ଭୁବନେଶ୍ବର: ଓଡ଼ିଶା ଦୂରସଂଚାର ପରିମଣ୍ଡଳ, ଭୁବନେଶ୍ୱର ଆନୁକୂଲ୍ୟରେ ସ୍ଥାନୀୟ ସହିଦ ନଗରସ୍ଥିତ ଇନ୍ଡୋର ସ୍ପୋର୍ଟ୍ସ କମ୍ପ୍ଲେସଠାରେ ଆୟୋଜିତ ୧୯ତମ ସର୍ବଭାରତୀୟ ବିଏସ୍ଏନ୍ଏଲ୍ ଟେବୁଲ ଟେନିସ (ଟିଟି) ପ୍ରତିଯୋଗିତା ଶନିବାର ଉଦ୍ଯାପିତ ହୋଇଛି। ପୂର୍ବରୁ ଦଳଗତ ଇଭେଣ୍ଟ ଶେଷ ହୋଇଥିଲା ବେଳେ ଶନିବାର ବ୍ୟକ୍ତିଗତ ଇଭେଣ୍ଟ ଶେଷ ହୋଇଛି। ବ୍ୟକ୍ତିଗତ ଇଭେଣ୍ଟ ପୁରୁଷ ଏକକରେ ଆସାମର ପଙ୍କଜ ପ୍ରୀତମ ଚୁଟିଆ ଏବଂ ମହିଳା ଏକକରେ ପଞ୍ଜାବର ସାଲି ଧାୱନ୍ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଫାଇନାଲ୍ରେ ପଙ୍କଜ ୪-୦ରେ ମଧ୍ୟପ୍ରଦେଶର ସମର ଘୌରୀଙ୍କୁ ଏବଂ ସାଲି ୪-୦ରେ ଉତ୍ତରାଞ୍ଚଳର ଭୱାନା ପନ୍ତ୍ଙ୍କୁ ପରାସ୍ତ କରିଥିଲେ। ପୁରୁଷ ଏକକରେ ତାମିଲନାଡୁର ଏମ୍ ହେମନ୍ତ କୁମାର ଏବଂ ମହିଳା ଏକକରେ ପଞ୍ଜାବର ମନ୍ଦାକିନୀ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ।
ପୁରୁଷ ଯୁଗଳରେ ନୀଲେଶ ବୈଦ-ସମର ଘୌରୀ (ମଧ୍ୟପ୍ରଦେଶ) ସ୍ବର୍ଣ୍ଣ, ଜନକ ରାଜ-ପଙ୍କଜ ପ୍ରୀତମ ଚୁଟିଆ (ଆସାମ) ରୌପ୍ୟ ଏବଂ ଏମ୍ ହେମନ୍ତ କୁମାର-ଏମ୍ ରାଜେଶ କୁମାର (ତାମିଲନାଡୁ) କାଂସ୍ୟ ଜିତିଥିଲା ବେଳେ ମହିଳା ଯୁଗଳରେ ସାଲି ଧାୱନ-ମନ୍ଦାକିନି (ପଞ୍ଜାବ) ସ୍ବର୍ଣ୍ଣ, ରାକ୍ଷୀ ସୋନି-ସରିତା ସିଂହ (ଛତିଶଗଡ଼) ରୌପ୍ୟ ଏବଂ ଏସ୍ ଝାନ୍ସୀରାଣୀ-ଦେବୀ ନବିନରାଜ (ତାମିଲନାଡୁ) କାଂସ୍ୟ ପଦକ ଜିତିଥିଲେ। ମିଶ୍ରିତ ଯୁଗଳରେ ପଙ୍କଜ ପ୍ରୀତମ ଚୁଟିଆ-ସଞ୍ଜୁକ୍ତା ଗୋଗୋଇ (ଆସାମ) ସ୍ବର୍ଣ୍ଣ, ସୌମ୍ୟଜିତ କାର୍ଜୀ-ରିଆ ଗୁହା ଦାସଗୁପ୍ତା (ପଶ୍ଚିମ ବଙ୍ଗ) ରୌପ୍ୟ ଏବଂ ଏମ୍ ହେମନ୍ତ କୁମାର-ଏସ୍ ଝାନ୍ସୀରାଣୀ (ତାମିଲନାଡୁ) କାଂସ୍ୟ ପଦକ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଭେଟେରାନରେ ଜିଜ୍ଞେଶ ସୋଲାଙ୍କି (ଗୁଜରାଟ), ଅରବିନ୍ଦ ଜମ୍ୱାଲ (ହିମାଚଳପ୍ରଦେଶ) ଏବଂ ସତ୍ରଜିତ ଧର (ଆସାମ) ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି।
ଶନିବାର ବିଏସ୍ଏନ୍ଏଲ୍ ଓଡ଼ିଶା ଟେଲିକମ୍ ସର୍କଲର ମୁଖ୍ୟ ମହାପ୍ରବନ୍ଧକ ରୁଦ୍ର ନାରାୟଣ ପଲାଇଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଏସ୍ଏନ୍ଏଲ୍ ବୋର୍ଡ (ନୂଆଦିଲ୍ଲୀ)ର ଡାଇରେକ୍ଟର (ଏଚ୍ଆର୍) ଅରବିନ୍ଦ ବଦ୍ନେର୍କର କୃତୀ ପ୍ରତିଯୋଗୀମାନଙ୍କୁ ପଦକ ପ୍ରଦାନ କରିଥିଲେ।