ନାଁ ମାରା ଓ ଡୋନା

ମମି’ ହୋଇ ପ୍ରଶଂସକଙ୍କୁ ଦର୍ଶନ ଦେବାକୁ ଚାହୁଁଥିଲେ

ବୁଏନେସ୍ ଏୟାରସ୍ : ମହାନ ଫୁଟବଲ୍ ଖେଳାଳି ଡିଏଗୋ ମାରାଡୋନାଙ୍କୁ ଜଣେ ସ୍ଥାନୀୟ ପ୍ରଶଂସକ ନିଆରା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବୁଏନସ୍ ଏୟାରସ୍‌ର ସହରତଳି ଅଞ୍ଚଳରେ ରହୁଥିବା ୱାଲଟର ରୋତୁଣ୍ଡୋ ନାମକ ତାଙ୍କର ଜଣେ ପାଗଳ ପ୍ରଶଂସକ ନିଜ ଯାଆଁଳା ଝିଅଙ୍କ ନାଁ ମାରା ଓ ଡୋନା ରଖିଛନ୍ତି। ନିଜେ ୱାଲଟର ତାଙ୍କ ପିଠିରେ ପ୍ରିୟ ଦିଂବଗତ ତାରକା ମାରାଡୋନାଙ୍କର ଏକ ସୁଦୃଶ୍ୟ ଟାଟୁ ମଧ୍ୟ କରିଛନ୍ତି। ମାର‌ାଡୋନା ତାଙ୍କ ଦୁଇ ଝିଅଙ୍କ ଫଟୋ ଧରିଥିବାର ଏକ ଚିତ୍ରକୁ ମଧ୍ୟ ସେ ଗର୍ବର ସହ ପାଖରେ ସାଇତି ରଖିଛନ୍ତି। ନିଜ ଦୁଇ ଝିଅଙ୍କ ନାଁ ମାରାଡୋନାଙ୍କ ନାଁରେ ରଖିବାର କାରଣ ନେଇ ୱାଲଟର ମଧ୍ୟ ଏକ ମଜାଦାର କାହାଣୀ କୁହନ୍ତି।

‘‘୧୯୯୦ ମସିହା ବିଶ୍ବକପ୍‌ରେ ଯେତେବେଳେ ଆର୍ଜେଣ୍ଟିନା ୦-୧ ଗୋଲ୍‌ରେ ପଶ୍ଚିମ ଜର୍ମାନୀଠାରୁ ହାରି ବିଶ୍ବବିଜେତା ହେବାରୁ ବଞ୍ଚିତ ହେଲା, ମାରାଡୋନା ସେତେବେଳେ ଭୋଭୋ ହୋଇ କାନ୍ଦିଥିଲେ। ଏହି ଦୃଶ୍ୟ ମୋ ମନକୁ ଛୁଇଁ ଯାଇଥିଲା। ଏଣୁ ପାଖରେ ଥିବା ମୋ ପ୍ରେମିକା ଷ୍ଟେଲା ମାରିସ୍ ପ୍ରେଜ୍ (ପରେ ‌ଯିଏ ତାଙ୍କ ପତ୍ନୀ ହୋଇଥିଲେ)କୁ ମୁଁ କହିଥିଲି ଯେ ଆମର ଯଦି ଦୁଇଟି ଝିଅ ହୁଅନ୍ତି, ସେମାନଙ୍କ ନାଁ ମାରାଡୋନାଙ୍କ ନା‌ମ ଅନୁସାରେ ହିଁ ରଖିବ। ସେ ମଧ୍ୟ ତୁରନ୍ତ ଏହି ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ସୌଭାଗ୍ୟବଶତଃ କିଛି ବର୍ଷ ପରେ ଆମର ଯାଆଁଳା ଝିଅ ଜନ୍ମ ହୋଇଥିଲେ। ଏଣୁ ମୁଁ ମାରାଡୋନାଙ୍କ ନା‌ଁକୁ ଦୁଇ ଭାଗ କରି ଜଣକ ନାଁ ମାରା ଏବଂ ଆଉ ଜଣଙ୍କ ନାଁ ଡୋନା ରଖିଥିଲି’’ ବୋଲି ମାରା‌ଡୋନାଙ୍କ ‌ଶେଷ ଯାତ୍ରାରେ ସାମିଲ ହୋଇଥିବା ହଜାର ହଜାର ପ୍ରଶଂସକଙ୍କ ମଧ୍ୟରୁ ଅନ୍ୟତମ ୱାଲଟର ଭାବବିହ୍ବଳ ହୋଇ କହିଥିଲେ। ମାରାଡୋନାଙ୍କୁ ଆର୍ଜେଣ୍ଟିନାରେ ଲୋକ ଫୁଟ୍‌ବଲ୍‌ର ଭଗବାନ ଭାବେ ପୂଜା କରନ୍ତି। ତାଙ୍କ ଡାକ ନାଁ ‘ଡି୧୦୫’ର ସ୍ପାନିସ୍ ଭାଷାରେ ମାନେ ହେଉଛି ଭଗବାନ। ମାରା ଓ ଡୋନା ମଧ୍ୟ ନିଜ ପାଖରେ ଆର୍ଜେଣ୍ଟିନା ଜର୍ସି ରଖିଥିଲା ବେଳେ ଏଥିରେ କିଂବଦନ୍ତି ମାରାଡୋନାଙ୍କ ଜର୍ସି ନମ୍ବର ୧୦ ଲେଖିଛନ୍ତି। ଉଭୟ ମଧ୍ୟ ନିଜ ନିଜ ନାମକୁ ନେଇ ଗର୍ବ ଅନୁଭବ କରନ୍ତି। ମାରାଡୋନାଙ୍କ ଅକାଳ ବିୟୋଗ କିନ୍ତୁ ଏମାନଙ୍କୁ ସ୍ତବ୍ଧ କରି ଦେଇଛି। ଆଦର୍ଶ ଓ ପ୍ରେରଣାର ଉତ୍ସ ଏଭଳି ଭାବେ ଅକାଳରେ ଚାଲିଯିବାକୁ ସେମାନେ ଆଦୌ ବିଶ୍ବାସ କରି ପାରୁନାହାନ୍ତି।

ମୃତ୍ୟୁର କିଛି ଦିନ ପୂର୍ବରୁ ମାରାଡୋନା ସାଙ୍ଗସାଥୀଙ୍କୁ ତାଙ୍କ ଶେଷ ଇଚ୍ଛା ଜଣାଇ ଦେଇଥିଲେ। ମୃତ୍ୟୁ ପରେ ତାଙ୍କୁ କବର ଦେବା ପରିବର୍ତ୍ତେ ତାଙ୍କ ଶରୀରରେ ରସାୟନ ଲେପ ଲଗାଇ ପ୍ରଶଂସକଙ୍କ ଦର୍ଶନ ପାଇଁ ରଖିବାକୁ ଆଗ୍ରହ ପ୍ରକାଶ କରିଥିଲେ ସେ। ମାରାଡୋନାଙ୍କ ଏହି ଅନ୍ତିମ ଇଚ୍ଛାକୁ ତାଙ୍କ ପରିବାର କିନ୍ତୁ ସମ୍ମାନ ଦେଇନାହିଁ। ବରଂ ବୁଏନେସ୍ ଏୟାରସ୍‌ଠାରେ ତାଙ୍କ ପିତା, ମାତାଙ୍କ କବର ନିକଟରେ ମାରାଡୋନାଙ୍କୁ କବର ଦିଆଯାଇଛି। ମାରାଡୋନାଙ୍କ ବନ୍ଧୁ ତଥା ସାମ୍ବାଦିକ ମାର୍ଟିନ ଆରେଭାଲୋଙ୍କ କହିବା କଥା ହେଲା ଥରେ ଆମେ ଗପସପ କରୁଥିଲା ବେଳେ ମାରାଡୋନାଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କଥା ଚିନ୍ତା କରିଥିଲୁ। ହେଲେ ମାରାଡୋନା ଏଥିରେ ରାଜି ହୋଇନଥିଲେ। ବରଂ ମୃତ୍ୟୁ ପରେ ତାଙ୍କ ମମି’ କରି ପ୍ରଶଂସକଙ୍କ ଦର୍ଶନ ପାଇଁ ରଖିବାକୁ କହିଥିଲେ। ଆର୍ଜେଣ୍ଟିନା ଇତିହାସରେ ପୂର୍ବତନ ରାଷ୍ଟ୍ରପତି ଜୁଆନ ପେ‌ରନ୍ ଓ ତାଙ୍କ ପତ୍ନୀ ଇଭା ପେରନଙ୍କୁ ମମି’ କରି ରଖାଯାଇଛି। ମାରାଡୋନା ମଧ୍ୟ ଏହି ଦୁଇ ଜଣଙ୍କ ଭଳି ସବୁବେଳେ ପ୍ରଶଂସକଙ୍କ ପାଇଁ ଜୀବିତ ରହିବାକୁ ଆଗ୍ରହୀ ଥିଲେ ବୋଲି ତାଙ୍କ ଓକିଲ ମାତିଆସ୍ ମୋର୍‌ଲା ମଧ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର